ଡାକ୍ତରଙ୍କୁ ଯଦି ଦେବତା ବୋଲି କୁହାଯାଏ, ତେବେ କୋରାପୁଟର ଆଦିବାସୀ ଜନଜାତିମାନଙ୍କ ପାଇଁ ମୀନାରାଣୀ ହେଉଛନ୍ତି ଦେବଦୂତ । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବା ANM ଭାବରେ କୋରାପୁଟର ଦଶମନ୍ତପୁର ପରି ଦୁର୍ଗମ ଓ ଆଦିବାସୀବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ସରକାରୀ ଯୋଜନାମାନଙ୍କର ସୂଚନା, ବିଭିନ୍ନ ରୋଗବୈରାଗର ଚିକିତ୍ସା ବାର୍ତ୍ତା ଓ ଔଷଧ ବିତରଣ କରୁଥିବା ମୀନାରାଣୀ ବେହେରା ଗ୍ରାମବାସୀଙ୍କ ପାଇଁ ପାଲଟିଛନ୍ତି ଆଶା ଭରଷା ଓ ଜିଣିଛନ୍ତି ସ୍ନେହ ଆତ୍ମୟୀତା । ତାଙ୍କର ନିରବିଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ଓ ସଂଘର୍ଷ ଦ୍ୱାରା ଦଶମନ୍ତପୁର ପରି ପଛୁଆ ଅଞ୍ଚଳରେ ସୁଧୁରିପାରିଛି ସ୍ୱାସ୍ଥ୍ୟ ଅବସ୍ଥା ।
ଗାଁର ସ୍ଥାନୀୟ ଅଧିବାସୀମାନେ ମୀନାରାଣୀଙ୍କୁ ‘ମା’ କିମ୍ବା ‘ଦିଦି’ ଭାବେ ସମ୍ବୋଧନ କରନ୍ତି ଓ ତାଙ୍କୁ କୌଣସି ଡ଼ାକ୍ତରଙ୍କ ଠାରୁ କମ୍ ମଣନ୍ତି ନାହିଁ । ଗାଁ ଲୋକଙ୍କ ମନ ଓ ବିଶ୍ୱାସ ଜିଣି ସମସ୍ତଙ୍କ ସହାୟତା ଓ ସହଯୋଗରେ ମୀନାରାଣୀ ଏଠାରେ ମା’ ଓ ଶିଶୁ ମୃତ୍ୟୁହାରରେ ଉନ୍ନତି, ବିଭିନ୍ନ ରୋଗବ୍ୟାଧିର ନିବାରଣ ଜନିତ ସଚେତନତା ବୃଦ୍ଧି, ପରିଷ୍କାର ପରିଛନ୍ନତା ରକ୍ଷା, ଔଷଧପତ୍ରର ଯୋଗାଣ ବ୍ୟବସ୍ଥାରେ କେବଳ ବ୍ୟାପକ ସଫଳତା ଆଣିନାହାନ୍ତି, ବିଭିନ୍ନ ରୋଗଦୁର୍ବଳତାକୁ ନେଇ ସେଠାରେ ପ୍ରଚଳିତ ଥିବା ଆଦିମ ଅନ୍ଧବିଶ୍ୱାସ ସବୁକୁ ମଧ୍ୟ କମେଇବାରେ ସେ ସଫଳ ହୋଇପାରିଛନ୍ତି ।
“କୋଭିଡ଼ ସମୟରେ ଆମେ ଗାଁରେ ଗୋଟିଏ ଟୀକାକରଣ ଶିବିରର ଆୟୋଜନ କରିଥିଲୁ ଏବଂ ଲୋକଙ୍କୁ ଆସି ଟୀକାନେବା ପାଇଁ ଅନୁରୋଧ କରିଥିଲୁ । ମୋର ମନେ ଅଛି ଜଣେ ବୃଦ୍ଧଲୋକ ଯିଏ ଠିକ୍ ସେ ଚାଲିବୁଲି ପାରୁନଥିଲେ, ମୁଁ ଡ଼୍ୟୁଟିରେ ଥିବା କଥା ଶୁଣି ନିଜେ ଚାଲି ଚାଲି ବହୁ ଦୂରରୁ ଶିବିରକୁ ଆସିଥିଲେ । ତାଙ୍କର ମୋ ପ୍ରତି ଥିବା ଭରସା ଓ ଭଲ ପାଇବା ମତେ ବହୁତ ଖୁସି ଯୋଗାଇଥିଲା । ଲୋକଙ୍କର ଏଇ ସ୍ନେହ ଓ ସମ୍ମାନ ମତେ ଆହୁରି କାମ କରିଯିବାକୁ ବଳ ଯୋଗାଏ । ଲୋକଙ୍କୁ ଆହୁରି ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଁ ଅଣ୍ଟା ଭିଡ଼େ ।”
