ଉତ୍କଳ ବିଶ୍ଵ ବିଦ୍ୟାଳୟ ବାଣୀବିହାର ପରିସରରେ ସେ ପରିଚିତ ରାଜୁ ମଉସା ନାମରେ । ଆଜୀବନ ପଶୁ ପକ୍ଷୀଙ୍କ ପ୍ରେମରେ ମଗ୍ନ ନିଆରା ଭାବୁକ ମଣିଷ ଟିଏ – ରାଜନ ଦାସ । ନବମ ଶ୍ରେଣୀ ଯାଏଁ ପାଠ ପଢିଥିବା ରାଜୁ ମଉସାଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲାର କମଳାଙ୍ଗ ଗ୍ରାମରେ । 1977 ମସିହାରେ ପେଟପାଟଣା ପାଇଁ ଘର ଛାଡି ଚାଲି ଆସନ୍ତି ସେ ରାଜଧାନୀ ଭୁବନେଶ୍ବରକୁ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ରେ 1981 ମସିହାରେ ହଷ୍ଟେଲ ନମ୍ବର 4 ରେ କ୍ୟାରଟେକର ରୂପେ ନିଯୁକ୍ତି ପାଆନ୍ତି । ଆଉ ସେବେ ଠାରୁ ନିଜ ସ୍ୱଳ୍ପ ଦରମାରୁ କିଛି ପଇସା ସଞ୍ଚି ସେ ଗତ 30 ବର୍ଷ ହେଲା ପଶୁପକ୍ଷୀ ମାନଙ୍କର ସେବା କରିଆସୁଛନ୍ତି । ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ, ଗାଈ, ବୁଲା କୁକୁର, ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ତାଙ୍କର ନୀତିଦିନିଆ କାମ । ସେ ଖରା ହେଉ କି ବର୍ଷା ଅବା ଶୀତ ପଶୁପକ୍ଷୀମାନଙ୍କ ସେବା କରିବାପାଇଁ ନିଜର ସୁବିଧା ଅସୁବିଧାକୁ ଭୃକ୍ଷେପ ନକରି ସବୁ ସମୟରେ ହାଜର ହୋଇଯାଆନ୍ତି ରାଜୁ ମଉସା ।
“ପିଲାଟି ଦିନରୁ ମୋ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ବୁଲା ପଶୁପକ୍ଷୀଙ୍କ ପାଇଁ ଏଇ ଅନୁରାଗ ମୋର। ଆଉ ଏବେ ମୋ ଦ୍ଵାରା ଅନୁପ୍ରାଣିତ ହୋଇ ମୋ ଏଇ ପଶୁପକ୍ଷୀଙ୍କ ସେବା କାମରେ ମୋର ସ୍ତ୍ରୀ, ପୁଅ, ପରିବାରର ସମସ୍ତେ ନିଜ ନିଜ ଫୁରୁସତ ସମୟରେ ସାହାଯ୍ୟ କରୁଛନ୍ତି । ଏ ମୋର ବହୁତ ବଡ ଖୁସି । ବେସାହାରା ପଶୁପକ୍ଷୀମାନଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ, ସେମାନଙ୍କର ସେବା କରିବା ପାଇଁ ସମସ୍ତଙ୍କୁ ମୁଁ ନିବେଦନ କରୁଛି । ଏପରି ସେବାରେ ମିଳିଥାଏ ଗଭୀର ଆତ୍ମତୃପ୍ତି ।“
ଜୀବେ ଦୟାର ମନ୍ତ୍ରରେ ଦୀକ୍ଷିତ ରାଜୁ ମଉସାଙ୍କ ଉଦ୍ୟମକୁ ଆମର ଅନେକ ସାଧୁବାଦ !!