“ସେ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା । ଆମର କିଛି ସ୍ୱେଚ୍ଛାସେବୀଙ୍କ ସହ ଯେତେବେଳେ ମୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲି ସେ ଦୁଃଖଦ ଦୃଶ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରି ହେବନି। ପୀଡ଼ିତ ମାନଙ୍କରୟନ୍ତ୍ରଣା ଆଉ କରୁଣ ଚିତ୍କାର;କାହାର ଗୋଟିଏ ହାତ ଏଠାରେ ପଡିଛି ତ, ସେଠାରେ ଆଉ କାହାର ଗୋଡ଼;ଏପରିକି କାହାର କାହାର ଚେହେରା ବିକୃତ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଭଗ୍ନାବଶେଷରୁ ସ୍ଥାନୀୟ ଲୋକେ କୌଣସି ଉପାୟରେ କିଛି ମୃତଦେହ ଉଦ୍ଧାର କରି ରଖିଥିଲେ। ସେହି ପ୍ରଥମ କିଛି ଘଣ୍ଟା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ସତରେ ଆଉ ସେଇ ସମୟର ପୂରା ଦୃଶ୍ୟ ଛାତି ଥରେଇ ଦେଉଥିଲା।”
ଜୁନ୍ ୨ ତାରିଖ୨୦୨୩ର ସନ୍ଧ୍ୟାଘଟିଥିଲା ଦଶନ୍ଧିର ସବୁଠାରୁ ଭୟଙ୍କର ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ।ଖବର ପାଇ ସମାଜସେବୀ ଗୋବିନ୍ଦ ବଲ୍ଲଭ ଦଳାଇ ଓ ତାଙ୍କ ସ୍ଵଚ୍ଛାସେବୀ ସାଥିମାନେଅବିଳମ୍ବେ ଆସି ପହଞ୍ଚିଥିଲେ ଦୁର୍ଘଟଣା ସ୍ଥଳ ବାଲେଶ୍ୱରର ବାହାନଗା ଠାରେ ।
ଗୋବିନ୍ଦ ଓ ତାଙ୍କ ଟିମ୍ ଉଦ୍ଧାର କାର୍ଯ୍ୟକରିବାରେସ୍ଥାନୀୟ ଲୋକଙ୍କ ସାମର୍ଥ୍ୟ ବଢ଼ାଇଥିଲେ। ଟ୍ରେନ ଭଗ୍ନାବଶେଷ ଭିତରୁ ସେମାନେ ୧୦୦ରୁ ଅଧିକ ପୀଡ଼ିତଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ସେମାନେ। ଆଇଆରସିଟିସିଠାରୁ ଯାତ୍ରା କରୁଥିବା ଲୋକଙ୍କ ସଠିକ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ ବୋର୍ଡିଂ ଲିଷ୍ଟ ହାସଲ କରିବା ସହ ବଞ୍ଚିଥିବା ଏବଂ ମୃତ ଯାତ୍ରୀଙ୍କ ଡାଟାବେସ୍ ପ୍ରସ୍ତୁତ କରିଥିଲେ ଗୋବିନ୍ଦ। ପରବର୍ତ୍ତୀ ସମୟରେଏହି ଡାଟାବେସ୍ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ରିଲିଫ୍ ଯୋଗାଇବା ଏବଂ ଅଧିକ ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇଥିଲା। ଏଇ ଡାଟାବେସ୍ ବ୍ୟବହାର କରି ପୀଡ଼ିତମାନଙ୍କୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା ଯଥା- ସାମାନ୍ୟ ଆଘାତ ପାଇଥିବା ବଞ୍ଚିଥିବା ବ୍ୟକ୍ତି, ଗୁରୁତର ଆଘାତପ୍ରାପ୍ତ ବଞ୍ଚିଥିବା ବ୍ୟକ୍ତି ଏବଂ ମୃତକ। