ନରାଜ ଗାଁର କାହ୍ନୁ ବେହେରାଙ୍କୁ ଲୋକେ ଡ଼ାକୁଛନ୍ତି ପିକକ୍ ମ୍ୟାନ୍ ନାଁରେ । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ବନ ପାହାଡ଼ ଘେରା ନରାଜ ଅଂଚଳରୁ ଉଡ଼ିଆସନ୍ତି ଦଳ ଦଳ ମୟୁର । ୨୩ ବର୍ଷ ବୟସ୍କା କାହ୍ନୁଙ୍କ ପ୍ରତିଦିନର କାମ ହେଲା ମୟୁରଙ୍କୁ ଖାଦ୍ୟ ଦେବା । ନିଜ ଜେଜେବାପା ପାଣୁ ବେହେରାଙ୍କ ମୃତ୍ୟୁ ପରେ ଏ ମୟୁରଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କାହ୍ନୁ ସମର୍ପିତ କରିଛନ୍ତି ନିଜକୁ ।
ମୋ ଜେଜେବାପା ଜଣେ ହୋମଗାର୍ଡ ଥିଲେ ଏବଂ ନାରାଜ-ସିଦ୍ଧେଶ୍ୱର ଫାୟାରିଂ ରେଞ୍ଜ ନିକଟରେ ଥିବା ଏକ ଘରେ ରହୁଥିଲେ । ୧୯୯୯ ମହାବାତ୍ୟା ସମୟରେ ଏକ ଆହତ ମୟୂରକୁ ସେ ଘରକୁ ଆଣି କିଛି ଖାଦ୍ୟ ଦେଲେ । ତା ପରଦିନ ଆଉ ଦୁଇ ତିନିଟି ମୟୁର ସେଠାକୁ ଆସିଲେ । ସେ ସେମାନଙ୍କୁ ମଧ୍ୟ ଖାଇବାକୁ ଦେଲେ, ସେମାନେ ସମସ୍ତେ ମୋ ଜେଜେ ବାପାଙ୍କ ଖାଇବା ଦେବାକୁ ଅପେକ୍ଷା କରିବାକୁ ଲାଗିଲେ । ସେବେ ଠାରୁ କ୍ରମଶଃ ମୟୂରଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।
୨୦୧୩ ରେ ପାଣୁ ବେହେରା କିନ୍ତୁ ଶ୍ୱାସ ରୋଗରେ ଆକ୍ରାନ୍ତ ହେଲେ ଏବଂ ନାତି କାହ୍ନୁଙ୍କୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କ ସହିତ ଯିବା ଆରମ୍ଭ କରିବାକୁ କହିଥିଲେ । ଦିନେ ସେ ମୋତେ ତାଙ୍କ ସହିତ ମୟୂର ଖାଇବାକୁ ଦେବାକୁ କହିଥିଲେ । “ମୁଁ ମୟୂର ଏବଂ ମୋ ଜେଜେବାପାଙ୍କ ମଧ୍ୟରେ ବନ୍ଧନ ଦେଖିଲି ଯେତେବେଳେ ସେ ଡାକିଲେ ରାଜା ଆ ଆ..ତାଙ୍କ ସାମ୍ନାରେ ପ୍ରାୟ ୧୦ରୁ ୧୫ ମୟୂର ଭିଡ଼ ହେଲା ଓ ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା” ବୋଲି କାହ୍ନୁ କହନ୍ତି ।
