ଲୋକଙ୍କ ଲୋଭ, ଲାଳସାକୁ ଦେଖି ଏହି ସଂଗ୍ରାମୀଜଣକ ନିର୍ବାକ୍ ପାଲଟିଯାଇଛନ୍ତି। ଅନ୍ତର୍ଜାତୀୟ, ଜାତୀୟ ବଜାରରେ ହେଉଥିବା ପାଇରେସିକୁ ଅଟକାଇବାକୁ ସେ ସ୍ଥିର କରିଛନ୍ତି। ନିଜର ଏହି ସଂଗ୍ରାମରେ ସେ କେବଳ ଚାଷୀ ଭାଇଙ୍କ ସାହାଯ୍ୟ ଚାହୁଁଛନ୍ତି। ଏହି ବିଦ୍ବାନ୍ ବ୍ୟକ୍ତିତ୍ବଜଣକ ହେଲେ ଦେବଲ୍ ଦେବ।
ଧାନ ବିହନ ଗବେଷକ ଡକ୍ଟର ଦେବଲ୍ ଦେବ ସମଗ୍ର ବିଶ୍ବରେ ତାଙ୍କ ଗବେଷଣା ପାଇଁ ଚର୍ଚ୍ଚିତ। କେହିକେହି ତାଙ୍କୁ ‘ଫୋକ୍ ରାଇସ୍ ସିଡ୍ ସାର୍’ ବୋଲି ମଧ୍ୟ ସମ୍ବୋଧନ କରନ୍ତି। ନିଜ ଗବେଷଣା ପାଇଁ ସେ ଆଦିବାସୀବହୁଳ ସୁନ୍ଦର ସ୍ଥାନଟିଏ ମନୋନୀତ କରିଛନ୍ତି। ସହରର ଭିଡ଼ଠାରୁ ଯଥେଷ୍ଟ ଦୂରରେ ରାୟଗଡ଼ା ଜିଲାର କେରାଣ୍ଡିଗୁଡ଼ା ଗାଁରେ ଡକ୍ଟର ଦେବଲ୍ ଗବେଷଣା କରୁଛନ୍ତି। ୧୯୯୭ରୁ ତାଙ୍କର ଏହି ଦେଶୀ ଧାନ ବିପ୍ଳବ ଆରମ୍ଭ ହୋଇଛି। ତାଙ୍କ ସେନାବାହିନୀରେ ଆଦିବାସୀମାନେ ମଧ୍ୟ ଅଛନ୍ତି।
![](https://inspiringodisha.com/wp-content/uploads/2021/12/6indigenous-rice-preservation-by-debal-deb-rayagada1-1024x484.jpg)
ଆଜିର ଭାରତୀୟ ଖାଦ୍ୟ ବଜାରକୁ ଦେଖି ଡକ୍ଟର୍ ଦେବଲ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ସବୁଠାରେ ହାଇବ୍ରିଡ୍ ବିହନ ଚାଷ। ଦେଶୀ ବିହନ ଚାଷ କରିବାରେ ଚାଷୀଙ୍କର ଆଗ୍ରହ ନାହିଁ। କାରଣ ଗ୍ରାହକଙ୍କୁ ହାଇବ୍ରିଡ୍ ବିହନ ଚାଷର ଭାତ ହିଁ ପସନ୍ଦ ଆସୁଛି। ୧୨ହଜାର ବର୍ଷ ପୂର୍ବେ ଭାରତରେ ଧାନ ଚାଷ ଆରମ୍ଭ ହୋଇଥିବାର ଇତିହାସର ପୃଷ୍ଠା କହେ। ଦିନେ ଆମ ଦେଶରେ ୧ଲକ୍ଷ ୧୦ହଜାର ପ୍ରକାରର ଦେଶୀ ବିହନ ମହଜୁଦ୍ ଥିଲା। ସେମସୟରେ ଚାଷୀ ନିଜ ଅଞ୍ଚଳର ଭୌଗୋଳିକ ସ୍ଥିତ, ଚାଷ ଜମିକୁ ଦେଖିପରଖି ଚାଷ କରୁଥିଲେ। ୧୯୫୫ ପରେ ସମଗ୍ର ଭାରତରେ ସବୁଜ ବିପ୍ଳବ ଆରମ୍ଭ ହେଲା। ସେବେଠାରୁ ହାଇବ୍ରିଡ୍ ବିହନର ଆଦର ବଢ଼ିଲା। ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍ ବିହନରେ ଚାଷ କଲେ। ତା’ ପରଠାରୁ ଚାଷୀ ପୂର୍ବଭଳି ଦେଶୀ ବିହନକୁ ଆଉ ଆଦର କଲେନି। ଅଲୋଡା ପାଲଟିଯାଇଛି ଦେଶୀ ବିହନ। ଏଥରେ ଯେ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଅଛି, ସେ କଥାକୁ ମଧ୍ୟ ଆମେ ଗୁରୁତ୍ବ ଦେଉନାହୁଁ।
