ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ ଆଖପାଖର ଦଶଟି ଗାଁର ଅନେକ ଚାଷୀଙ୍କୁ ସଫଳ କୃଷି ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ମୁନିଙ୍କର ଅକ୍ଲାନ୍ତ ଉଦ୍ୟମ ତାଙ୍କ ପାଇଁ ଆଣିଦେଇଛି ‘’କୃଷିମିତ୍ର’’ ପଦବୀ ।
ସ୍ୱଳ୍ପ ବୃଷ୍ଟି ସାଙ୍ଗକୁ ଉପଯୁକ୍ତ ଜଳସେଚନ ଅଭାବ ଯୋଗୁ ମାଲକାନଗିରିର କୋୟା ଜନଜାତିର କୃଷକମାନେ ସାଧାରଣତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ଧାନ ଚାଷ କାମ ସାରିଲା ପରେ ଅଭାବି ସଂସାର ଲାଗି ଦିପାଇଷା ରୋଜଗାର କରିବାପାଇଁ ଜିଲ୍ଲା ବାହାରକୁ, ଏପରିକି ଆନ୍ଧ୍ରପ୍ରଦେଶ ପରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏ କଥା ମୁନିଙ୍କୁ ସବୁବେଳେ ବ୍ୟଥିତ କରୁଥିଲା । ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସେ, କିନ୍ତୁ କିପରି?
ମୁନି ଜାଣିବାକୁ ପାଇଲେ ଯେ ଏମ.ଏସ.ସ୍ଵାମୀନାଥନ ରିସର୍ଚ ଫାଉଣ୍ଡେସନ ସହଭାଗିତାରେ ଚାଷୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ୨୦୨୨-୨୩ ମସିହାରେ ମାଲକାନଗିରି ଅଞ୍ଚଳରେ ଏକ ଯୋଜନା ହାତକୁ ନେଇଛନ୍ତି ଯାହା ଦ୍ଵାରା ତାଙ୍କ ଅଞ୍ଚଳର କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ମାଗଣା ରବି ବିହନ ଏବଂ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯିବ । ଏଥିପାଇଁ ସଚତନତା ଓ ଦକ୍ଷତାବୃଦ୍ଧି କାର୍ଯାକ୍ରମମାନ ଅନୁଷ୍ଠିତ ହେଲା । ସରକାରୀ ଯୋଜନା ଏବଂ କୋୟା ଜନଜାତି ର ଚାଷୀଙ୍କ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେକାମ କରିବାରେ ଲାଗିପଡିଲେ ମୁନି । ଜୈବିକ କୃଷି ମାଧ୍ୟମରେ କିପରି ଅଧିକ ଅମଳକ୍ଷମ ଚାଷ କରିହେବ ସେ ନେଇ ମୁନି ଶୀଘ୍ର ଅନେକ ଆଧୁନିକ ଉପାୟ ଶିଖିଲେ । ଏବେତ କୃଷି କ୍ଷେତ୍ରରେ ଡାଲି ଜାତୀୟ ଗଛ (ରବି ବିହନ) ର ମହତ୍ତ୍ୱ, ଏବଂ ଏହାର ମାଟିର ଉର୍ବରତାକୁ ବୃଦ୍ଧି କରିବାର ଗୁଣ, କୃଷି କୀଟ-ପୋକଙ୍କୁ ଦୂର କରିବାର ଉପାୟ, ପଶୁମାନଙ୍କ ଅନୁପ୍ରବେଶକୁ ଏଡ଼ାଇବା ପାଇଁ କିପରି ଚାଷ ଜମିକୁ ସୁରକ୍ଷିତ ଭାବେ ବାଡ କରିବା ଏବଂ ଜୈବିକ ଭର୍ମିନ୍-କମ୍ପୋଷ୍ଟ ତିଆରି କରିବା ଆଦି ଅନେକ ମହତ୍ବପୂର୍ଣ କୃଷି ଜ୍ଞାନକୁ ସେ ଚାଷୀଙ୍କ ଭିତରେ ବାଣ୍ଟୁଛନ୍ତି ବେଶ ପ୍ରଭାବଶାଳୀ ଢଙ୍ଗରେ ।