ମୀନରାଣୀ ପାଇଁ ପରିସ୍ଥିତି ସବୁବେଳେ କିନ୍ତୁ ଏହିପରି ନଥିଲା । ନବେ ଦଶକରେ ଯେତେବେଳେ ମୀନାରଣୀ ଜଗତସିଂହପୁର ପରି ସ୍ୱଚ୍ଛଳ ଅଞ୍ଚଳରୁ ଯାଇ କୋରାପୁଟ ପରି ଏକ ଅନଗ୍ରସର ଜିଳ୍ଲାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ସମ୍ମୁଖୀନ ହୋଇଥିଲେ ଅନେକ ବାଧାବିଘ୍ନର । ଖାଲଢିପ ପାହାଡିଆ ରାସ୍ତା, ଜଙ୍ଗଲ ଜନ୍ତୁଙ୍କ ଭୟ, ଅନ୍ଧବିଶ୍ୱାସୀ ଆଦିବାସୀଙ୍କ କଠୋର ମାନସିକତା, ଗମନାଗମନର ଅସୁବିଧା, ବିଜୁଳି ସେବାର ଅବ୍ୟବସ୍ଥା ଆଦି ଥିଲା ମୀନାରାଣୀଙ୍କ ନିତିଦିନିଆ ସଂଘର୍ଷର କାହାଣୀ । ଏ ସମସ୍ୟା ସବୁକୁ ଭୟ ନକରି ଲୋକଙ୍କ ମାନସିକତା ବୁଝିବାକୁ ମୀନାରାଣୀ ପ୍ରଥମେ ଲୋକଙ୍କ ସହ ଗାଁରେ ଏକ ଚାଳଘରେ ରହିବାକୁ ଆରମ୍ଭ କରିଥିଲେ । ଆବଶ୍ୟକୀୟ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇବାକୁ ଚେଷ୍ଟା କରିଥିଲେ । କ୍ରମେ ସମୟ ଗଡ଼଼ିବା ସହ ପରସ୍ଥିତି ସୁଧୁରିବାକୁ ଆରମ୍ଭ କରିଥିଲା । ସୃଷ୍ଟି ହେଇଥିଲା ଅନେକ ସୁଯୋଗ ଏବଂ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଥିଲା ।
କୋରାପୁଟ ଠାରେ ମୀନାରାଣୀଙ୍କ ସବୁଦିନ କଟେ ପ୍ରାୟ ଏହିପରି । ଭୋର ୪ଟାରୁ ତାଙ୍କର ଦିନ ଆରମ୍ଭ ହୁଏ । ORS ପ୍ୟାକେଟ୍, ବିଭିନ୍ନ ପ୍ରକାର ଔଷଧ, ପ୍ରେସକ୍ରିପସନ, ଗଜ୍ଜ୍କନା, ଟୀକା ଆଦିକୁ ବ୍ୟାଗରେ ରଖି ସେ ଯାତ୍ରାକରନ୍ତି ପ୍ରାୟ ୪ଟି ୫ଟି ଗାଁକୁ । ପ୍ରତ୍ୟେକ ଦିନ ପ୍ରାୟ ୧୪/୧୫ କିଲୋମିଟର ରାସ୍ତା ଯାତ୍ରା କରି ସେ ଗାଁର ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲେଖି ରଖନ୍ତି । ଏହା ବ୍ୟତୀତ ସ୍ୱଚ୍ଛତା, ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଗ ଦେବାକୁ ଅନୁପ୍ରାଣୀତ କରନ୍ତି ମୀନାରାଣୀ ।
“ଆମକୁ ଯେତେବେଳେ ଅନ୍ୟର ଦୁଃଖ, କଷ୍ଟ ସବୁକୁ ନିଜର ବେଦନା ପରି ଅନୁଭବ ହୁଏ, ତେବେ ତାକୁ ଦୂର କରିବା ପାଇଁ ଆସୁଥିବା ସବୁ ସଂଘର୍ଷ ସମସ୍ୟାର ସାମ୍ନା କରିବା ସହଜ ହୋଇଯାଏ । ଏଇ ସବୁ ଉଠାଣି ଗଡ଼଼ାଣି ରାସ୍ତା ମୋ ମନୋବଳକୁ ଭାଙ୍ଗିବାକୁ କେବେ ସକ୍ଷମ ହେଇନାହାନ୍ତି କାରଣ ମୋ ସହ ଲୋକଙ୍କ ଭଲପାଇବା ରହିଛି, ଯାହା ମତେ ମୋ ହାତ ଗୋଡ଼ ଚାଲୁଥିବା ଯାଏଁ କାମ କରିବାକୁ ଉତ୍ସାହିତ କରୁଥିବ । ମୁଁ ମୋ ନିଜକୁ ଧନ୍ୟ ମଣୁଛି ଯଦି ଲୋକଙ୍କ ଉନ୍ନତି ଘଟିବାରେ ମୋର କିଛି ଭୂମିକା ରହିଛି ବୋଲି କିଏ ଭାବୁଛନ୍ତି । ଯଦି ମୁଁ କିଛି ଭଲ କାମ କରୁଥାଏ, ତେବେ ଆଶା କରୁଛି ସେ କାମ ପାଇଁ ମୁଁ ଏଇ ଅଞ୍ଚଳର ଲୋକମାନଙ୍କ ମନରେ ସବୁଦିନ ରହିବି ।”
୪୫ବର୍ଷିୟ ମୀନାରାଣୀ କୋରାପୁଟଠାରେ କାର୍ଯ୍ୟ କରିବାର ୨୩ ବର୍ଷ ବିତି ଗଲାଣି । ଲୋକଙ୍କ ସେବାରେ ବ୍ରତୀ ହୋଇ ମୀନାରାଣୀ ନିଜେ ବିବାହ କରିବାକୁ ସମୟ ମଧ୍ୟ ପାଇନାହାନ୍ତି । ନିଃସ୍ୱାର୍ଥ ସେବା, ସାଧନା ଓ ସମର୍ପଣ ପାଇଁ ମୀନାରାଣୀ ବେହେରାଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ତରଫରୁ ସାଧୁବାଦ ।