ସୁନ୍ଦରଗଡ଼ ଜିଲାର ବରଗାଁ, ଗାଁଲୋକେ ଥଣ୍ଡା, କାଶ, ଜ୍ବର ହେଲେ ଡାକ୍ତର ପାଖକୁ ଯିବା ପୂର୍ବରୁ ଆଗେ ମାତିଲଦା ଦିଦିକୁ ଖୋଜନ୍ତି। ଦିଦିଙ୍କୁ ଦେଖିଦେଲେ, ସମସ୍ତଙ୍କ ମୁହଁରେ ଫୁଟିଉଠେ ଚେନାଏ ହସ। ପିଲାଠୁ ବୁଢ଼ା ତାଙ୍କୁ ଦେଖିଲେ ସମସ୍ତେ ଫୂର୍ତ୍ତି ହୋଇଯାନ୍ତି। ଗାଁଉଲିଆ ଲୋକଙ୍କର ମାତିଲଦାଙ୍କ ଉପରେ ଅଗାଢ଼ ବିଶ୍ବାସ।
ଗଲା ୧୫ ବର୍ଷ ହେଲାଣି, ଆଶା କର୍ମୀ ଭାବେ ନିରନ୍ତର ଏଇ ଗାଁଲୋକଙ୍କ ସେବାରେ ନିଜକୁ ବ୍ରତୀ କରିଛନ୍ତି ମାତିଲଦା। ରାତିରୁ ସକାଳ ପହରକୁ ଅପେକ୍ଷା କରିଥାନ୍ତି। ସୁରୁଜ ଉଇଁଲା ମାତ୍ରେ ତାଙ୍କ ସାଇକଲର ଯାତ୍ରା ଆରମ୍ଭ ହୁଏ। ଅନ୍ଧବିଶ୍ବାସର କଳା ବାଦଲକୁ ସେଇ ଗାଁ ଊପରୁ ହଟାଇବା ପାଇଁ ମାତିଲଦା କିଛି କମ୍ ତ୍ୟାଗ କରିନାହାନ୍ତି। କିଛି ବର୍ଷ ତଳେ ସ୍ଥାନୀୟ ବାସିନ୍ଦା ଝଡ଼ା ଫୁଙ୍କ କରି ରୋଗ ଦୂରେଇବାର ଏହା ଏକମାତ୍ର ଉପଚାର ବୋଲି ଭାବୁଥିଲେ। ମାତିଲଦା ଆଶାକର୍ମୀ ଭାବେ ନିଯୁକ୍ତି ପାଇବା ପରେ ଅଣ୍ଟା ଭିଡ଼ିଲେ, ଯେମିତି ହେଉ…ଅନ୍ଧବିଶ୍ବାସରୁ ଗାଁଲୋକଙ୍କୁ ବାହାର କରିବେ। ଓଲଟା ଗାଁଲୋକେ ତାଙ୍କୁ ଘୃଣା କଲେ। କେହିକେହି ଅସ୍ପୃଶ୍ୟ ବୋଲି ମଧ୍ୟ କହିଲେ। ମାତିଲଦା ଘରପାଖକୁ ଆସିଲେ, ମା..ମାଉସୀମାନେ ତାଙ୍କ ମୁହଁରେ କବାଟ କିଳିଦେଲେ। ଅପମାନବୋଧ ତ’ ତାଙ୍କୁ ହେଲା, କିନ୍ତୁ ସେ ହାର ମାନିଲେନି। ସାଧାରଣ ଗାଁଲୋକଙ୍କୁ ଅନ୍ଧକାରର ଏହି ଜାଲରୁ ମୁକୁଳିଇବାକୁ ମାତିଲଦା ଆହୁରି ଦୃଢ଼ମନା ହେଲେ। ଶେଷରେ ବିଜୟର ଧ୍ବଜା ଉଡ଼ାଇଲେ ଆଶାକର୍ମୀ ମାତିଲଦା କୁଲୁ।
ଗାଁଲୋକଙ୍କ ବିଶ୍ବାସ ଆଜି ସେ ଜିତିପାରିଛନ୍ତି। ଏବେ ଗାଁରେ କାହାକୁ ଥଣ୍ଡା, ଜ୍ବର, ହେଲେ ସେ ମାତିଲଦାଙ୍କ ଘରକୁ ଔଷଧ ପାଇଁ ଦୌଡ଼ି ଆସୁଛି।ନିରୀହ ଗାଁଲୋକଙ୍କ ମନରୁ ସେଇ ଅସ୍ପୃଶ୍ୟତାର ଘୃଣା ଭାବ ଆଉ ନାହିଁ। କରୋନା ସମୟରେ ମାତିଲଦା ବଡ଼ ଗାଁରେ ଦେବୀ ରୂପ ନେଇଥିଲେ କହିଲେ ଚଳେ। ନିଜେ ସତର୍କ ରହି ଗାଁଲୋକଙ୍କୁ ସତର୍କ ଓ ସଚେତନ କରାଇଲେ। ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା, ଟୀକା ନେବା, କେହି ଯଦି ଘରେ ସଂକ୍ରମିତ ହେଲା, କ’ଣ କରିବ, ଏସବୁ ବାବଦରେ ମାତିଲଦା ସଚେତନ କଲେ।
ଜଣେ ଆଶା କର୍ମୀ ଭାବେ କାମ କରି ସେ ମାତ୍ର ୪, ୫୦୦ ଟଙ୍କା ମାସିକ ପାଊଣା ପାଉଛନ୍ତି। ମୂଲ୍ୟ ଏବେ ଦୁର୍ମୂଲ୍ୟ ହୋଇଯାଇଛି। ଏସମୟରେ ମାତିଲଦା କିଛି ଆଖିଦୃଶିଆ ବେତନ ପାଉନାହାନ୍ତି କିନ୍ତୁ ଏହି କାରଣରୁ ନିଜ କର୍ତ୍ତବ୍ୟପରାୟଣତାରୁ ସେ ଓହରିନାହାନ୍ତି ମଧ୍ୟ। ବୋଧହୁଏ ତାଙ୍କ ପରିଶ୍ରମର ମୂଲ୍ୟ ଭାବେ ମାତିଲଦା ଆଜି ‘ଫୋବର୍ସ ନାୟିକା’ ପାଲଟିଛନ୍ତି। ମାତିଲଦା ଆଜି ପୂରା ବିଶ୍ବରେ ଚର୍ଚ୍ଚିତ ନାମଟେ, ତାଙ୍କ କାମର ସୌନ୍ଦର୍ଯ୍ୟକୁ ପ୍ରତିଭା କରି ସେ ଫୋବର୍ସ ତାଲିକାରେ ଅନ୍ୟ ସଫଳ ମହିଳାଙ୍କ ପରି ନିଜ ନାମକୁ ଅଳଙ୍କୃତ କରିପାରିଛନ୍ତି। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ମାତିଲଦାଙ୍କ କୃତିତ୍ବ ପାଇଁ ଗର୍ବିତ ଅନୁଭବ କରୁଛି।