ପ୍ରକୃତିର ଉପାଦାନ ସବୁକୁ ନେଇ ଗଢ଼ା ଆମ ଏ ଶରୀର । ଆଉ ଏଇ ପ୍ରକୃତିରେ ହିଁ ଭରିରହିଛି ଏ ଶରୀରକୁ ସୁସ୍ଥ ରଖିବାର କେଜାଣି କେତେ ଉପାଦାନ, ଏ ଶରୀର ପାଇଁ ରୋଗ ପ୍ରତିରୋଧ କରିବାର କେତେ ଔଷଧ । ମଣିଷ ଯେବେଠାରୁ ଚାଷବାସ କରି ନିଜପାଇଁ ଖାଦ୍ୟ ବ୍ୟବସ୍ଥା କରିବା ଆରମ୍ଭ କଲା ସେବେଠାରୁ ବୁଝିପାରିଥିଲା ବିଭିନ୍ନ କିଷମର ଖାଦ୍ୟ ଶସ୍ୟ ଭିତରେ ଲୁଚିରହିଥିବା ଜୀବନଦାୟୀ ତତ୍ତ୍ୱର ରହସ୍ୟ ।
ଏଇ ଯେମିତି ଧାନର ଜନ୍ମଭୂମି ଭାବରେ ପରିଚିତ ଆମ ଏଇ ଓଡ଼ିଶା ମାଟିରେ ମିଳୁଥିଲା କେତେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଉପକାରୀ ଧାନଟିଏ, ନାଁ ତାର – କଳାବତୀ । ଏହି ଧାନରୁ ବାହାରୁ ଥିବା ବସ୍ତୁତଃ କଳାରଙ୍ଗର ପ୍ରକାରନ୍ତରେ ଗାଢ଼ ବାଇଗଣୀ ରଙ୍ଗର ଚାଉଳଟି ବିଶେଷ ସ୍ୱାଦଯୁକ୍ତ ଏହି ଚାଉଳଟିରେ ଭରିରହିଛି ଆମ ଶରୀର ଭିତରେ ଥିବା ବିଭିନ୍ନ କୋଷିକା ଏବଂ ତନ୍ତୁକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବାର ଅସାଧାରଣ କ୍ଷମତା । ଏହି ଚାଉଳର ଭାତ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବାସହ ଶରୀର ବିଭିନ୍ନ ବିଷାକ୍ତ ତତ୍ତ୍ୱ ବା ଟକ୍ସିନ୍ ରୁ ମୁକ୍ତ ହୋଇଥାଏ । ରକ୍ତ ପରିଷ୍କାର ହେବାସାଙ୍ଗକୁ ମଧୁମେହ, କର୍କଟ ପରି ରୋଗର ଆଶଙ୍କାକୁ ଏଡ଼ାଯାଇ ପାରିବ ଏହି ଚାଉଳ ଖାଇଲେ । କଳାବତୀ ଧାନ ପରି ଆମ ଏହି ମାଟିରେ କାଇଁ କେଉଁ କାଳରୁ ଚାଷ ହୋଇଆସୁଥିଲା ଔଷଧ ତତ୍ତ୍ୱରେ ଭରପୁର କଳାହଳଦୀ ବା କାଳୀହଳଦୀ । ମା କାଳୀଙ୍କ ପୂଜାରେ ଲାଗୁଥିବା ଏହି ହଳଦୀରେ କର୍କଟ, ରକ୍ତ କର୍କଟ, ଏପିଲେପ୍ସି, ଏଚ୍ଆଇଭି ଏଡ଼ସ୍, ଅଲସର, ଶ୍ୱାସ ରୋଗ, ଅବସାଦ, ମାଂସପେସୀ ଜନିତ ସମସ୍ୟା, ଗଣ୍ଠିବାତ ଆଦି ଦୁରାରୋଗ୍ୟ ବ୍ୟାଧି ସହ ଲଢ଼ିବାର ବିସ୍ମୟକର