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସୁରକ୍ଷିତ ଯାତ୍ରୀଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ସହାୟତା ସାଙ୍ଗକୁ ଗୋବିନ୍ଦ ଓତାଙ୍କ ସ୍ୱେଚ୍ଛାସେବୀ ସାଥୀମାନେ ଆହତମାନଙ୍କର ସେବା ଯତ୍ନ କରି ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଡାକ୍ତରଖାନାରେ ବଞ୍ଚିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ପୀଡ଼ିତମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ମଧ୍ୟ ଦେଇଥିଲେ। ସେହି ଦିନ ଗୋବିନ୍ଦ ଓ ତାଙ୍କ ସାଥିମାନେ ଏହି ଆଭିଯାନର ନାମକରଣ କରିଥିଲେ “ପୁନର୍ଜୀବନ”। ଆଉ ଏଇ ଅଭିଯାନର କାମ ଦୁର୍ଘଟଣା ଘଟିବାର କିଛି ଦିନ ଅବଧି ପରେ ସରି ଯାଇ ନଥିଲା। ଆଜି ବି ଜାରି ରହିଛି ତାର କାମ।
ଦୁର୍ଘଟଣା ପୀଡିତମାନେ ଘରକୁ ଫେରିବା ପରେ ତାଙ୍କର ସ୍ଥାୟୀ ଆଘାତର ଯନ୍ତ୍ରଣାକୁ କମ୍ କରିବା,ଆହତଙ୍କୁ ଘରେ ଘରେ ନର୍ସିଂ ଯୋଗାଇ ଦେଉଥିବା ଡାକ୍ତରଙ୍କୁ ନିଯୁକ୍ତ କରିବା, ମୃତକଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ଏବଂ ସରକାରୀ କ୍ଷତିପୂରଣ ପାଇବାରେ ସାହାଯ୍ୟ କରିବା ସାଙ୍ଗକୁ ଅଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମବିଶ୍ୱାସ ଫେରାଇ ଆଣିବା ପୁଣିଆବଶ୍ୟକସ୍ଥଳେ କିପରି ଦକ୍ଷତା ଅନୁଯାୟୀ ସେମାଙ୍କର କର୍ମ ସଂସ୍ଥାନ ବ୍ୟବସ୍ଥା ହୋଇପାରିବ ସେଦିଗରେ ଏବେବି ନିଜର ପ୍ରୟାସ ଜାରି ରଖିଛନ୍ତି ଗୋବିନ୍ଦ ଓ ତାଙ୍କ ସାଥୀମାନେ। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ସେମାନେ ଯଥାସାଧ୍ୟ ଯତ୍ନ ଓ ଥଇଥାନ ର ବ୍ୟବସ୍ଥା ବି ଲାଗିଛନ୍ତି ସେମାନେ।
“ଆମେ ମୃତକଙ୍କୁ ଫେରାଇ ତ ଆଣିପାରିବା ନାହିଁ, କିନ୍ତୁ ଅନ୍ତତଃ ଆମେ ସେମାନଙ୍କ ପ୍ରିୟଜନଙ୍କ ସହ ଠିଆ ହୋଇପାରିବା ଏବଂ ସେମାନଙ୍କ ଦୁଃଖକୁ କମ୍ କରିପାରିବା । ‘ପୁନର୍ଜୀବନ’ ଆଭିଯାନ ସହାୟତାରେ ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ରହୁଥିବା ୨୦୦ରୁ ଅଧିକ ପୀଡ଼ିତଙ୍କ ସମ୍ପର୍କୀୟଙ୍କ ସହ ଆମର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଛି। ଏହି ଦୁଃଖଦ ଦୁର୍ଘଟଣାରେ ପୀଡିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ପୂର୍ବ ଭଳି ନିୟମିତ ଓ ସ୍ୱାଭାବିକ ଜୀବନ ଯାପନ ଯେପରି କରିପାରିବେ ସେ ଦିଗରେ ଆମେ ଏହି ପ୍ରୟାସ ଜାରି ରଖିବୁ।”
