“ଏଇ ଯେଉଁ ବାତ୍ୟା ୟଶ ହୋଇଥିଲା, ସେଥିରେ ଚାରିଆଡେ ବହୁତ ଘର ଭାଙ୍ଗିଲା, ଗଛ ଉପୁଡିଲା, ଜୁଆର ଆସି ଡଙ୍ଗା ସବୁ ଭାସିଗଲେ । କିନ୍ତୁ ଆମେ ଲକ୍ଷ୍ୟ କଲୁ ଯେଉଁଠି ସବୁ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ଥିଲା, ସେସବୁ ଅଂଚଳ ବାତ୍ୟା ଦାଉରୁ ରକ୍ଷା ପାଇଯାଇଛି । ସେମିତି ବିଶେଷ କିଛି କ୍ଷତି ହୋଇନି । ଏଥିରୁ ଆମେ ଜାଣିଲୁ ସେଇ ଜଙ୍ଗଲ ବାବୁମାନେ ଯାହା କହୁଥିଲେ ତାହ ସତ । ଏଇ ହେନ୍ତାଳ ବଣ ଆମର ଲାଇଫ ଜ୍ୟାକେଟ୍ ପରି । ସେଥିପାଇଁ ଆମେ ସ୍ଥିର କଲୁ ଓ ଏଇ ଜଙ୍ଗଲକୁ ଆହୁରି ବଢେଇବାକୁ ଆମର ଜମି ଦାନ କଲୁ ।” – କୁହନ୍ତି ଦିଲ୍ଲୀପ କୁମାର ମଣ୍ଡଳ ।
ଭିତରକନିକା ଡଙ୍ଗମାଳ ଖମାରସାହି ପଞ୍ଚାୟତର ବାସିନ୍ଦା ଦିଲ୍ଲୀପ କୁମାର ମଣ୍ଡଳ । ଲୁଣା ଜଙ୍ଗଲର ସୁରକ୍ଷା ଓ ପ୍ରସାର ପାଇଁ ସେ ତାଙ୍କର ଦୁଇ ଏଳର ଜମି ରାଜନଗର ବନଖଣ୍ଡକୁ ଦାନ କରି ନିକଟରେ ପରିଚିତ ହୋଇଛନ୍ତି ‘ମ୍ୟାନଗ୍ରୁଭ୍ ମିତ୍ର’ ଭାବେ । କେବଳ ଦିଲ୍ଲୀପ କୁମାର ମଣ୍ଡଳ ନୁହେଁ, ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବନୀକରଣ ପାଇଁ ଆହୁରି ଆଠଜଣ ବ୍ୟକ୍ତି ନିଜ ନିଜ ଜମିକୁ ଦାନ କରିଛନ୍ତି ରାଜନଗର ବନଖଣ୍ଡର ‘ମ୍ୟାନଗ୍ରୁଭ୍ ମିତ୍ର’ କାର୍ଯ୍ୟକ୍ରମରେ ।
ବିଷୁବ ମଣ୍ଡଳୀୟ ଉଷ୍ମ ଓ ଜୁଆରିଆ ଉପକୂଳର ନଦୀ ମୁହାଣ ଓ ଉପକୂଳ କର୍ଦ୍ଦମାକ୍ତ ଭୂମିରେ ବିସ୍ତୃତଭାବେ ଦେଖାଯାଏ ଦ୍ରୁମ, ଗୁଳ୍ମ, ବୁଦା ଓ ବଣୁଆଘାସ ଯାହାକୁ ଲୁଣା ଜଙ୍ଗଲ କୁହାଯାଏ । ଉପକୂଳବର୍ତ୍ତି ଅଚଂଳରେ ସୁରକ୍ଷା କବଚର କାର୍ଯ୍ୟ କରିଥାଏ ଲୁଣା ଜଗଂଲ । ଝଡ ବାତ୍ୟା ଓ ଉତ୍ତାଳ ଜୁଆରର ପ୍ରଭାବକୁ ହ୍ରାସ କରି ଏହା ମୃତିକା କ୍ଷୟକୁ ରୋକିଥାଏ । ଗୃହ ନିର୍ମାଣ ପାଇଁ ଖମ୍ୱ, କାଠ ଗଡ ସହିତ ଜାଳେଣୀ ଓ ଗୋଖାଦ୍ୟ ମିଳେ ଏଇ ଜଙ୍ଗଲରୁ । ଏହା ସହ ଏହି ଜଙ୍ଗଲରୁ ମିଳିଥାଏ ନାନଜାତିର ପୁଷ୍ଟିକର ଫଳ, କୋଳି ଓ କନ୍ଦା ଏବଂ ଅନେକ ରୋଗ ବ୍ୟାଧିର ଚିକିତ୍ସା ପାଇଁ ପାରମ୍ପରିକ ଭେଷଜ ଔଷଧ ।