କ୍ଷମତା । କେବଳ କଳାବତୀ ଧାନ ଏବଂ କଳାହଳଦୀ ନୁହେଁ ପାରମ୍ପରିକ ଏବଂ ଜୈବିକ ପଦ୍ଧତିରେ ଚାଷ ହେଉଥିବା ଆମର ଅନେକ ଖାଦ୍ୟ ଶସ୍ୟରେ ଭରି ହୋଇରହିଛି ମଣିଷ ଶରୀର ପାଇଁ ଆର୍ଶିବାଦ ଭଳି କାମକରୁଥିବା ତତ୍ତ୍ୱ । ତେବେ ଆଧୁନିକ ସମୟ ଓ କେବଳ ଲାଭଜନକ କୃଷିକର୍ମର ପ୍ରବାହ ଭିତରେ ଏହି ଉପକାରୀ ଶସ୍ୟ ତଥା ଔଷଧୀୟ ଗୁଣଯୁକ୍ତ ଉପାଦାନମାନେ ଧିରେଧିରେ ନିଜର ସତ୍ତା ହରେଇବାକୁ ବସିଲେଣି । ଆମେ ଦୂରେଇ ଚାଲିଛେ ପ୍ରକୃତି ଠାରୁ, ହଜେଇ ଦେଉଛେ ପ୍ରକୃତିରେ ଭରି ରହିଥିବା ଆମ ଶରୀର ପାଇଁ ଆର୍ଶୀବାଦର ଉପାଦାନକୁ । ହଜିଯିବାରେ ଲାଗିଛି ଗୁଣବତ୍ତାରେ ଭରପୁର ଆମର ଦେଶୀ ବିହନ, ଧାନ, ଶସ୍ୟରାଜି । ଅଧିକାଂଶ ଯୁବପିଢ଼ି ଆଜି ଚାଷକାମ ପ୍ରତି ବିମୁଖ ହୋଇପଡ଼ିଥିବା ବେଳେ ଶାନ୍ତ୍ୱନାର କଥା ହେଉଛି ଆମ ଭିତରେ ଅଛନ୍ତି ସୌମ୍ୟକାନ୍ତ ପ୍ରଧାନଙ୍କ ପରି କିଛି ଯୁବକ ଯିଏ ବାଟ ଦେଖାନ୍ତି ଆଉ ପ୍ରୟାସ କରନ୍ତି ପ୍ରକୃତିଦତ୍ତ ଉପାଦାନ ସହ ଜୀବନର ଆର୍ଶୀବାଦକୁ ଆପଣେଇନେବାକୁ ।
ବାଲେଶ୍ୱର ଜିଲ୍ଲା ନିଳଗୀରି ଅର୍ନ୍ତଗତ ଘାଟଘରସାହି ଗାଁର ଏହି ସୌମ୍ୟକାନ୍ତ ବାବୁ ପେଷାରେ ଜଣେ ଅଧ୍ୟାପକ । ଯେହେତୁ ବାପା ରମାକାନ୍ତ ମା ଅହଲ୍ଲ୍ୟା ନିଜର ଗୋଟିଏ ବୋଲି ପୁଅ ଚାକିରି ବାକିରୀ ପାଇଁ ଦୂରରେ ଯାଇ ରହୁବୋଲି ଚାହୁଁନଥିଲେ । ସୌମ୍ୟକାନ୍ତ ନିଜର ଡିପ୍ଲୋମା ପାଠ ସାରି ସ୍ଥାନୀୟ କଲେଜରେ ଅଧ୍ୟାପକ ଚାକିରୀକୁ ଆପଣାଇ ନେଇଥିଲେ । କିନ୍ତୁ ଚାଷୀ ପରିବାରର ପୁଅ – ତେଣୁ ପାରମ୍ପାରିକ ଚାଷ କାମ ଜୈବିକ କୃଷି ଧିରେ ଧିରେ ଲୋପ ପାଇଯାଉଥିବା ଦେଶୀ ବିହନ ଏବଂ ଆମର ପାରମ୍ପାରିକ ଶସ୍ୟରାଜି ଭିତରେ ଲୁଚିରହିଥିବା ଔଷଧିୟ ଗୁଣବତ୍ତା ଇତ୍ୟାଦି ବିଷୟରେ ତାଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଥିଲା । ।