‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି ଦେଇପାରିଲିନି ! ଏଇ ଜୀବନରେ ମୋ ସ୍ଵପ୍ନ ସିନା ଅଧୁରା ରହିଲା ହେଲେ ପିଲାଏ ଅଧାରୁ ପାଠ ନ’ଛାଡନ୍ତୁ, ଶିକ୍ଷା ଧନରେ ଧନୀ ହୁଅନ୍ତୁ, ଭଲ ମଣିଷ ହୁଅନ୍ତୁ – ଏଥି ପାଇଁ ମୋର ସୀମିତ ଶକ୍ତି ଆଉ ବୁଦ୍ଧିରେ ଯାହା ସମ୍ଭବ, ସାରା ଜୀବନ ଚେଷ୍ଟା କରିଚାଲିଛି ଆଉ ବଞ୍ଚିଥିବା ଯାଏଁ ମୋର ଉଦ୍ୟମ ଜାରିରହିବ ।”
ପଚାରିଲେ ନିଜ ଜୀବନ ବିଷୟରେ ଏଇ କଥା କେଇପଦ କହୁ କହୁ ଭାବପ୍ରବଣତାରେ ଆଖି ଛଳ ଛଳ ହୋଇଯାଏ ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ଵରପଡା ବ୍ଲକ ବାଆଁବରଡା ଗାଁର ଛସ୍ତରି ବର୍ଷ ବୟସ୍କ ନରହରି ମଲ୍ଲଙ୍କର । ଏଇ ବୟସରେ ବି ସ୍ଵନିର୍ଦ୍ଧାରିତ ନିଜର ସାମାଜିକ ଦାୟିତ୍ଵବୋଧକୁ ତୁଲାଇବାରେ ତାଙ୍କର କାର୍ଯ୍ୟଧାରା ସତରେ ଦେଖିବାର କଥା । ଆଉ ଆଖପାଖ ଅଞ୍ଚଳରେ ସେ ପରିଚିତ ନାଟୁଆ ନରି ମଉଷା ଭାବରେ ।
ଖୁବ ଛୋଟ ବେଳୁ ଲକ୍ଷ ତାଙ୍କର ଥିଲା ଭଲ ପାଠ ପଢି ଶିକ୍ଷକଟିଏ ହେବେ । କିନ୍ତୁ ନିୟତି ତାଙ୍କର ଥିଲା ଅନ୍ୟ ପ୍ରକାରର । ପାରିବାରିକ ଆର୍ଥିକ ସମସ୍ୟା, ପରିବାର ଚଳେଇବାର ଦାୟିତ୍ଵ ତୁଲେଇବାକୁ ଯାଇ ମାଟ୍ରିକ ପରୀକ୍ଷା ପୂର୍ବରୁ ହିଁ ତାଙ୍କ ପାଠରେ ଡୋରୀ ବନ୍ଧା ହେଲା । ପାରିବାରିକ ଚାଷ ଓ ପାନ ବରଜ କରି କଷ୍ଟେ ମଷ୍ଟେ ଗୁଜୁରାଣ ମେଣ୍ଟାଇବା ଭିତରେ କିନ୍ତୁ ପିଲାଦିନର ସ୍ଵପ୍ନ ତାଙ୍କୁ ଆଣିଦେଇଥିଲା ସାମାଜିକ ଉତ୍ତରଦାୟିତ୍ବର ଲକ୍ଷ୍ୟ । ନିଜେ ସିନା ପଢି ପାରିଲେନି କିନ୍ତୁ ନିଜ ଗାଁ ତଥା ଆଖପାଖ ଅଞ୍ଚଳର ପିଲାଏ କେମିତି ଅଧାରୁ ପାଠ ପଢା ନଛାଡ଼ି ଶିକ୍ଷା ନିଜ ଜୀବନ ବ୍ରତ ଭାବେ କରିନେବେ, ସତ ଚରିତ୍ର ଗଠନ କରିବେ, ଭଲ ମଣିଷ ହେବେ ସେଥିପାଇଁ ଉତ୍ତରପୀଢିକୁ ପ୍ରୋତ୍ସାହିତ କରିବା ପାଇଁ ସେ ଚେଷ୍ଟା କରିବାରେ ଲାଗିଲେ ।
କମ ପାଠ ପଢିଥିଲେ ବି ନର ମଉସାଙ୍କ ଭାଷାଜ୍ଞାନ, ଶବ୍ଦ ସଂଯୋଜନା ବେଶ ଉଚ୍ଚକୋଟିର । ମନ ସାଧ ମେଣ୍ଟାଇବାକୁ କବିତା ନାଟକ ଆଦି ଲେଖାଲେଖି ବି କରନ୍ତି ସମୟ ବାହାରକରି । ପୁଣି ପିଲାଦିନର ଅଭିନୟ ଓ ଲୋକକଳା ପ୍ରତି ରୁଚିକୁ ସେ ନିଜ ନିଶାରେ ପରିଣତ କଲେ । ଆଖପାଖ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ଦଳମାନଙ୍କୁ ନିସ୍ଵାର୍ଥପର ଭାବରେ ପ୍ରୁଷ୍ଠପୋଷକତା, ଦିଗଦର୍ଶନ ଦେଇଆସୁଛନ୍ତି ନରି ମଉସା । ଶିକ୍ଷା, ଶିକ୍ଷାର ମହତ୍ଵ ଭଲ ମଣିଷ ହେବାର ଆଚାର ଆଦି ବିଭିନ୍ନ ବିଷୟ ବସ୍ତୁକୁ ନେଇ ସେ ଲେଖିଛନ୍ତି ଅନେକ ଛୋଟ ଛୋଟ ଗୀତ ଓ ନାଟକ । ନିଜ ଗାଁ ସାଙ୍ଗକୁ ଗାଁ ଗାଁ ସହର ସହର ବୁଲି ସ୍କୁଲମାନଙ୍କୁ ଯାଇ ଏଇ ନାଟ ଗୀତ ସବୁ ପିଲାଙ୍କୁ ଶିଖାଇ ଅଭିନୟ କରାନ୍ତି ଆଉ ତାହାରି ମାଧ୍ୟମରେ ହିଁ କୋମଳମତି ପିଲାଙ୍କୁ ସେ ଶିଖାଇଥାନ୍ତି କେମିତି ନିଜ ଜୀବନକୁ ସଠିକ ମାର୍ଗରେ ଗଢିହେବ ।
“ନିଜେ ତ ପଢି ପାରିଲିନି ଆଜ୍ଞା କିନ୍ତୁ ମୋ ପେଟପାଟଣାରୁ ସମୟ କାଢି ଗାଁ ଗାଁ ସ୍କୁଲ ସ୍କୁଲ ବୁଲି ନାଟ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢିବାକୁ ଓ ନିଜକୁ ଭଲ ମଣିଷ କରି ଗଢିବାକୁ ଶିଖାଇବାରେ ଚେଷ୍ଟାକରେ । ଏନେଇ କେତେ ନାଟ ଗୀତ ସବୁ ଲେଖିଛି । ପିଲାଙ୍କୁ ଶିଖାଇଦେଲେ ସେମାନେ ବଢିଆ ଅଭିନୟ କରନ୍ତି ଆଉ ଏଇପରି ଭାବରେ ଶିଖେଇବାର ନିଶ୍ଚୟ ଭଲ ପ୍ରଭାବ ରହିଛି । ନିଜ ଗାଁ ଛଡା ସାଇକେଲରେ କେତେ ଗାଁ ବୁଲି ଏଇ କାମ କରିଛି । ଗୋପ, କାକଟପୁର, ନିଆଳି, ଭୁବନେଶ୍ଵର ଏମିତିକି ମାଲକାନଗିରିର ଅନେକ ସ୍କୁଲରେ ବି ଯାଇ ନାଟ କରେଇଛି । ଶିକ୍ଷକ ଓ ଅଭିଭାବକ ମାନେ ବି ଭାରି ଖୁସି ହୁଅନ୍ତି । କେହି କେହି ମତେ ଆର୍ଥିକ ପ୍ରୋତ୍ସାହନ ଦେବାପାଇଁ ଅଡିବସନ୍ତି । ମୋର କିନ୍ତୁ ଅର୍ଥ ଲୋଡା ନାହିଁ ଆଜ୍ଞା ।ଏଇ କାମ ବିନା ସ୍ଵାର୍ଥରେ ନିଜ ଶକ୍ତିରେ ହିଁ କରିଛି ସବୁବେଳେ । ଆଜି ୭୬ ବର୍ଷ ବୟସରେ ମୁଁ ଯେତେବେଳେ ପଛକୁ ଚାହିଁ ମୋ କାମର କଥା ଭାବେ, ଦେଖେ ଯେ – ଅତୀତରେ ଅନେକ ପିଲା ଯାହାକୁ ମୁଁ ନାଟ ଗୀତ ମାଧ୍ୟମରେ କିଛି ଜୀବନର ଶିକ୍ଷା ଦେବାକୁ ଚେଷ୍ଟା କରିଥିଲି ସେମାନଙ୍କ ଭିତରୁ ଅନେକେ ଆଜି ବଡ ମଣିଷ ହୋଇଛନ୍ତି, କେତେ ଉପର ସ୍ତରକୁ ଯାଇଛନ୍ତି । ମୋ ଶିକ୍ଷାକୁ ସେମାନେ ଗ୍ରହଣ କରି ଆଗକୁ ବଢିପାରିଛନ୍ତି – ଏଇ ମୋର ଖୁସି, ଏଇ ମୋର ଗର୍ବ, ଏଇ ମୋ କାମର ସାର୍ଥକତା ।”
ଚାଷ ବାସ ପାନ ବରଜ କାମର ଖଟଣିକୁ ବୟସ ଆଉ ବେଶୀ ଆରଉନି ବୋଲି ନରି ମଉଷା ଆଜିକାଲି ପାନ ଦୋକାନଟିଏ କରି ପେଟପାଟଣା ଦେଖୁଛନ୍ତି ସିନା କିନ୍ତୁ ଆଖ ପାଖ ସ୍କୁଲମାନଙ୍କୁ ଯାଇ ପିଲାଙ୍କୁ ନାଟ ଗୀତ ମାଧ୍ୟମରେ ଜୀବନର ପାଠ ପଢେଇବା କାମ ଏବେବି କରି ଚାଲିଛନ୍ତି । ତାଙ୍କ ପରି ମଣିଷଟିଏ ଆଜିର ବସ୍ତୁବାଦୀ ସମୟରେ ପାଇବା ସତରେ ଏକ ଭାଗ୍ୟର କଥା । ସାମାଜିକ ଉତ୍ତର ଦାୟୀତ୍ବ ତୁଲାଇବାର ଏକ ବିରଳ ଉଦାହରଣ କାକଟପୁର ବାଆଁବରଡାର ନରି ମଉଷା ।