କଥାରେ ଅଛି ଏକ ଫଟୋ ବା ଚିତ୍ର ହଜାରେ କଥା କହିଥାଏ । ଏଇ ଫଟୋ ହିଁ ସ୍ମୃତିକୁ ସାଇତି ରଖିବାର ଏକ ଉତ୍କୃଷ୍ଟ ମାଧ୍ୟମ ମଧ୍ୟ । ସମୟ ବିତିଯାଏ କିନ୍ତୁ ଅତୀତର ସାଥୀ ହେଇ ରହିଯାଏ ଏଇ ଫଟୋ । ଏଇପରି ସୁନ୍ଦର ଓ ପ୍ରେରଣାଦାୟୀ ମୁହୁର୍ତ୍ତ ସବୁକୁ ଫଟୋ ମାଧ୍ୟମରେ ସାଇତି ରଖୁଛନ୍ତି ରଞ୍ଜନ କୁମାର ପାତ୍ର । ପେସାରେ ଯୋଗ ଶିକ୍ଷକ କିନ୍ତୁ ଫଟୋ ଉଠାଇବା ତାଙ୍କର ନିଶା । ତାଙ୍କୁ ଭଲ ଲାଗୁଥିବା ପ୍ରତ୍ୟେକ ମୁହୁ୍ର୍ତ୍ତକୁ ନିଜ କ୍ୟାମେରାରେ କଏଦ୍ କରିବାକୁ ଚେଷ୍ଟା କରନ୍ତି ସେ । ପ୍ରକୃତି, ଜୀବଜନ୍ତୁ ତ ଆଉ କେତେବେଳେ ଅଜଣା ଜାଗାରେ ଅଜଣା ଲୋକଙ୍କ ଫଟୋ ଉଠାନ୍ତି ରଞ୍ଜନ । କଥା ସେତିକିରେ ଅଟକି ଯାଏନି । ନିଜ ଉଠାଇଥିବା ଫଟୋକୁ ବନ୍ଧେଇ କରି ସେହି ବ୍ୟକ୍ତିଙ୍କୁ ଉପହାର ଆକାରରେ ଦିଅନ୍ତି ସେ । ତାଙ୍କର ଏହି କାର୍ଯ୍ୟ ହସ ଫୁଟାଏ ଲୋକଙ୍କ ମୁଁହରେ । ଆଉ ସେଥିପାଇଁ ତ ଅନ୍ୟସବୁ ଫଟୋଗ୍ରାଫରଙ୍କ ତୁଳନାରେ ସେ ବେଶ ନିଆରା ।
ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ୨୦୨୦ ଜୁନ୍ ମାସରୁ ଏମିତି ଖୁସି ସାଉଁଟିବାର ପର୍ବ ଆରମ୍ଭ କରିଛନ୍ତି ରଞ୍ଜନ । ଆଉ ଏଇ ଅଭିଯାନର ନାଁ ଦେଇଛନ୍ତି “ଟିକିଏ ଖୁସି” । ଭଦ୍ରକ ଶହୀଦନଗରର ରାମହରି ପାତ୍ର ଓ ସ୍ୱର୍ଗତ ସେବତୀ ପାତ୍ରଙ୍କ ପୁଅ ରଞ୍ଜନ ଏବେ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ କ୍ରିଡ଼ା ଓ ଯୋଗ ଶିକ୍ଷକ ଭାବେ କାର୍ଯ୍ୟରତ ।
ଅନେକ ଫଟୋ ପ୍ରତିଯୋଗିତା ଜିତିଥିଲେ ମଧ୍ୟ ଲୋକଙ୍କୁ ଫଟୋ ବାଣ୍ଟିବାରେ ଯେଉଁ ଆତ୍ମ ସନ୍ତୁଷ୍ଟି ମିଳେ ତାହା ଆଉ କେଉଁଠାରେ ନଥାଏ ।
ନିଜ ନିଶା ଫଟୋଗ୍ରାଫି ଭଳି ନିଜର ପେଶା ଶିକ୍ଷକତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତି ରଞ୍ଜନ । ପିଲାଟି ଦିନରୁ ଯୋଗ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା ଓ ନିଷ୍ଠା । ଫଳସ୍ୱରୁପ ୨୦୧୬ରେ ସେ କଳାହାଣ୍ଡି ଆଦର୍ଶ ବିଦ୍ୟାଳୟରେ ଯୋଗ ଓ କ୍ରିଡ଼ା ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । କ୍ରମଶଃ ଚାକିରିରୁ ଉପାର୍ଜିତ ଅର୍ଥରେ କିଣିଲେ ଗୋଟେ କ୍ୟାମେରା ଆଉ ସେବେଠାରୁ ଆରମ୍ଭ ହେଲା ତାଙ୍କର ଫଟୋଗ୍ରାଫି ଯାତ୍ରା । ୨୦୧୭ ରେ ନିଜ ଉଠାଇଥିବା ଫଟୋ ପାଇଁ ଏକ ପ୍ରତିଯାଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଫଟୋ ଉଠାଇବା ପାଇଁ ଅଧିକରୁ ଅଧିକ ପ୍ରେରଣା ଯୋଗାଇଲା । ଏବେ ଚାକିରି ସମୟରୁ ଟିକେ ଫୁରସତ୍ ମିଳିଲେ କ୍ୟାମେରା ନେଇ ବାହାରି ପଡ଼ନ୍ତି ସେ ଆଉ ନିଜ କ୍ୟାମେରାରେ କଏଦ କରନ୍ତି ସୁନ୍ଦର ମୁହୁର୍ତ୍ତ ଓ ସ୍ମୃତି ସବୁକୁ ।
ଏଯାଏଁ ପ୍ରାୟ ୧୦୦ ରୁ ଅଧିକ ଲୋକଙ୍କୁ ସେମାନଙ୍କ ଫଟୋ ପ୍ରଦାନ କରି ଖୁସୀ ବାଣ୍ଟିସାରିଥିବା ରଞ୍ଜନ କୁହନ୍ତି “ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ “ଟିକିଏ ଖୁସୀ” ଅଭିଯାନ ଜାରି ରଖିବି ।