ଦାଦା ରଘୁନାଥ ପ୍ରଧାନ ଓ ରାଧାକାନ୍ତ ପ୍ରଧାନଙ୍କ ଉତ୍ସାହ ଓ ପ୍ରରଣା ତାଙ୍କର ଏହି ଆଗ୍ରହକୁ କର୍ମ କ୍ଷେତ୍ରରେ ସାକାର କରିବାର ରାସ୍ତା ଦେଖାଇଲେ । ପୁଣି ସୌମ୍ୟଙ୍କର ଘନିଷ୍ଟ ବନ୍ଧୁ ତଥା ଯୁବ କୃଷି ଗବେଷକ ଚନ୍ଦ୍ରକାନ୍ତ ଦାଶ ତାଙ୍କୁ ଏକ୍ଷେତ୍ରରେ ଦିଗଦର୍ଶନ ଦେଲେ । ଆରମ୍ଭ ହେଲା ପାରମ୍ପାରିକ ଚାଷବାସ ସାଙ୍ଗକୁ ଜୈବିକ କୃଷି, ଦେଶୀ ଧାନ ଓ ଅନ୍ୟାନ୍ୟ ଦେଶୀ ବିହନର ପୁର୍ନଃରୁଦ୍ଧାର ଓ ସଂରକ୍ଷଣ, କଳାବତୀ ଧାନ ଓ କଳାହଳଦୀ ପରି ହିତକାରୀ ଖାଦ୍ୟଶସ୍ୟକୁ ନେଇ ସୌମ୍ୟକାନ୍ତଙ୍କର ପ୍ରୟୋଗାତ୍ମକ ଗବେଷଣା ।
କଳାବତୀ ଧାନ ଭିତରେ ଲୁଚିରହିଥିବା ଔଷଧିୟ ତତ୍ତ୍ୱ ଓ ମଣିଷ ଶରୀର ପାଇଁ ତାର ଉପକାରିତାକୁ ଭଲ ଭାବରେ ବୁଝିପାରିଥିଲେ ସୌମ୍ୟକାନ୍ତ । ତାଙ୍କ ଭିତରେ ଥିବା କୃଷକର ଅନ୍ତରଆତ୍ମା ତାଙ୍କୁ ରାସ୍ତା ଦେଖାଇଥିଲା କଳାବତୀ ଧାନର ପୁର୍ନଃରୁଦ୍ଧାର ଦିଗରେ । ବହୁ କଷ୍ଟରେ କଳାବତୀ ଧାନର ବିହନ ସଂଗ୍ରହ କରି ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ନିଜ ଜମିରେ ଚାଷ କଲେ ଆଉ ବେଶ ସଫଳ ବି ହେଲେ । ଚଳିତବଷ ର୍ତ ନିଜ ଜମିରୁ ପ୍ରାୟ ୨୦ କ୍ୱିଣ୍ଟାଲ କଳାବତୀ ଧାନ ସେ ଅମଳ କରିପାରିଛନ୍ତି । କଳାବତୀ ଧାନର ସଫଳତା ପରବର୍ତ୍ତୀ ସମୟରେ ତାଙ୍କୁ ଅନୁପ୍ରାଣିତ କରିଛି କଳାହଳଦୀ ଚାଷ କରିବା ଦିଗରେ । ଆଉ ଏହି କାମରେ ସେ ଏବେ ସଫଳତାର ସହ ଲାଗିଛନ୍ତି ।
ସମୟ ପରିସ୍ଥିତିର ପ୍ରତିକୂଳ ସ୍ରୋତରେ ଆଗକୁ ବଢ଼ିବାର ସ୍ୱପ୍ନକୁ ସାକାର କରିବାର ଚେଷ୍ଟାରେ ମଗ୍ନ ଘାଟଘର ସାହି ଗାଁର ସୌମ୍ୟକାନ୍ତ ପ୍ରଧାନଙ୍କୁ କଳାବତୀ ଧାନ, କଳାହଳଦୀ ପରି ଜୀବନଦାୟୀ ଶସ୍ୟର ପୁର୍ନଃରୁଦ୍ଧାର, ସୁରକ୍ଷା ଓ ଲୋକକଲ୍ୟାଣରେ ତାର ପ୍ରୟୋଗ କ୍ଷେତ୍ରରେ ଉଦ୍ୟମ ଲାଗି ତାଙ୍କୁ ଆମର ସାଦର ସମ୍ମାନ ଓ ଶୁଭେଚ୍ଛା ।