କଥାରେ ଅଛି “ଗଛ ଲଗାଇବା କାହାପାଇଁ” ଏହାର ଉତ୍ତର ପାଇଁ ଆପଣଙ୍କ ପିଲାଦିନକୁ ଟିକେ ମନେପକାନ୍ତୁ । ସାଙ୍ଗମାନଙ୍କ ସହ ଗଛରୁ ଆମ୍ବ ପିଜୁଳି ତୋଳି ଖାଇବା ହେଉ କି ମାମୁଁ ଘରକୁ ଯିବା ବାଟରେ ଖରା ଦାଉରୁ ଟିକେ ରକ୍ଷା ପାଇବା ପାଇଁ ବରଗଛ ମୁଳେ ଆଶ୍ରା ନେବା କଥାହେଉ, ଏ ସବୁକଥା ଆପଣଙ୍କୁ ଉତ୍ତର ଖୋଜିବାରେ ସାହାଯ୍ୟ କରିବ । ଭଗବାନଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରେ କିନ୍ତୁ ଖାଲି ଶ୍ରେଷ୍ଠ ହେଲେ ତ ଚଳିବନି, ଜୀବଜଗତ ତଥା ଆମ ପରିବେଶର ସୁରକ୍ଷା ସହ ସମାଜର ପ୍ରଗତିରେ ନିଜ ଯୋଗଦାନ ଦେବାକୁ ପଡ଼ିବ ।
ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ ଯିଏକି ଆମ ସମସ୍ତଙ୍କ ଭଳି ସାଧାରଣ ମଣିଷଟିଏ କିନ୍ତୁ ତାଙ୍କର ପ୍ରେରଣାଦାୟୀ କାମ ପାଇଁ ସେ ଆମ ସମସ୍ତଙ୍କଠୁ ନିଆରା । ନାଁ ସୁବାଷ ଚନ୍ଦ୍ର ନାୟକ, ଘର ନୟାଗଡ଼ ଜିଲ୍ଲାର ଆଙ୍ଗିସିଙ୍ଗି ଗାଁରେ । ୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି । ତାଙ୍କର ବିଶେଷତ୍ୱ ହେଲା ସେ କେବଳ ବର ଓ ଅଶ୍ୱସ୍ଥ ଗଛ ଲଗାଇବାରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହାର କାରଣ ସମ୍ପର୍କରେ ପଚାରିଲେ ସେ କୁହନ୍ତି-
“ବର ଓ ଅଶ୍ୱସ୍ଥ ଗଛ ପରିବେଶରେ ଅମ୍ଳଜାନର ମାତ୍ରା ବୃଦ୍ଧି କରିବାରେ ଅଧିକ ସହାୟକ ହୁଏ । ଜଳବାୟୁ ପରିବର୍ତ୍ତନ ଫଳରେ ତାପପାତ୍ରା ବୃଦ୍ଧି ଓ ସ୍ୱଳ୍ପ ବର୍ଷାଭଳି ପରିସ୍ଥିତି ସୃଷ୍ଟି ହେଉଛି ଯାହାର ପ୍ରମୁଖ କାରଣ ଜଙ୍ଗଲ କ୍ଷୟ ତେଣୁ ପରିବେଶର ସୁରକ୍ଷାରେ ମୋର ଏ ଛୋଟିଆ ଯୋଗଦନ ମୁଁ ଜାରୀରଖିଛି । ବର ଓ ଓ ଅଶ୍ୱସ୍ଥ ଭଳି ଗଛ ବଢ଼ିବାକୁ ସ୍ୱଳ୍ପ ପାଣି ଓ ଯତ୍ନର ଆବଶ୍ୟକ ଥାଏ ଏବଂ ଏହାର କାଠ ପ୍ରାୟ ମଣିଷର କୌଣଷୀ କାମରେ ଲାଗିନଥାଏ ତେଣୁ ଏହାକୁ କଟାଯାଏ ନାହିଁ ଫଳରେ ଏ ଗଛ ଗୁଡ଼ିକ ଶହ ଶହ ବର୍ଷଧରି ପରିବେଶକୁ ଅମ୍ଳଜାନ ଯୋଗାଇ ଥାଏ ।”
ପେଶାରେ ସୁବାଷ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର କଣ୍ଟ୍ରାକ୍ଟର ଭାବେ କାମ କରନ୍ତି କିନ୍ତୁ ଛୋଟବେଳୁ ପରିବେଶର ସୁରକ୍ଷା ଚିନ୍ତା ତାଙ୍କୁ ଗଛ ଲଗାଇବା ପାଇଁ ପ୍ରେରଣା ଯୋଗାଇଥିଲା, ଫଳସ୍ୱରୁପ ଏଯାଏଁ ନିଜେ ପ୍ରାୟ ୨୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି ସେ । ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ ଓ ଚାରା ଉତ୍ପାଦନ କରି ନିଜେ ଲଗାଇବା ସହ ଲୋକଙ୍କୁ ବାଣ୍ଟିବା ତାଙ୍କର ନିତିଦିନିଆ କାମ, ଆଉ ଏହା ସେ ଜୀବନ ଥିବା ଥାଏ କରିଚାଲିଥିବେ ବୋଲି କୁହନ୍ତି ସୁବାଷ । ଏହା ବାଦ ତାଙ୍କ ବାପା ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ପିଲାଟି ଦିନରୁ ପିତାଙ୍କଠାରୁ ସଂଙ୍ଗୀତ ସାଧାନା କରିଥିବା ସୁବାଷ ସଂଙ୍ଗୀତ ଯେତ୍ରରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି କିନ୍ତୁ ବ୍ୟବସାୟିକ ଭିତ୍ତିରେ ନୁହେଁ ବରଂ ଆମର ପୁରୁଣା ଲୋକଗୀତକୁ ସୁରକ୍ଷିତ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ନୂଆନୂଆ ଗୀତ ମଧ୍ୟ ସୃ୍ଷି କରିଛନ୍ତି ସେ । କଳା, ସସ୍କୃତି ପରିବେଶ, ସାମାଜିକ ବ୍ୟବସ୍ଥା, ଗଛ, ଜଙ୍ଗଲ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଷୟରେ ସଙ୍ଗୀତ ତିଆରି କରିବା ସହ ସେ କ୍ଷୁଦ୍ର ଗଳ୍ପମଧ୍ୟ ପ୍ରସ୍ତୁତ କରିଥାନ୍ତି । ୧୯୯୦ ମସିହାରୁ ସେ ଆକାଶବାଣୀ ସହ ଯୋଡ଼ି ହୋଇଛନ୍ତି ଯାହା ଫଳରେ ସେ ପୁରାତନ ଲୋକଗୀତ ଯେମିତି ଢ଼ଣକୋଇଲା, ପାଲା, ଡ଼ାସକାଠିଆ, ମୁଣ୍ଡପୋତା କେଳା, ଏକ୍ତାରା, ଡ଼ୁମ୍ପା ଆଦିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହଜ ହେଉଛି ।
ଲୋକଙ୍କୁ ସଚେତନ କରିବାର ସହଜ ମାଧ୍ୟମ ହେଲା ଲୋକଗୀତ କାରଣ ଏହାକୁ ସମସ୍ତେ ଅତି ସହଜରେ ବୁଝିପାରନ୍ତି । ଏହାଦ୍ୱାରା ୨ଟା ଲାଭ ହେଉଛି ଲୋକମାନେ ସଚେତନ ମଧ୍ୟ ହେଉଛନ୍ତି ଓ ଆମ ଲୋକଗୀତ ମଧ୍ୟ ବଞ୍ଚି ରହୁଛି ।
– ବୋଲି କୁହନ୍ତି ସୁବାଷ
ଏବର୍ଷ ସେ ବର,ଆଶ୍ୱସ୍ଥ ଗଛସହ ତାଳ ଗଛ ମଧ୍ୟ ଲଗାଇବାର ଯୋଜନା କରୁଛନ୍ତି କାରଣ ପରିବେଶ ଓ କୃଷକମାଙ୍କ ପାଇଁ ତାଳ ଗଛର ଯୋଗଦାନ ବେଶ୍ ଅଧିକ । ପରିବେଶ ପାଇଁ ସୁବାଷଙ୍କର ଯୋଗଦାନ ପାଇଁ ୨୦୨୦ ମହିହାରେ ତାଙ୍କୁ ଓଡ଼ିଶା ସରକାରଙ୍କ “ପ୍ରକୃତି ବନ୍ଧୁ ସମ୍ମାନ”ରେ ସମ୍ମାନିତ କରାଯାଇଛି । ଏହାସହ ତାଙ୍କର ଏ ନିସ୍ୱାର୍ଥପର କାମ ପାଇଁ ତାଙ୍କୁ ରାଜ୍ୟପାଳଙ୍କ ଠୁ ଆରମ୍ଭକରି ବିଭିନ୍ନ ମହଲରୁ ପ୍ରଶଂସା ସହ ମିଳିଛି ଅନେକ ପୁରଷ୍କାର ।
ଦୃତଭାବେ ଜଙ୍ଗଲ କ୍ଷୟ ହେଉଥିବା ଏ ସମୟରେ ସୁବାଷ ଚନ୍ଦ୍ର ନାୟକଙ୍କ ପ୍ରଚେଷ୍ଟା ଯେ ନିଶ୍ଚୟ ପରିବର୍ତ୍ତନ ଆଣିବ ଏଥିରେ ତିଳେମାତ୍ର ସଂନେ୍ଦହ ନାହିଁ । କାରଣ ପରିବେଶ ଠିକ୍ ରହିଲେ ଆମେମାନେ ଠିକ୍ ରହିବା,ପୁଣି ଆମ ପରମ୍ପରା ଲୋକଗୀତ, ସାହିତ୍ୟ, କଳା ସଂସ୍କୃତି ସବୁର ସୁରକ୍ଷାର ଦାଇତ୍ୱ ଆମ ସମସ୍ତଙ୍କର । ଆମର ଦାଇତ୍ୱବୋଧକୁ ମନେ ପକାଇଦେଇଥିବା ସୁବାଷ ଆମପାଇଁ ଆମ ସମସ୍ତଙ୍କ ପାଇଁ ଆଦର୍ଶ, ତାଙ୍କୁ ଆମ ଟିମ୍ ତରଫରୁ ଅନେକ୍ ଅନେକ୍ ସାଧୁବାଦ ।