ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି ।
ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି ପ୍ରେରଣାଦାୟୀ ପଦକ୍ଷେପ- ‘କଳାହାଣ୍ଡି ବିହନ ବ୍ୟାଙ୍କ’ ମାଧ୍ୟମରେ ସେ ଦୁର୍ଲଭ ବୀଜ ସବୁକୁ ନିଶ୍ଚିହ୍ନ ହେବାରୁ ବଞ୍ଚାଇ ରଖିବା ସହ ଆଗାମୀ ପିଢ଼ି ପାଇଁ ଏହାକୁ ଲୋକପ୍ରିୟ କରିବାରେ ସଫଳ ହୋଇଛନ୍ତି।
ମାନସଙ୍କ ଯାତ୍ରା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା, ଯେବେ ସେ ତାଙ୍କ ଜନ୍ମସ୍ଥାନ ଧର୍ମଗଡ଼ର ବାଟୁଲ ଗାଁରେ ଏକର ଜମିରେ ୬୨ ପ୍ରକାରର ଦେଶୀ ବିହନର ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ଷ ପରେ ବର୍ଷ ତାଙ୍କର ଉତ୍ସାହ ତ ବଢିଛି, ତା’ସହ ବଢ଼ି ଚାଲିଛି ତାଙ୍କର ବ୍ୟାଙ୍କରେ ବିହନ ସଂଖ୍ୟା । କୋକସରା ବ୍ଲକର ଗୋଟମୁଣ୍ଡା ଗାଁରେ ଥିବା ବ୍ୟକ୍ତିଗତ ଜମିକୁ ମିଶାଇ ଆଜି ସେ ତାଙ୍କର ପ୍ରୟାସକୁ ୧୦ ଏକର ଜମିକୁ ବିସ୍ତାରିତ କରିଛନ୍ତି । ଏଠାରେ ସେ ଧାନ, ପରିବା, ଡ଼ାଲି, ମାଣ୍ଡିଆ ଓ ତେଲଯୁକ୍ତ ବିହନ ଉତ୍ପାଦନ କରିବା ସହ ଚାଷ କାମରେ ନିଜକୁ ନିୟୋଜିତ କରିଛନ୍ତି । ମାନସଙ୍କ ବିହନ ବ୍ୟାଙ୍କରେ ସର୍ବମୋଟ ୮୧୬ ପ୍ରକାରର ଧାନ ବିହନ ରହିଛି ଯାହା ମଧ୍ୟରେ ୧୦୦ ପ୍ରକାରର ବାସୁମତୀ ଧାନ, ୧୭ ପ୍ରକାରର କଳା ଧାନ, ୩ ପ୍ରକାରର ସବୁଜ ଧାନ ଓ ୮୦ ପ୍ରକାରର ପୋଷଣଯୁକ୍ତ ଲାଲ ଧାନ ସାମିଲ। ଏହା ସହିତ ଦୁଇ ପ୍ରକାରର କୁହୁକ ଧାନ ରହିଛି, ଯାହାକୁ ରୋଷେଇ ନକରି କେବଳ ପାଣିରେ ଭିଜାଇ ଖିଆଯାଇପାରିବ । କିନ୍ତୁ ମାନସଙ୍କ ବିହନ ବ୍ୟାଙ୍କ କେବଳ ଧାନରେ ସୀମିତ ନୁହେଁ । ତାଙ୍କ ବ୍ୟାଙ୍କରେ ୭୩୦ ପ୍ରକାରର ପରିବା, ୧୬୦ ପ୍ରକାରର ମାଣ୍ଡିଆ, ୪୨ ପ୍ରକାରର ଡ଼ାଲି ଓ ୮ ପ୍ରକାରର ତେଲଯୁକ୍ତ ବିହନ ବି ସଂଗ୍ରହ ହୋଇ ଅଛନ୍ତି ।
“ହଜାର ହଜାର ଦେଶୀ ବିହନ କେବଳ ଅବହେଳା ଓ ହାଇ ଇଲ୍ଡ ବିହନ ଉପରେ ନିର୍ଭରଶୀଳତା ପାଇଁ ନିଶ୍ଚିହ୍ନ ହୋଇଗଲେ । ମୋ ଅନୁଭବରେ ସବୁଜ ବିପ୍ଳବ ଦ୍ୱାରା ଆସିଥିବା ପରିବର୍ତ୍ତନ, ଯଦିଓ ପ୍ରାରମ୍ଭରେ ଲାଭଦାୟକ ଥିଲା, ତାହାର ଦୀର୍ଘକାଳୀନ ପରିଣାମ ଥିଲା ମୃର୍ତ୍ତିକା ଅବକ୍ଷୟ, କୀଟ ପ୍ରାଦୁର୍ଭାବ ବୃଦ୍ଧି ଏବଂ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି । ଏବେ ସମୟ ଆସିଛି, ଆମେ ପୁଣି ଦେଶୀ ବୀଜ ଓ ପ୍ରାକୃତିକ ଚାଷ ପ୍ରକ୍ରିୟାକୁ ଫେରାଇ ଆଣିବା, ଯାହା ପରିବେଶ ପାଇଁ ଅନୁକୂଳ, ଶସ୍ତା ଓ ରୋଗ ପ୍ରତିରେଧକ।”
ମାନସଙ୍କ ଉଦ୍ୟମ ଏବେ ସେ ଅଂଚଳର ଅନେକ ଚାଷୀଙ୍କୁ ପ୍ରଭାବିତ କରୁଛି ଯେଉଁମାନେ ଦେଶୀ ବୀଜର ସଂରକ୍ଷଣ କରିବା ସହ ଏବଂ ଜୈବିକ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି । ଏହା ସହ ଘଇଈଇଜଊ ଅଧିକାରୀ, ଛାତ୍ର ଓ ଗବେଷକମାନେ ମଧ୍ୟ ତାଙ୍କ ବୀଜ ବ୍ୟାଙ୍କକୁ ବିଭିନ୍ନ ଗବେଷଣା ପାଇଁ ଆସିବାର ଦେଖାଯାଉଛି ।
ତାଙ୍କର ଏଇ ପ୍ରୟାସ ପାଇଁ ମାନସ ୨୦୧୫ ଏବଂ ୨୦୧୭ରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପାଇଥିଲେ ‘ଜିନ ସେଭିଅର ଆୱାର୍ଡ’ ଏବଂ ୨୦୨୩ରେ ପ୍ରମେୟ ନ୍ୟୁଜ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲା । କିନ୍ତୁ ତାଙ୍କ ପଦକ୍ଷେପ ଦ୍ୱାରା ଆଗାମୀ ପିଢି ଲାଭବାନ ହୋଇପାରିବା ଓ ଭବିଷ୍ୟତରେ କୃଷିରେ ଉନ୍ନତି ଆସିପାରିବା ହିଁ ତାଙ୍କ ପାଇଁ ପ୍ରକୃତ ପୁରସ୍କାର ହେବ ବୋଲି ମାନସଙ୍କ ବିଶ୍ୱାସ ।