ନଦୀ ସ୍ରୋତରେ ବହି ଆସୁଥିବା ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଉପାଦାନ ଓ ସହରୀ ବର୍ଜ୍ୟକୁ ବିଶୋଧିତ କରିବାର ଶକ୍ତି ରଖେ ଏଇ ଲୁଣା ଜଙ୍ଗଲ । ବାୟୁମଣ୍ଡଳର ଅଙ୍ଗାରକାମ୍ଳକୁ ମଧ୍ୟ ମାଟିରେ ଗଚ୍ଚ୍ଥିତ ରଖି ପାରିଥାଏ ଲୁଣା ଜଙ୍ଗଲ । ଏହି ଅଞ୍ଚଳର ନଦୀ ଓ ସମୁଦ୍ର ମୁହାଣ ପ୍ରଚୁର ମସ୍ôୟର ଉତ୍ସ ହୋଇଥିବାରୁ ସ୍ଥାନୀୟ ମସ୍ôୟଜୀବୀଙ୍କ ପାଇଁ ଏହା ଆୟର ଏକ ପ୍ରମୁଖ ମାଧ୍ୟମ ଅଟେ । କେତେ ପ୍ରଜାତିର ସାମୁଦ୍ରିକ ଜୀବ ଓ ପକ୍ଷୀଙ୍କର ପ୍ରଜନନ କ୍ଷେତ୍ର ଭାବେ ମଧ୍ୟ ଲୁଣା ଜଗଂଲର ରହିଛି ଅନେକ ମହତ୍ତ୍ୱ ।
ଜାତି ଜାତି ଉଦ୍ଭିଦ ଏବଂ ପ୍ରାଣୀ ସମ୍ପଦକୁ ନେଇ ଜୀବନର ପ୍ରାବାହମାନ ଧାରାରେ ସଦା ସମୃଦ୍ଧ ଲୁଣଜଙ୍ଗଲର ପରିସର । ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ରାଜନଗର ବନଖଣ୍ଡ ଜୈବ ବିବିଧତାରେ ପରିପୂର୍ଣ୍ଣ ଏକ ଅଞ୍ଚଳ । ପରିବେଶ ସନ୍ତୁଳନ ଦୃଷ୍ଟିରୁ ଅନେକ ଗୁରୁତ୍ଵ ବହନ କରେ ଏହି କ୍ଷେତ୍ର l ବର୍ତ୍ତମାନ ସମୟରେ ଏଇ ଲୁଣାଜଙ୍ଗଲର ପରିସର ଦୃତଗତିରେ କମିଚାଲିଛି । ଚାଷବାସ ବିଶେଷ କରି ମାଛଚାଷ ଓ ଚିଙ୍ଗୁଡି ଘେରି ପାଇଁ ହେନ୍ତାଳ ବଣ ଓ ଲୁଣା ଜଙ୍ଗଲର ଅସ୍ତିତ୍ୱ ପ୍ରତି କ୍ରମାଗତ ଭାବେ ବିପଦ ସୃଷ୍ଟି ହେଉଅଛି । ଏଇ ପରିସ୍ଥିତିରେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ରାଜନଗର ବନଖଣ୍ଡର ଉଦ୍ୟମକୁ ସମର୍ଥନ କରି ଦିଲ୍ଲୀପ କୁମାର ମଣ୍ଡଳ ସୃଷ୍ଟି କରିଛନ୍ତି ଏକ ଉଦାହରଣ ।
କେବଳ ବାତ୍ୟା ୟଶ ନୁହେଁ, ୧୯୯୯ ମହାବାତ୍ୟାରେ ମଧ୍ୟ ବିଶେଷ କିଛି କ୍ଷତି ହୋଇନଥିଲା ରାଜନଗର ଅଞ୍ଚଳର । ଚିଙ୍ଗୁଡ଼ିଘେରି ପାଇଁ ହେନ୍ତାଳ ବନଶୂନ୍ୟ ଅନେକ ଗାଁ ଛାରଖାର ହୋଇଯାଇଥିଲା ବେଳେ ଯେଉଁଠି ଥିଲା ଲୁଣାଜଙ୍ଗଲ ତାହା ଦମ୍ଭର ସହ ଜାବୁଡ଼ି ଧରିଥିଲା ମାଟିକୁ , ସୁରକ୍ଷା ଯୋଗାଇଥିଲା ନିଜ ଗାଁକୁ, ଲୋକଙ୍କୁ ଓ ପଶୁ ପକ୍ଷୀଙ୍କୁ । ହେନ୍ତାଳ ବଣ ବା ଲୁଣା ଜଙ୍ଗଲର ସୁରକ୍ଷା ଓ ବୃଦ୍ଧି ପାଇଁ ବନୀକରଣ ପାଇଁ ନିଜ ପୈତୃକ ଜମି ସଂପଦ ଦାନ କରିଥିବା ଏଇ ୮ ଜଣ ମ୍ୟାନଗ୍ରୁଭ୍ ମିତ୍ର ମାନେ ସାରା ରାଜ୍ୟ ପାଇଁ ଏକ ଉଦାହରଣ ।