“ମୋ ଜେଜେବାପାଙ୍କ ଦେହ କଃମଶ ଅଧିକ ଖରାପ ହେବାରୁ କଟକସ୍ଥିତ ଏସସିବି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି, ସେ ମୟୂର ବିଷୟରେ ପଚାରିଥିଲେ ଓ ମୋତେ କହିଥିଲେ ଯେ, ମୟୂର- ସେମାନଙ୍କର ଖାଦ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୋତେ ସେଠାରେ ରହିବାକୁ । ଯେତେବେଳେ ସେ ଆରପାରିକୁ ଚାଲିଗଲେ, ଆମେ ତାଙ୍କର ଶେଷ ଇଚ୍ଛା ପୂରଣ କରି ତାଙ୍କ ମୃତ ଶରୀରକୁ ଏଇ ମୟୁର ଉପତ୍ୟକାକୁ ଆଣିଥିଲୁ । ଶୋକରେ ମୟୂରଗୁଡ଼ିକ ମଧ୍ୟ ତାଙ୍କ ମୃତ ଶରୀରର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ରହିଥିଲେ ଓ ତାଙ୍କ ମୃତ୍ୟୁର ପ୍ରାୟ ଚାଳିଶ ଦିନ ପର୍ଯ୍ୟନ୍ତ ମୟୁରମାନେ ଖାଇବାକୁ ଆସି ନଥିଲେ ।
“ତା’ପରେ ମୁଁ ଦାୟିତ୍ବ ଗ୍ରହଣ କଲି ଏବଂ ମୋ ଜେଜେବାପାଙ୍କ ପରି ରାଜା ଆ ଆ.. ଡାକିବାକୁ ଲାଗିଲି । ସେମାନେ ଧୀରେ ଧୀରେ ଆସିବାକୁ ଲାଗିଲେ ଓ ମୋ ହାତରୁ ଖାଇଲେ । କ୍ରମଶଃ ସେମାନଙ୍କ ସଖ୍ୟା ବି ବଢ଼ିବାକୁ ଲାଗିଲା ।”
ପଲ ପଲ ମୟୁର ଏଠାକୁ ଆସୁଥିବାରୁ କ୍ରମଶଃ ଲୋକେ ଏହି ସ୍ଥାନକୁ “ପିକକ୍ ଭ୍ୟାଲି” ବା ମୟୁର ଉପତ୍ୟକା ନାଁରେ ଜାଣିଲେ । ଯଦିଓ ଏହି ଅଞ୍ଚଳଟି ଏକ ଫାୟାରିଙ୍ଗ୍ ରେଞ୍ଜ ଅଟେ କିନ୍ତୁ ମୟୂରଗୁଡିକ ନିୟମିତ ଆସନ୍ତି ଓ ଗୁଳିର ଶବ୍ଦ ସେମାନଙ୍କୁ ପ୍ରଭାବିତ କରେ ନାହିଁ । ଏବେ ମୟୁର ମାନଙ୍କୁ ସଖ୍ୟା ବଢ଼ି ୧୫୦ ରୁ ଅଧିକ ହେଲାଣି ।ଆଉ ଆମ ଏଇ ଜାତୀୟ ପକ୍ଷୀକୁ ଦେଖିବା ପାଇଁ ଏବେ ଏଠାକୁ ପ୍ରତିଦିନ ଶହ ଶହ ଲୋକଙ୍କ ସୁଅ ଛୁଟୁଛି ।
“ମୁଁ ଖୁସି ଯେ ମୋ ପରିବାର ମୋତେ ସମର୍ଥନ କରୁଛନ୍ତି । ମୋ ବାପା ଓଡିଶା ପୋଲିସର ଜଣେ କନେଷ୍ଟେବଳ । ସେ ମୟୂର ପାଇଁ ଖାଦ୍ୟ କିଣିବା ପାଇଁ ମାତେ ଟଙ୍କା ଦିଅନ୍ତି । ମୟୂର ଦେଖିବା ପାଇଁ ଆସୁଥିବା ଲୋକମାନେ ମଧ୍ୟ ମୟୁରଙ୍କ ଖାଦ୍ୟ ପାଇଁ ଦାନ କରନ୍ତି । ଲୋକଙ୍କ ଆଶୀର୍ବାଦ ମୋ ସହ ଅଛି ଓ ମୁଁ ମଲା ପର୍ଯ୍ୟନ୍ତ ଖୁସିରେ ଏ କାମ କରିବି“ ବୋଲି କାହ୍ନୁ କହନ୍ତି ।