କୁହାଯାଏ ଡ଼ାକ୍ତର ମାନେ ହେଉଛନ୍ତି ଦେବଦୂତ, କାରଣ ସମାଜ ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନର ପରିସ୍ଥିତିରେ ଆମ ଜୀବନରେ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ବେଶ୍ ବଢ଼ିଯାଇଛି । କିନ୍ତୁ କ୍ରମଶଃ ମହଙ୍ଗା ହେଇଚାଲିଛି ସ୍ୱାସ୍ଥ୍ୟୃସେବା । ସାଧାରଣ ଗରିବ ଲୋକଟେ ଡ଼ାକ୍ତରଙ୍କ ପାଖକୁ ଯିବାକୁ ଡ଼ରୁଚି । କିନ୍ତୁ ଏସବୁ ଭିତରେ ଭଲ ଖବରଟେ ହେଉଛି ଆମ ଓଡ଼ିଶାର ଏମିତି ଜଣେ ଡ଼ାକ୍ତର ଅଛନ୍ତି ଯେ ମାତ୍ର ୧ ଟଙ୍କାରେ ଯୋଗାଇ ଦେଉଛନ୍ତି ସ୍ୱାସ୍ଥ୍ୟସେବା ।
ସମ୍ବଲପୁର ଜିଲ୍ଲା ବୁର୍ଲାର କାଚ ମାର୍କେଟ୍ରେ ନିଜର କ୍ଲିନିକ୍ କରିଥିବା ଡ଼ାକ୍ତର ଶଙ୍କର ରାମଚନ୍ଦାନୀ ଲୋକଙ୍କ ଚିକିତ୍ସା କରନ୍ତି ମାତ୍ର ୧ ଟଙ୍କାରେ । ୨୧ ଫେବ୍ରୁଆରୀ ୨୦୨୧ ରେ ସେ ଖୋଲିଛନ୍ତି ଲାଜୱନ୍ତି ୧ ଟଙ୍କିଆ କ୍ଲିନିକ୍ । ନିଜ ମା’ଙ୍କ ନାମରେ ଖୋଲିଥିବା ଏଇ କ୍ଲିନିକ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭାବୀ ମଣିଷଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା । ବୀର ସୁରେନ୍ଦ୍ରସାଏ ଇନ୍ଷ୍ଟିୟୁଟ୍ ଅଫ୍ ମେଡ଼ିକାଲ୍ ସାଇନସ୍ ଏବଂ ରିସର୍ଚ (ଭିମସାର୍) ରେ ବହୁ ବର୍ଷ ଧରି ସହାୟକ ଅଧ୍ୟାପକ ଥିବା ଶଙ୍କର ରାମଚନ୍ଦାନୀ ଏକ ଭଡ଼ାଘରେ ଏ ଚିକିତ୍ସାଳୟକୁ ଚଲାଉଥିବା ବେଳେ ତାଙ୍କୁ ଏଥିରେ ସହଯୋଗ କରନ୍ତି ତାଙ୍କ ସ୍ତ୍ରୀ । ପ୍ରତିଦିନ ୩୦ରୁ ୪୦ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଏ ଏଠାରେ । କଥା ଖାଲି ଚିକିତ୍ସାରେ ସୀମିତ ରହିନି ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କା ବିନିମୟରେ ଓøଷଧ ବି ଯୋଗାଇ ଦିଅନ୍ତି ରାମଚନ୍ଦାନୀ ।
ଲୋକଙ୍କଠୁ ମୁଁ ୧ଟଙ୍କା ଏଥି ପାଇଁ ନେଇଥାଏ, କାରଣ ସେମାନଙ୍କ ସ୍ୱାଭିମାନରେ ଆଞ୍ଚ ନଆସୁ ।
ପିଲାଟି ଦିନରୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ କେତେ ହଇରାଣ ହେବାକୁ ପଡୁଥିଲା ରାମଚନ୍ଦାନୀ ଦେଖିଛନ୍ତି । ପଇସା ଅଭାବରୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ତାଙ୍କ ବାପାଙ୍କ ପକ୍ଷେ ସମ୍ଭବ ନଥିବାରୁ ନିଜ ଜେଜେମା ଓ ମାମୁଁଙ୍କୁ କ୍ୟାନସରରେ ମୃତ୍ୟୁବରଣ କରିଥିବାର ଦେଖିଛନ୍ତି ସେ । ତାଙ୍କ ବାପାଙ୍କ ସବୁବେଳେ ଇଛା ଥିଲା ପୁଅ ଶଙ୍କର ଡ଼ାକ୍ତର ହେଇ ଲୋକଙ୍କ ସେବାକରୁ ଯାହାକୁ ଆଜି ସେ ପୂରଣ କରି ଦେଖାଇଛନ୍ତି ।
ଏଇ ମାତ୍ର ଦୁଇବର୍ଷରେ ସେ ହଜାର ହଜାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସଫଳ ହୋଇଛନ୍ତି । ନିକଟରେ ନିଜ ଜିଲ୍ଲା ବରଗଡ଼ର ପଦ୍ମପୁରରେ ସେ ଏକ ଶାଖା କ୍ଲିନିକ୍ ଖୋଲିଛନ୍ତି । କ୍ଲିନିକ୍ ସହ ରୋଗୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସେ ଏବେ । ଏହାଛଡ଼ା ସେ କୁଷ୍ଠରୋଗ ନିରାକରଣ ପାଇଁ ସଚେତନତା ଅଭିଯାନ କରୁଛନ୍ତି । ୫୩ଟି କୁଷ୍ଠରୋଗୀ ପରିବାରକୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିଛନ୍ତି ।
ଭବିଷ୍ୟତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଇପରି ୧ ଟଙ୍କିଆ କ୍ଲିନିକ୍ ଖୋଲିବାର ଲକ୍ଷ୍ୟରଖିଛନ୍ତି ଶଙ୍କର ରାମଚନ୍ଦାନୀ ।