ଆମ ଆଗାମୀ ପିଢ଼ି ଏସବୁ ଦେଶୀ ବିହନ ସମ୍ପର୍କରେ ଜାଣିବା ଜରୁରୀ ବୋଲି ଗବେଷକ ଦେବଲ୍ ଦେବ ଅନୁଭବ କରିଥିଲେ। ଗଲା କିଛି ବର୍ଷର ଅନୁସନ୍ଧାନ ପରେ ସେ ୧,୫୦୦ ପ୍ରକାରର ଦେଶୀ ବିହନ ସଂଗ୍ରହ କରି ଚାଷ ମଧ୍ୟ କରୁଛନ୍ତି। ଆଦିବାସୀ ମୁଲକରେ ୨.୫ ଏକର ଜମିରେ ଚାଲିଛି ତାଙ୍କ ଗବେଷଣା।ଏହି ଜମିର ନାମ ସେ ବସୁଧା ଦେଇଛନ୍ତି। ଡକ୍ଟର ଦେବଲଙ୍କ ପ୍ରଚାରରେ ଅନୁପ୍ରାଣିତ ହୋଇ ତାଙ୍କ ପାଖକୁ ରାଜ୍ୟ ଓ ରାଜ୍ୟ ବାହାରୁ ଚାଷୀମାନେ ପରାମର୍ଶ ନେବାକୁ ଆସୁଛନ୍ତି।
ଗବେଷକ ସମସ୍ତଙ୍କୁ ଦେଶୀ ବିହନ ଚାଷ ପାଇଁ ଉତ୍ସାହିତ କରୁଛନ୍ତି। ସେ ୧କିଲୋ ପ୍ୟାକେଟ୍ର ବିହନ ଚାଷୀମାନଙ୍କୁ ଦେବା ସହ ଗୋଟିଏ ସର୍ତ୍ତ ମଧ୍ୟ ରଖନ୍ତି। ଯେପରି ଫେରସ୍ତ ୨କିଲୋ କରିବେ, କାରଣ ଏହା ଦ୍ବାରା ପ୍ରମାଣ ହେବ ଯେ ଚାଷୀଜଣକ ସେଇ ବିହନରେ ଚାଷ କରିଛନ୍ତି। ଗଲା ୩ ବର୍ଷ ମଧ୍ୟରେ ୨ହଜାରରୁ ଅଧିକ ଚାଷୀ ତାଙ୍କଠାରୁ ଦେଶୀ ବିହନ ନେଇ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ବାଣ୍ଟିଛନ୍ତି। ଏହା ମଧ୍ୟରେ ୩୫୦ ପ୍ରକାରର ଦେଶୀ ବିହନ ଡକ୍ଟର ଦେବଲ୍ ଚାଷୀଙ୍କ ମଧ୍ୟରେ ବାଣ୍ଟିଛନ୍ତି।
ଦେଶୀ ବିହନର ବିପ୍ଳବରେ ଡକ୍ଟର ଦେବଲ୍ ସଫଳ ହୋଇଛନ୍ତି। ଇତିମଧ୍ୟରେ ୧୧ଟି ଦେଶର ଗବେଷକ, ଛାତ୍ର ଦେବଲଙ୍କ ବସୁଧାର ରୂପ ଦେଖିଗଲେଣି। ପ୍ରାଚୀନ ତତ୍ତ୍ବକୁ ପୁନର୍ଜୀବିତ କରିବାର ତାଙ୍କର ଏହି ଚେଷ୍ଟାକୁ ସମସ୍ତେ ପ୍ରଶଂସା କରିଛନ୍ତି। ବସୁଧାରେ ତାଙ୍କ ସୁନ୍ଦର ଫାର୍ମ ହାଉସ୍ଟି ମଧ୍ୟ ସମସ୍ତଙ୍କୁ ଶିକ୍ଷା ଦେଉଛି। ଇଟା, ସିମେଣ୍ଟ କିମ୍ବା ଅନ୍ୟ କୌଣସି ସାମଗ୍ରୀରେ ଘରକୁ ତିଆରି କରାଯାଇନାହିଁ। ପରିବେଶ ଅନୁକୂଳ ଏହି ଘରଟିର ପଥର, ମାଟିରେ ତିଆରି। ଖରାଦିନେ ଥଣ୍ଡା ଓ ଶୀତଦିନେ ଉଷୁମ ସ୍ପର୍ଶ ଦେଇଥାଏ ଫାର୍ମହାଉସ୍ର ଏହି ଘରଟି।
![](https://inspiringodisha.com/wp-content/uploads/2021/12/5indigenous-rice-preservation-by-debal-deb-rayagada1.jpg)
ଆଜିର ପିଢ଼ି ପାଇଁ ଗବେଷକ ଡକ୍ଟର ଦେବଲ ଦେବ ଏକ ଆଦର୍ଶ। ପ୍ରାଚୀନତାରେ ହିଁ ସୌନ୍ଦର୍ଯ୍ୟତା ଓ ଆମ ପରିଚୟ ଉଭୟ ଲୁଚି ରହିଛି। ଏସବୁକୁ ପାଶୋରି ଆଧୁନିକତା ପଛରେ ଆମେ ଧାଇଁଚାଲିଛେ। ସେଇ ପ୍ରାଚୀନତାର ମୂଲ୍ୟ ବୁଝାଇବାକୁ ଡକ୍ଟର ଦେବଲଙ୍କ ଚେଷ୍ଟା ସତରେ ପ୍ରଶଂସନୀୟ।