ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସରକଣା ଗାଁର ବଟକୃଷ୍ଣ ସାହୁଙ୍କ ପୋଖରୀକୂଳ ଏବେ ପାଲଟିଛି ଖୋଲା ବିଦ୍ୟାଳୟ । ପିଲା ଆସନ୍ତି, ପାଠ ପଢ଼ନ୍ତି, ଆଉ ଭବିଷ୍ୟତ ଗଢ଼ନ୍ତି ଆଉ ସେ ବି ବିନାମୁଲ୍ୟରେ, ଶିକ୍ଷାପ୍ରଦାନ କରନ୍ତି ୭୧ ବର୍ଷୀୟ ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ ସାହୁ ।
ଯୁବ ମତ୍ସ୍ୟଚାଷୀଙ୍କ ପାଇଁ ସେ ଆଦର୍ଶ ଓ ମାର୍ଗଦର୍ଶକ । ମତ୍ସ୍ୟ ପ୍ରଜନନ, ଉତ୍ପାଦନ ଏବଂ ପରିଚାଳନା ସହ ମତ୍ସ୍ୟ ଚାଷୀଙ୍କୁ ମାଛବିକ୍ରି ବିଷୟରେ ତାଲିମ ପ୍ରଦାନ କରନ୍ତି ବଟକୃଷ୍ଣ । ମତ୍ସ୍ୟଚାଷ ପାଇଁ ଗବେଷଣା ସହ ଆଧୁନିକ ଜ୍ଞାନକୌଷଳର ପ୍ରୟୋଗ ବିଷୟରେ ଚାଷୀ ଓ ଯୁବ ଉଦ୍ୟୋଗୀଙ୍କୁ ସଚେତନ କରନ୍ତି ସେ, ଆଉ ଏହା ତାଙ୍କୁ ଓଡ଼ିଶା ସମେତ ଜାତୀୟ ଫୋରମ୍ରେ ମଧ୍ୟ ଆଣିଦେଇଛି ଖ୍ୟାତି ।
ପୁର୍ବରୁ ଆମ ଗାଁକୁ ବଡ଼ମାଛର ଅଳ୍ପ ଆମଦାନୀ ହେଉଥିଲା ଯାହା ମୋତେ ପ୍ରେରଣା ଯୋଗାଇଥିଲା ଆଉ ମୁଁ ଲାଗିପଡ଼ିଲି ଉପାୟ ଖୋଜିବାରେ ଯାହାଫଳରେ ଆଉ ଗାଁର ଲୋକମାନେ ପର୍ଯ୍ୟାପ୍ତ ପରିମାଣର ମାଛ ପାଇପାରିବେ । ୧୯୮୬ରେ ମୁଁ ପ୍ରଥମେ ଆମ ପଞ୍ଚାୟତ ପାଖରୀକୁ ୧୨୦୦୦ ଟଙ୍କାରେ ୩ ବର୍ଷପାଇଁ ଲିଜ୍ରେ ନେଇ ପ୍ରଥମେ ମାଛଚାଷ ଆରମ୍ଭ କଲି । ଆଶ୍ଚର୍ଯ୍ୟଜନକ ଭାବେ ପ୍ରଥମ ଅମଳରେ ୧.୪ ଟନ୍ ମାଛ ଉତ୍ପାଦନ ହେଲା ଭଲ ଲାଭ ମଧ୍ୟ ମିଳିଲା ଆଉ ଏହା ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଲା ।
କ୍ରମଶଃ ସେ ଅନୁଭବ କଲେ ଯେ ଗୁଣାତ୍ମକ ଜାଆଁଳର ଅଭାବ ମାଛଚାଷ ପାଇଁ ଏକ ବଡ଼ ପ୍ରତିବନ୍ଧକ । ତେଣୁ ସେ କୃଷିବିଜ୍ଞାନ କେନ୍ଦ୍ରର ପରାମର୍ଶ କ୍ରମେ ହାପା ପ୍ରଜନନ ପ୍ରଣାଳୀ ମାଧ୍ୟମରେ ଉତ୍ତମ ଜାଆଁଳର ପ୍ରଜନନ ଆରମ୍ଭ କଲେ । ପ୍ରଥମ ବ୍ୟାଚ୍ ରେ ସେ ୩-୪ ଲକ୍ଷ ଜାଆଁଳ ଉତ୍ପାଦନ କରିଥିଲେ ଏବଂ ମାତ୍ର ୨ ମାସରେ ପୋଖରୀ ପିଛା ୭୦୦୦ ଟଙ୍କା ଆୟକଲେ । ସେବେଠାରୁ ସେ ମାଛଚାଷ ଭଳି ଜାଆଁଳ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ବ୍ୟାପକ କରିବାକୁ ଲାଗିଲେ ।
ଏହାପରେ ସେ ପରୀକ୍ଷାମୂଳକ ଭାବେ ଚାଇନାର ସର୍କୁଲାର୍ ହ୍ୟାଚେରୀ ପଦ୍ଧତିରେ ୪ ଗୋଟି ପୋଖରୀରେ ଜାଆଁଳ ଉତ୍ପାଦନ ଆରମ୍ଭ କଲେ ଓ କ୍ରମଶଃ ବର୍ଷକୁ ୪ ରୁ ୫ କୋଟି ଜାଆଁଳ ଉତ୍ପାଦନ ସମ୍ଭବ ହୋଇପାରିଲା ଯାହା ଏବେ ବଢ଼ି ୧୦ ରୁ ୧୫ କୋଟିରେ ପହଞ୍ଚିଲାଣି । ଏବେ ସେ କେବଳ ଜାଆଁଳ ଉତ୍ପାଦନରୁ ବର୍ଷକୁ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇ ପାରୁଛନ୍ତି ।
ନିଜେ ସଫଳତାର ପାଇଥିବାରୁ ସେ ତାଙ୍କ ଅଞ୍ଚଳ ସମେତ ସାରା ଦେଶର ଉତ୍ସାହୀ ମତ୍ସ୍ୟଚାସୀଙ୍କୁ ମାଗଣାରେ ବାଣ୍ଟୁଛନ୍ତି ମାଛଚାଷ ଓ ଜାଆଁଳ ଉତ୍ପାଦନର ଜ୍ଞାନ । ବର୍ଷକୁ ୫୦୦୦ ରୁ ଅଧିକ ମାଛଚାଷୀଙ୍କୁ ସେ ମାଗଣାରେ ଦେଇଥାନ୍ତି ଟ୍ରେନିଂ । ଆଉ ତାଙ୍କର ଏଇ ନିସ୍ୱାର୍ଥପର କାମକୁ ସମ୍ମାନ ଜଣାଇ ୨୦୨୦ ରେ ଭାରତ ସରକାର ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରିଛନ୍ତି ।
ମୋ ପାଖକୁ ଆସୁଥିବା ସମସ୍ତ ଚାଷୀଙ୍କୁ ମୁଁ ମାଗଣାରେ ତାଲିମ୍ ଦିଏ କାରଣ ମୁଁ ଚାହେଁ ରୋଜଗାର ପାଇଁ ଆମ ମାଟିର ପୁଅ ବାହାର ରାଜ୍ୟକୁ ନଯାଉ । ଯଦି ମାଛକୁ ସଠିକ୍ ପଦ୍ଧତିରେ ଚାଷ କରାଯିବ ତାହାଲେ ଏହାକୁ କ୍ୟାରିୟର କରି ଭଲ ଦି ପଇସା ରୋଜଗାର ପରିପାରିବେ ଆମ ଚାଷୀଭାଇ ।