ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଡୁଗୁଡୁଗା ଗାଁ ରେ ଘର ଯୁବ ଚାଷୀ ରାଜେଶ ବିଶ୍ଵାଳଙ୍କର। ତେବେ ଆଖପାଖ ଅଞ୍ଚଳରେ ସମସ୍ତେ ଆଦରରେ ତାଙ୍କୁ ଡାକନ୍ତି ‘’ମହୁଆ ମିଟୁ‘’ କାରଣ ମହୁମାଛି ପାଳନ ଆଉ ମହୁ ଚାଷ ତାଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର। ନିଜର ଦୁଇ ଏକର ଜମିରେ ୭୦ରୁ ଉର୍ଦ୍ଧ୍ଵ ମହୁ ବାକ୍ସ ବସାଇ ସେ ନିଜେତ ମହୁଚାଷ କରନ୍ତି ତା’ସହିତ କିଛି ସ୍ଥାନୀୟ ଚାଷୀଙ୍କୁ ରୋଜଗାର ବି ଯୋଗାଇ ଦେଇପାରୁଛନ୍ତି। ମହୁମାଛି ପାଳନରେ ତାଙ୍କର ଅଧ୍ୟବସାୟ ଓ ଅନୁଭୂତି ଆଜି ଅନେକ ଚାଷୀଙ୍କର ଜୀବନ ଜୀବିକା କୁ ସଫଳତାର ଏକ ନୂଆ ମୋଡ ଦେବାରେ ସହାୟକ ହୋଇଛି । ଲାଭଜନକ ମହୁଚାଷରେ ଆଗ୍ରହୀ ଚାଷୀଙ୍କ ପାଇଁ ସାରା ଓଡିଶାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଉନ୍ନତ ମହୁମାଛି ପାଳନ ର ପ୍ରଶିକ୍ଷଣ ଦେଇଥାନ୍ତି ରାଜେଶ ।ଏଯାବତ ୨୦୦ରୁ ଉର୍ଦ୍ଧ୍ଵ ଆଗ୍ରହୀ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସଫଳ ମହୁଚାଷୀ ଭାବେ ଗଢି ପରିଛନ୍ତି।
ଚାଷ ଆମର କୌଳିକ ବୃତ୍ତି ତେଣୁ ବିଭିନ୍ନ ଚାଷ କାମରୁ ମତେ ଆନଦ ହିଁ ମିଳିଥାଏ। ତେବେ ମହୁ ଚାଷରେ ମୋର ଅନୁଭବ ମତେ ସୁଯୋଗ ଦେଇଛି ଅନେକଙ୍କ ଜୀବନ ଜୀବିକାର କଲ୍ୟାଣ କରିବା ପାଇଁ । ୧୦ମ ଶ୍ରେଣୀ ପାଠପଢା ସାରିବା ପରେ ମୋର ପରିସ୍ଥିତି ମତେ ବାଧ୍ୟକରିଥିଲା ସୁଦୂର ତାମିଲିନାଡୁ ଯାଇ ଏକ କମ୍ପାନୀରେ ଛୋଟିଆ ଚାକିରିଟିଏ କରିବାପାଇଁ ତେବେ ନିଜ ପାଇଁ ନିଜ ମାଟି ପାଇଁ କିଛି କରିବା ଉଦେଶ୍ୟରେ ମୁଁ ଫେରିଆସିଲି ଘରକୁ । ଆଉ ଅନେକ ପ୍ରତିକୂଳ ପରିସ୍ଥିତି ଝଡାଝଞ୍ଜା ଭିତରେ ବି ୨୦୧୧ ମସିହାରୁ ମହୁମାଛି ପାଳନ କରି ମହୁଚାଷ କରୁଛି । ଆମ ସାକ୍ଷୀଗୋପାଳରେ ଥିବା ଉଦ୍ୟାନ ବିଭାଗ ସହାୟତାରେ ମୁଁ ଏଥିପାଇଁ ପ୍ରଥମେ ପ୍ରଶିକ୍ଷଣ ନେଇଥିଲି । ଏଇ ସମୟରେ ଭୁବନେଶ୍ଵର ଓୟୁଏଟିର ମହୁଚାଷୀ ବିଜ୍ଞାନୀ ଡାଃ ବିକାଶ ପାତ୍ରଙ୍କ ସହ ପରିଚୟ ହୁଏ । ସେ ହିଁ ମୋତେ ଉନ୍ନତ ଧରଣର ମହୁମାଛି ଚାଷ କେମିତି ସୁରୁଖୁରୁରେ କରି ପାରିବା ସହିତ କିଭଳି ଅଧିକ ପରିମାଣର ମହୁ ସଂଗ୍ରହ କରି ବଜାରରେ ବିକ୍ରି କରିପାରିବା ସେ ଦିଗରେ ପରାମର୍ଶ ଦେଇଥିଲେ ।
