ସଫଳ ହେବା ପାଇଁ କ’ଣ ଦରକାର…..ଆଜିର ପିଢ଼ି କିଏ କହେ ଉଚ୍ଚଶିକ୍ଷା ତ’ ଆଉ କାହାର ଯୁକ୍ତି ହେଲା ଉନ୍ନତ ଜ୍ଞାନ କୌଶଳ ଦରକାର। ମେଟ୍ରୋ ସହରର ଯୁବପିଢ଼ିଙ୍କ ଧାରଣା ଯେ ଗାଁଗହଳିରେ ରହି ସଫଳ ହେବା ଅସମ୍ଭବ। ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିରଜା କ୍ଷେତ୍ର ଯାଜପୁରର ଝିଅ ସୁଭଦ୍ରା ମହାନ୍ତି।
ଯାଜପୁରର ବନ୍ଦୋଳ ଗାଁ ବାସିନ୍ଦା ଅଜୟ ମହାନ୍ତି। ଚାଷବାସରେ ତାଙ୍କ ଘର ଚଳେ। ପରିବାର କହିଲେ ୪ ପ୍ରାଣୀର କୁଟୁମ୍ବ। ସେ, ତାଙ୍କ ପତ୍ନୀ, ଝିଅ ଓ ପୁଅ। ନିଜେ ଜଣେ କୃଷକ କିନ୍ତୁ ପିଲାଙ୍କ ପାଠପଢ଼ାକୁ ସେ ଆଦୌ ଅଣହେଳା କରୁନଥିଲେ। ପୁଅର ଇଂଜିନିୟରିଂ ପାଠ ପଢ଼ା ପାଇଁ ଅଜୟଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା। ଗାଁର ଜଣେ ଚିହ୍ନା ପରିଚିତଙ୍କ ପାଖରୁ ୫୦ହଜାର ଟଙ୍କା କରଜ କରି ଆଣିଲେ। ମନରେ ଦମ୍ଭ ଥିଲା, ଅମଳରୁ ହେଉଥିବା ଲାଭ ଟଙ୍କାରେ ସେ ନିଶ୍ଚୟ ଏହି ଋଣ ପରିଶୋଧ କରିବେ। ଦଇବ କିନ୍ତୁ ଯେମିତି ଦାଉ ସାଧିଲା। ସେଇ ବର୍ଷ ଫସଲ ଭଲ ନ ହେବାରୁ ଖୁବ୍ କ୍ଷତି ହେଲା। ବିଚରା ଅଜୟ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ। ଘର ଚଳାଇବା କାଠିକର ହୋଇଗଲା। କେବଳ ଯାହା ଖିର ବ୍ୟବସାୟରୁ ଅଳ୍ପ କିଛି ଟଙ୍କା ମିଳୁଥାଏ। ଏପାଖେ ଋଣ ଟଙ୍କାର ସୁଧ ବଢ଼ିଚାଲିଲା। ଘରର ଏହି ଶୋଚନୀୟ ପରିସ୍ଥିତିକୁ ସୁଧାରିବାକୁ ସୁଭଦ୍ରା ସ୍ଥିର କଲେ। ବାପାଙ୍କ କାନ୍ଧର ବୋଝକୁ ନିଜେ ନେଲେ। ୨୧ ବର୍ଷର ଝିଅ ସୁଭଦ୍ରା, ଯୁକ୍ତ ୨ କଳାର ଛାତ୍ରୀ ସେ। ବୁଦ୍ଧି ପାଞ୍ଚିଲା। ଘର ପାଖ ପିଲାଙ୍କୁ ଟ୍ୟୁସନ୍ ଆରମ୍ଭ କଲେ। ମାସ କେଇଟାରେ ସେଇ ପିଲାଙ୍କ ସଂଖ୍ୟା ବଢ଼ି ୪୦ରେ ପହଞ୍ଚିଲା। ଏହି ଟ୍ୟୁସନ୍ ଆୟରୁ ଧୀରେଧୀରେ ସେ ବାପାଙ୍କ ହାତ ଉଧାରି ସୁଝିଦେଲେ। ଏହା ପରେ ସେ ଆଉ ହାତ ଧରି ବସିଲେନି। ଆଗକୁ ବଢ଼ିବାର ପରବର୍ତ୍ତୀ ଯୋଜନା କଲେ। ଚାଷବାସ କରିବା ସହ ଏକ ଅଟାର ଛୋଟ କଳଟେ ତିଆରି କଲେ। ସେସବୁ କାମ କରିବା ସହ ଛତୁ ଫାର୍ମର ଆରମ୍ଭ କଲେ।