“କୋୟା ଚାଷୀଙ୍କ ସହ ଯୋଗାଯୋଗ ଓ ସଚେତନତା କାମରେ ଆମର ସବୁଠାରୁ ବଡ ପ୍ରତିବନ୍ଧକ ଥିଲା କମ୍ଯୁନିକେଶନ ବା ଭାଷା । ଏଭଳି ପରିସ୍ଥିତିରେ ମୁନିଙ୍କ ସହ ଯୋଗାଯୋଗ ଆମ କାମକୁ ସୁଗମ କରିଦେଲା ଅଷ୍ଟମ ଶ୍ରେଣୀ ପାଠ ପଢିଥିବା ମୁନି ଓଡିଆ ଭାଷା ସହିତ ପରିଚିତ ଥିଲେ ପୁଣି ନିଜ ଲୋକଙ୍କ ପାଇଁ କିଛି କରିବାକୁ ତାଙ୍କ ଭିତରେ ପ୍ରବଳ ଇଚ୍ଛାଶକ୍ତି ରହିଛି । ଆମ ସହ ଗାଁ ଗାଁ ବୁଲି ଆମର ପ୍ରକଳ୍ପ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମଗୁଡିକର ଲାଭକୁ ପ୍ରଭାବଶାଳୀ ଭାବରେ ଆଦିବାସୀ ଚାଷୀଙ୍କୁ ବୁଝାଉଛନ୍ତି । ମୁନି କୋୟା ଜନଜାତି ଏବଂ ଆମ ପ୍ରତିଷ୍ଠାନ ଭିତରେ ଏକ ସଂଯୋଗର ସେତୁ । ପୁଣି କୋୟା ସମ୍ପ୍ରଦାୟର କୃଷି-ଦାବିକୁ ପ୍ରତିନିଧିତ୍ୱ କରୁଛନ୍ତି ।‘’
କାର୍ତ୍ତିକ ଲେଙ୍କା, ବୈଜ୍ଞାନିକ, ସ୍ଵାମୀନାଥନ ଗବେଷଣା ପ୍ରତିଷ୍ଠାନ
ଅତିରିକ୍ତ ରୋଜଗାରର ଉତ୍ସ ଯୋଗାଇବା ପାଇଁ ମୁନି ଗାଁ ଚାଷୀଙ୍କୁ ଧାନ ଚାଷପରେ ରବି ଫସଲ ପୁଣି ଲାଭଜନକ ମକା, ବାଦାମ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି । କୃଷକମାନଙ୍କୁ ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ପ୍ରଥମେ ନିଜ ଚାଷଜମିରୁ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦ ନିଜପାଇଁ ରଖିବାକୁ ଏବଂ ପରେ ଲାଭକୁ ବଜାରରେ ବିକ୍ରୟ କରିବାକୁ ବୁଝାଉଛନ୍ତି। ମୁନି ପଡିଆ ବ୍ଲକର ସବୁ ଗାଁ ବୁଲି କୃଷକଙ୍କ ଆବଶ୍ୟକତାକୁ ଆକଳନ କରିଛନ୍ତି ଏବଂ କୃଷକଙ୍କ ଚାଷ ସମ୍ବନ୍ଧିତ ସମସ୍ୟାଗୁଡିକୁ ସରକାରୀ ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କୁ ଜଣାଉଛନ୍ତି । ସେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କୃଷକ ସହାୟତା ପ୍ରକଳ୍ପ ବିଷୟରେ ଆଦିବାସୀ ଚାଷୀଙ୍କୁ ସଚେତନ କରାଇଥାନ୍ତି ।
ଗତ ବର୍ଷ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ତାଙ୍କୁ କୃଷି କ୍ଷେତ୍ରରେ ସଚ୍ଚୋଟ ଉଦ୍ୟମ ତଥା ମାଲକାନଗିରିର ଆଦିବାସୀ ପରିବାରବର୍ଗଙ୍କ ପାଇଁ ନିରନ୍ତର ମାର୍ଗଦର୍ଶନ ପାଇଁ ତାଙ୍କୁ ‘କୃଷି ମିତ୍ର‘ ଭାବରେ ମାନ୍ୟତା ଦେଇଥିଲା ।
“ଯେତେବେଳେ ବି ମୁଁ ଯେକୌଣସି ଗାଁକୁ ଯାଏ, ସେଠାର ବାସିନ୍ଦାମାନେ ମୋର କାର୍ଯ୍ୟକୁ ପ୍ରଶଂସା କରନ୍ତି ଏବଂ ଉତ୍ସାହିତ କରନ୍ତି। ସେମାନେ ମୋତେ ସମ୍ମାନ କରନ୍ତି । ଭବିଷ୍ୟତରେ ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଯିବାକୁ ଇଚ୍ଛା କରେ ଯାହା ଦ୍ଵାରା ମୁଁ ଅଧିକ ଶିକ୍ଷା ଗ୍ରହଣ କରିପାରିବି ଏବଂ ମୋ ଗାଁ ଲୋକମାନଙ୍କ ପାଇଁ ଅଧିକ ଯୋଗଦାନ ଦେଇପାରିବି । ମୁଁ ଆଶା କରେ ଆମେ ସମସ୍ତେ ଏକାଠି ରହିପାରିବା ଏବଂ ଗାଁର ସମସ୍ତେ ଚାଷୀ ନିଜ ନିଜ ଜମିରେ ଚାଷ କରି ରୋଜଗାର କରିପାରିବେ । ଏହିପରି ଭାବରେ ସମସ୍ତେ ନିଜ ପରିବାରର ଆବଶ୍ୟକତାର ଯତ୍ନ ନେଇପାରନ୍ତି, ଅତୀତ ପରି ପର୍ବପର୍ବାଣୀ ସମୟରେ ମିଳିମିଶି ଉତ୍ସବ ପାଳନ କରିପାରିବେ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ମୋ ଲୋକଙ୍କ ପାଇଁ କାମ କରିବି ।”
ମୁନି ମାଡକାମୀ