ଓୟୁଏଟି ରେ ପ୍ରଶିକ୍ଷଣ ପାଇ ରାଜେଶ ସଫଳତ ହେଲେ, ପ୍ରକାରାନ୍ତରେ ନିଜର ଆଗ୍ରହ ଅଧ୍ୟବସାୟ ବଳରେ ନିଜେ ଜଣେ ପ୍ରଶିକ୍ଷକ ମଧ୍ୟ ବନିଗଲେ। କଳାହାଣ୍ଡି , ନବରଙ୍ଗପୁର ,ଫୁଲବାଣୀ ,ଭୁବନେଶ୍ବର ,ଆଠଗଡ , ମୟୂରଭଞ୍ଜ , ଆଦି ଓଡିଶା ର ବିଭିନ୍ନ ପ୍ରାନ୍ତ ରେ ରାଜେଶଙ୍କ ପ୍ରଶିକ୍ଷଣ ଓ ପରାମର୍ଶ ନେଇ ମହୁ ଚାଷରୁ ଲାଭବାନ ହେଉଛନ୍ତି । ମହୁଚାଷରେ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ଉପକରଣ ସବୁ ମଧ୍ୟ ପ୍ରସ୍ତୁତ କରି ସେ ଯୋଗାଇ ଥାନ୍ତି ଆଗ୍ରହୀ ଚାଷୀଙ୍କୁ। ସଫଳ ମହୁଚାଷର ପ୍ରଶିକ୍ଷଣ ପାଇଁ ରାଜ୍ୟ ଉଦ୍ୟାନ ବିଭାଗ, ଓୟୁଏଟି,ଆଦି ବିଭିନ୍ନ ଅନୁଷ୍ଠାନ ତରଫରୁ ରାଜେଶ ପୁରସ୍କୃତ ବି ହୋଇଛନ୍ତି। ।
ଚାଷବାଷ କରି ଆଜିକାଲି ବଞ୍ଚିବା କଷ୍ଟ ବୋଲି ଅନେକେ କହନ୍ତି, ସେଥିପାଇଁ ଜମିବାଡି ଥିଲେ ବି ଚାଷ ପାଇଁ ଆମ ଯୁବପିଢୀ ଆଗ୍ରହ ରଖୁନାହାନ୍ତି। ମତେ କିନ୍ତୁ ଲାଗେ ଚାଷ କାମ ଯାହାର କେତେ ସୁଖ ତାହାର । ଚାଷ ପରି ଆନନ୍ଦ ଦାୟକ ଜୀବିକା ଆଉ କୌଣସି କାମରୁ ମିଳିବନି । ଗତ ଫନି ବାତ୍ୟାରେ ମହୁମାଛି ବାକ୍ସ ଉପରେ ବଡବଡ ଗଛ ପଡିଯିବା ସହିତ ମୋର ମହୁ ବାକ୍ସ ସବୁ ନଷ୍ଟ ହୋଇଯାଇଥିଲା ସେହି ସମୟରେ ମତେ ବହୁତ ଆର୍ଥିକ ଚାପର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ମନବଳକୁ ଦୃଢ ରଖି ପୁଣିଥରେ ମହୁମାଛି ଚାଷ ଆରମ୍ଭ କରିଥିଲି। ଏବେ ମହୁରୁ ମୁଁ ଭଲ ଦି ପଈଷା ରୋଜଗାର କରିପାରୁଛି। ପୁଣି ବିଭିନ୍ନ ବିଭିନ୍ନ ଫଳ, ନଡିଆ, ପନିପରିବା ମୁଁ ଚାଷ କରି ସଫଳତା ପାଇଛି।ଥାଇଲାଣ୍ଡ ଅପୁଲ, ଜାତିଆ ପିଜୁଳି, ସବୁ ପନିପରିବା ଆପଣ ପାଇ ପାରିବେ ମୋ ବିଲରେ। ତିନୋଟି ପୋଖରୀ ରେମାଛଚାଷ ବି କରୁଛି । ଏ ସବୁରୁ ମୁଁ ନିଜେ ରୋଜଗାର ତ କରୁଛି କିଛି ଲୋକଙ୍କ ର ଅନ୍ନ ସଂସ୍ଥାନ ଯୋଗାଡ ହେଇ ପାରୁଛି।
ଖାଲି ମହୁଚାଷ ନୁହେଁ ସାମଗ୍ରିକ ଭାବେ କୃଷି କର୍ମକୁ ଜୀବନ ର ବ୍ରତ କରି ନିଜ ଜୀବିକା ସମ୍ଭାଳିବା ସହିତ କୃଷି କର୍ମ ବିମୁଖ ଆଜିର ପିଢୀକୁ ଚାଷବାସ ଦିଗରେ ପ୍ରେରିତ କରି ଚାଲିଥିବା ମହୁଆ ମିଟୁ (ରାଜେଶ ବିଶ୍ଵାଳ)ଙ୍କୁ ଆମର ହୃଦୟଭରା ଶୁଭକାମନା ।