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର କାନପୁର ବାସିନ୍ଦା ଗୋବିନ୍ଦ ବଲ୍ଲଭ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଗାଁକୁ ଫେରିଆସି ସମାଜସେବାରେ ନିଯୋଜିତ କରିଥିଲେ ନିଜକୁ। ସମଭାବାପର୍ଣ୍ଣ ଯୁବକଙ୍କର ଏକ ଛୋଟ ଗୋଷ୍ଠୀକୁ ନେଇ’ଯୁବ ବିକାଶ ଟ୍ରଷ୍ଟ’ ନାମକ ଏକ ଯୁବ ସ୍ଵେଚ୍ଛାସେବୀ ସଂଗଠନ ପ୍ରତିଷ୍ଠା କରିଥିଲେ ସେ।। ଗୋବିନ୍ଦଙ୍କ ଉଦ୍ୟମରେ ନିଜ ଗାଁରେ ହିଁ ୨୦୧୦ ମସିହାରେ ଗଢିଉଠିଥିଲା ମୟୂରଭଞ୍ଜ ପବ୍ଲିକ୍ ସ୍କୁଲ ନାମକ ଏକ ଗୋଷ୍ଠୀ ବିଦ୍ୟାଳୟ ଯେଉଁଠି ଆଦିବାସୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତଙ୍କ କିଛି ପିଲାମାନଙ୍କୁ ମଧ୍ୟ ଏଇ ସ୍କୁଲରେ ଶିକ୍ଷା ଦେବାର ବ୍ୟବସ୍ଥା ହୋଇଛି।
ପ୍ରଖ୍ୟାତ ଗାନ୍ଧୀବାଦୀ ଆନ୍ନା ହଜାରେଙ୍କୁ ନିଜର ଆଦର୍ଶ ଭାବେ ବରିନେଇଥିବା ଗୋବିନ୍ଦ ଯୁବକମାନଙ୍କୁ ଚାଷବାସ ମାଧ୍ୟମରେ ଅଥବା ନିଜସ୍ଵ ଉଦ୍ୟୋଗ ପାଇଁ ଉତ୍ସାହିତ କରି ଚାଲିଛନ୍ତି।କିପରି ବ୍ୟବସାୟ ଆରମ୍ଭ କରିହେବ, କିପରି ଉନ୍ନତ ପ୍ରଣାଳୀରେ ଚାଷ କାମ ,ବିହନ ସଂଗ୍ରହ କରିହେବ,ସ୍ଵାବଲମ୍ବୀ ହୋଇ କେମିତି ନିଜ ଗୋଡରେ ନିଜେ ଛିଡା ହେଇପାରିବ ଏସବୁ ଦିଗରେ ଯୁବକ ମାନଙ୍କୁ ଉଚିତ ମାର୍ଗ ଦର୍ଶନ,ପ୍ରୋତ୍ସାହନ ଓ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ତାଙ୍କରି ଉଦ୍ୟମରେ ଗଢି ଉଠିଛି ଓଡ଼ିଶା ଯୁବ ଜାଗରଣ ଯାତ୍ରା ନାମକ ଏକ ଟ୍ରଷ୍ଟ। ସୃଜନଶୀଳ ସମାଧାନର ଉପଯୋଗ କରି ଓ ଯୁବପିଢ଼ିଙ୍କୁ ସାମିଲ କରି ଓଡ଼ିଶାର ଅନୁନ୍ନତ ଅଂଚଳରେ ଜୀବନଧାରଣର ମାନ ରେ ଉନ୍ନତି ଆଣିବା ପାଇଁ ସେ ଯଥାସମ୍ଭବ ପ୍ରୟାସ କରି ଚାଲିଛନ୍ତି ଗୋବିନ୍ଦ।
ସମାଜ ସେବା କ୍ଷେତ୍ରରେ ଗୋବିନ୍ଦଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ବିଭିନ୍ନ ମହଲରୁ ମିଳିଛି ସାଧୁବାଦ। ବିଶେଷ କରି ବାହାନଗା ଟ୍ରେନ ଦୁର୍ଘଟଣା ପ୍ରପୀଡିତ ଙ୍କ ସହାୟତା ପାଇଁ ଗୋବିନ୍ଦ ଓ ତାଙ୍କ ସାଥୀ ମାନଙ୍କର ଆଭିଯାନ “ପୂର୍ଣ୍ଣଜୀବନ”କୁ ବିବିସି ଏବଂ ଦୈନିକ ଭାସ୍କର ଭଳି ପ୍ରସିଦ୍ଧ ସମ୍ବାଦ ସଂସ୍ଥା ମଧ୍ୟ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି।
“ପାଖାପାଖି ୩୦୦ ଲୋକଙ୍କ ଜୀବନ ନେଇଥିବା ବାହାନଗା ଟ୍ରେନ୍ ବିପର୍ଯ୍ୟୟ ଓଡ଼ିଶାବାସୀଙ୍କର ଉପରେ ଏକ ଅଭୂଲା ଦୁଃଖର ଛାପ ଛାଡ଼ିଛି। ମୁଁ ସେହି ସମସ୍ତ ଦୟାଳୁ ବ୍ୟକ୍ତିଙ୍କ ପାଖରେ ବିଶେଷ କୃତଜ୍ଞ ଯେଉଁମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅନେକ ମୂଲ୍ଯବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା । ଭବିଷ୍ୟତରେ ବି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସହାୟତା କରିବାକୁ ଆମେ ସବୁବେଳେ ପ୍ରସ୍ତୁତ।”
ନିଃସ୍ଵାର୍ଥ ସମାଜ ସେବାକୁ ଜୀବନର ବ୍ରତରୂପେ ବରି ନେଇଥିବା ଗୋବିନ୍ଦ ବଲ୍ଲଭଙ୍କୁ ଆମର ଅଜସ୍ର ଶୁଭକାମନା !