ଗତ 16 ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ 400 ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ୩୮ ବର୍ଷୀୟ ପଙ୍କଜ
ସ୍ବାର୍ଥ ନ ଥିଲେ ଆଜିର ଦୁନିଆରେ କେହି କାହାକୁ ଖୋଜୁନାହାନ୍ତି। ବର୍ତ୍ତମାନର ପିଢ଼ି ଏ ସମ୍ପର୍କର ମୂଲ୍ୟବୋଧକୁ ଏକରକମ ପାଶୋରି ଗଲାଣି। ଜ୍ଞାତି, ପରିଜନଙ୍କୁ ଅସୁବିଧାରେ ସାହାଯ୍ୟ କରିବା ପୂର୍ବରୁ ଆମକୁ ଭାବିବାକୁ ପଡ଼ୁଛି। ଏପରି ସ୍ଥିତିରେ ଅଜଣା ଲୋକଟେ ପାଇଁ ଦରଦ ଆସିବ କିପରି । ଏକବିଂଶ ଶତାବ୍ଦୀର ସ୍ମାର୍ଟ ଯୁଗର ବଡ଼ବଡ଼ିଆଙ୍କ ପାଇଁ ଏକ ଆଖିଦୃଶିଆ ଉଦାହରଣ ପାଲଟିଛନ୍ତି ପଙ୍କଜ କୁମାର ତରାଇ।
ଜଗତସିଂହପୁର କୁଜଙ୍ଗ ବ୍ଲକ୍ସ୍ଥିତ ହସିନା ଗ୍ରାମର ବାସିନ୍ଦା ହେଲେ ୩୮ ବର୍ଷୀୟ ପଙ୍କଜ। ବୃତ୍ତିରେ ଜଣେ ଟ୍ରକ୍ ଚାଳକ, ସମସ୍ତଙ୍କର ସେ ହେଲେ ପ୍ରିୟ ଡ୍ରାଇଭର୍ ଭାଇ। ଏଇ ନାଁଟିରେ ପାଖଆଖ ୧୦ ଖଣ୍ଡ ଗାଁରେ ପଙ୍କଜ ଲୋକପ୍ରିୟ। ସୁନା ହୃଦୟର ମଣିଷଟେ। ଜଗତସିଂହପୁରର ଯେ କୌଣସି ଅଞ୍ଚଳରେ ରାସ୍ତା ଦୁର୍ଘଟଣା ହେଲେ, କିଛି ସମୟ ମଧ୍ୟରେ ପଙ୍କଜଙ୍କ ପାଖେ ଖବର ପହଞ୍ଚିଯାଏ। ଏଇ ଯୁବକଜଣକ ଖବର ପାଇବା ମାତ୍ରକେ ନିଜ ତତ୍ପରତା ଦେଖାନ୍ତି। ସାଙ୍ଗେସାଙ୍ଗେ ନିଜେ ପହଞ୍ଚିବାକୁ ଚେଷ୍ଟା କରନ୍ତି, ନଚେତ୍ ଯୋଗାଯୋଗ କରି ଅନ୍ୟ କାହାକୁ ପଠାଇ ଦିଅନ୍ତି। ଦୁର୍ଘଟଣାରେ ଆହତ ଲୋକଟି ଯେପରି ଶୀଘ୍ର ଚିକିତ୍ସା ସେବା ପାଉ, କେବଳ ସେହି ଗୋଟିଏ ଲକ୍ଷ୍ୟ ପଙ୍କଜଙ୍କର ଥାଏ। ଜଗତସିଂହପୁରର ପ୍ରିୟ ଡ୍ରାଇଭର୍ ଭାଇନା ଏଇ କାମ ଆଜିକାଲି ଆରମ୍ଭ କରିନାହାନ୍ତି। ୧୬ ବର୍ଷ ହେଲା ସେ ଏହି ମାନବସେବା କରିଆସୁଛନ୍ତି।
୨୦୦୫ରେ କଟକ-ପାରାଦୀପ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ପଙ୍କଜଙ୍କ ଆଖି ସାମ୍ନାରେ ଏସବୁ ଘଟିଥିଲା। ଆହତ ଲୋକଙ୍କ ଉଦ୍ଧାର ପାଇଁ କେହି ନିଜନିଜ ଗାଡ଼ିରୁ ଓହ୍ଲାଇନଥିଲେ। ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା ସତ କିନ୍ତୁ ଦେଖଣାହାରୀ ଏସବୁରୁ ଦୂରେଇରହିବାକୁ ଚାହିଁଲେ। ଏହି ଘଟଣାଟି ପଙ୍କଜଙ୍କ ମନରେ ଗଭୀର ରେଖାପାତ କଲା। ଅସ୍ଥିର, ଅଥୟ ହୋଇଗଲେ ସେ।