ଭୋର ୫ଟାରୁ ସୁଭଦ୍ରାଙ୍କ ଦିନର ଆରମ୍ଭ ହୁଏ। ନିତ୍ୟକର୍ମ ସାରି ଚାଷକ୍ଷେତକୁ ଆଗେ ଧାଇଁଯାନ୍ତି। ସେଠି ଦିନ ୯ଟା ଯାଏଁ ଦେଖାରଖା କରି ଘରକୁ ଫେରନ୍ତି। ଏହା ପରେ ଘରର ଯାବତୀୟ କାମ ସାରି ପାଖଆଖ ୪ ଖଣ୍ଡ ଗାଁରୁ ଖିର ସଂଗ୍ରହ କରି ନିକଟସ୍ଥ ଡାଏରୀ ଫାର୍ମରେ ପହଞ୍ଚାଇବାର ଦାୟିତ୍ବ ସେ ନେଇଛନ୍ତି। ଏସବୁ ସରିଲା ପରେ ଦ୍ବିପହର ଖାଇବା , ଆଉ ତା’ ସଙ୍ଗେ ଅଟା କଳରେ ଦେଖାରଖା ଓ ଛତୁ ଫାର୍ମର ମଧ୍ୟ କାମ ଚାଲେ। ଏତେ ସବୁ କାମ ସରିବାବେଳକୁ ସନ୍ଧ୍ୟା ୬ଟା। ତା’ ପରେ ସୁଭଦ୍ରାଙ୍କ ଟ୍ୟୁସନ୍ ପର୍ବ ଚାଲେ। ରାତି ୯ଟାବେଳକୁ ଇଞ୍ଜିନ୍ ଭଳି କାମ କରୁଥିବା ଏହି ଝିଅଟିକୁ ବିଶ୍ରାମ ମିଳେ। ଦିନମାନର ଏଇ ଧାଁଧଉଡ଼ରେ ତାଙ୍କୁ ଥକ୍କା ଲାଗେନି ବରଂ ଆତ୍ମସନ୍ତୋଷ ମିଳେ। ଏତେ ସବୁ କାମ କରି ମାସକୁ ୩୦ହଜାର ଟଙ୍କାର ଲାଭ ସେ କରିପାରୁଛନ୍ତି। ଭାଇର ଇଂଜିନିୟରିଂ ପାଠପଢ଼ା ସରିଲାଣି। ସେ ଚାକିରିର ଅନ୍ବେଷଣରେ। ଆଗ ଭଳି ଆର୍ଥିକ ଅସୁବିଧା କି ଋଣର ଚାପ ନାହିଁ ଏହି ପରିବାର ଉପରେ। ବାପା ଅଜୟ ମହାନ୍ତି ଏସବୁର ଶ୍ରେୟ ଝିଅକୁ ହିଁ ଦେଉଛନ୍ତି।
ସତରେ, ବର୍ତ୍ତମାନ ପିଢ଼ିର ପୁଅ-ଝିଅ ମଧ୍ୟରେ ଆଉ କିଛି ତଫାତ୍ ନାହିଁ। ନିଜ ପରିଶ୍ରମ, ନିଷ୍ଠାରେ ସୁଭଦ୍ରା ଘରର ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରିଛନ୍ତି। କେବଳ ଯେ ଉଚ୍ଚଶିକ୍ଷିତ ହେଲେ କିମ୍ବା ଦେଶବିଦେଶରେ ବଡ଼ ଚାକିରି କରି ଜଣେ ସଫଳ ହୋଇପାରିବ, ଏଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ଆମ ବିରଜା କ୍ଷେତ୍ରର ଝିଅ ସୁଭଦ୍ରା। ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିଥିବା ସୁଭଦ୍ରା ଗାଁରେ ଗୋଟିଏ ଅନାଥାଶ୍ରମ ଓ ବୃଦ୍ଧାଶ୍ରମ କରିବାର ଯୋଜନା ରଖିଛନ୍ତି। ଈଶ୍ବର ତାଙ୍କୁ ସଫଳ କରନ୍ତୁ।