ଏଇ କ’ଣ ଦୁନିଆ, ଯେଉଁଠି କାହା ପାଇଁ କାହାର ମୋହ ଟିକେ ନାହିଁ। ଛଟପଟ ହୋଇ ଆହତ ଲୋକମାନେ ପ୍ରାଣ ହରାଉଛନ୍ତି କିନ୍ତୁ ଅନ୍ୟମାନେ ବିପଦରେ ନ ପଡ଼ିବାକୁ ଭାବି ନୀରବଦ୍ରଷ୍ଟା ହୋଇ ସେସବୁ ଦେଖୁଛନ୍ତି। ଅନ୍ୟ କାହାଠାରୁ ବୃଥା ଆଶା କରିବା ପରିବର୍ତ୍ତେ ସେ ନିଜେ ପ୍ରଥମେ ଆଗକୁ ବଢ଼ିଲେ। ରାସ୍ତାଘାଟରେ ତାଙ୍କ ଆଖି ସାମ୍ନାରେ ଦୁର୍ଘଟଣା ହେବା ମାତ୍ରକେ ପଙ୍କଜ ଆଗପଛ ବିଚାର କଲେନି। ସଙ୍ଗେସଙ୍ଗେ ଆଶୁଚିକିତ୍ସାର ବ୍ୟବସ୍ଥା କରି ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ। ଗଲା ୧୬ ବର୍ଷ ମଧ୍ୟରେ ୪୦୦ଜଣ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସେ ଡାକ୍ତରଖାନାରେ ପହଞ୍ଚାଇଥିବାବେଳେ ୩୦୦ଜଣଙ୍କ ଜୀବନ ରକ୍ଷା କରିପାରିଛନ୍ତି। ସାଧାରଣ ଟ୍ରକ୍ ଡ୍ରାଇଭର୍ ଜଣେ ସେ, କିନ୍ତୁ ମନ ତାଙ୍କର ଭାରି ବଡ଼। ନିଜ ରୋଜଗାରର ୨୫% ସେ ଏହି ଦୁର୍ଘଟଣାଗ୍ରସ୍ତ ଆହତଙ୍କ ସେବା ଚିକିତ୍ସାରେ ଖର୍ଚ୍ଚ କରନ୍ତି।
ରାସ୍ତାଘାଟରେ ଏହି ଅପରିଚିତ ଲୋକଙ୍କ ଦୁର୍ଘଟଣା ସମୟରେ ରକ୍ଷା କରିବାର ଦାୟିତ୍ବ ପଙ୍କଜ ପକ୍ଷେ ଏକା ସମ୍ଭାଳିବା ସହଜ କଥା ନଥିଲା। ଧୀରେଧୀରେ ସେ ଲୋକଙ୍କୁ ଏସବୁ ବାବଦରେ ଜଣାଇ ଏକ ଛୋଟ ସଙ୍ଗଠନଟେ ଗଢ଼ିଛନ୍ତି। ସଙ୍ଗଠନର ନାମ ‘ଦେବଦୂତ ସଙ୍ଗଠନ’ ରଖାଯାଇଛି। ଏ ଭିତରେ ୨୫ଜଣ ଲୋକ ସଦସ୍ୟ ହୋଇସାରିଲେଣି। ଏତେ ବର୍ଷ ମଧ୍ୟରେ ଡ୍ରାଇଭର୍ ଭାଇନାଙ୍କର ଲୋକ ସମ୍ପର୍କ ମଧ୍ୟ ବଢ଼ିଛି। ଆଜିର ସ୍ମାର୍ଟ ଯୁଗରେ ଜଗତସିଂହପୁର ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ହ୍ବାଟସ୍ ଆପ୍ ଗ୍ରୁପ୍ ମଧ୍ୟ ରହିଛି। କେଉଁଠି ଛୋଟ, ବଡ଼ ଦୁର୍ଘଟଣା ହେଲା ମାତ୍ରକେ ପଙ୍କଜ କିମ୍ବା ଅନ୍ୟ ଜଣେ ସହଯୋଗୀ ଯଥା ଶୀଘ୍ର ଦୂତ ଭଳି ପହଞ୍ଚିଯାନ୍ତି।
ସତରେ ସାଧାରଣ ଡ୍ରାଇଭର୍ ଜଣେ, କିନ୍ତୁ ସମସ୍ତଙ୍କୁ ଏକ ସୁନ୍ଦର ଶିକ୍ଷା ଦେଇପାରିଛନ୍ତି, ‘ଏଇ ତ…ଜୀବନ…….’।