“କୃଷ୍ଣସାର ମୃଗ ଦେଖିବାର ଅଛି ତ ବନ୍ଧୁକ ନୂହେଁ ହାତରେ କ୍ୟାମେରା ଧରିକି ଆସ, ସ୍ୱାଗତ କରିବୁ” – ଏମିତି ଶିର୍ଷକର ଏକ ଚିଠି ବଲିଉଡ଼୍ ଅଭିନେତା ସଲମାନ୍ ଖାଁକୁ ଲେଖି ଚର୍ଚ୍ଚାକୁ ଆସିଥିଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଭେଟନଈ ଗାଁର ଅମୁଲ୍ୟ ଉପାଧ୍ୟାୟ । ରାଜସ୍ଥାନର ବିଷ୍ଣୋୟୀ ସଂପ୍ରଦାୟ ଭଳି ଆମେ ଭେଟନଈବାସୀ ମାନେ ମଧ୍ୟ ଆମ ଅଞ୍ଚଳର କୃଷ୍ଣସାର ହରିଣମାନଙ୍କୁ ବେଶ୍ ଭଲପାଉ, ଆଉ ତାଙ୍କ ସୁରକ୍ଷା ପାଇଁ ସମସ୍ତେ ମିଳିମିଶି କାମକରୁ । ଆସ ମୃଗ ଗଣନାରେ ସାମିଲ ହେବ କିନ୍ତୁ ହାତରେ ବନ୍ଦୁକ ବଦଳରେ କ୍ୟାମେରା ଧରି ଆସ ।
ଆମ ଭିତରୁ ଅନେକଲୋକ ଜାଣିନଥିବେ ସାରା ଦେଶରେ ବିଲୁପ୍ତପ୍ରାୟ ବର୍ଗରେ ଥିବା କୃଷ୍ଣସାର ମୃଗ ଆମ ରାଜ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳନ୍ତି । ଲୋକମାନଙ୍କ ସୁରକ୍ଷା ମନୋଭାବ ଓ ବଂଶବୃଦ୍ଧିର ଉପକୂଳ ବାତାବରଣ ପାଇଁ ଏବେ ଜିଲ୍ଳ୍ଲାରେ କୃଷ୍ଣସାର ହରିଣମାନଙ୍କ ସଂଖ୍ୟା ୭୭୪୩ରେ ପହଞ୍ଚିଲାଣି । ଆଉ ଏଥିପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିଆସୁଛନ୍ତି ଭେଟନଈ ଗାଁର ଅମୂଲ୍ୟ ଉପାଧ୍ୟାୟ । କେବଳ ତାଙ୍କ ଗାଁରେ ଏବେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୮୦୦ ଟପିଲାଣି । ମୃଗମାନଙ୍କ ସୁରକ୍ଷାରେ ନିଜ ଜୀବନକୁ ଉସ୍ୱର୍ଗ କରିଥିବା ଅମୂଲ୍ୟ କୁହନ୍ତି –
ଅନେକ ବର୍ଷ ପୂର୍ବରୁ ଯେତେବେଳେ ଆମ ଭେଟନଈ ଅଞ୍ଚଳରେ ମରୁଡ଼ି ଓ ଦୁଃର୍ଭିକ୍ଷ ପଡ଼ିଥିଲା ସେ ସମୟରେ ଅଳ୍ପ କିଛି କୃଷ୍ଣସାର ମୃଗ ତାଙ୍କ ଅଞ୍ଚଳକୁ ଆସିଥିଲେ । ତା’ପରେ ପରେ ବର୍ଷା ହେଲା ଫଳରେ ଚାଷବାସ ହେଲା ଓ ପରିସ୍ଥିତିରେ ସୁଧାର ଆସିଲା, ସେବେଠାରୁ ଅଞ୍ଚଳର ଲୋକମାନେ ଏ ମୃଗମାନଙ୍କୁ ଭଗବାନଙ୍କ ଅବତାର ବୋଲି ମାନନ୍ତି ଓ ତାଙ୍କ ସୁରକ୍ଷା କରନ୍ତି ।
ସମୟସହ ମୃଗ ସଂଖ୍ୟା ବଢ଼ିବାକୁ ଲାଗିଲା । ମୃଗମାନେ ସ୍ଥାନୀୟ ଅଞ୍ଚଳରେ ଅବାଧରେ ବିଚରଣ କଲେ କିନ୍ତୁ ଏହାର ସୁଯୋଗ ନେଇ କିଛି ବାହାର ଅଞ୍ଚଳର ଶିକାରୀ ମୃଗମାନଙ୍କ ଶୀକାର କରିବା ଅରମ୍ଭ କଲେ । ଯାହା ବେଶ୍ ବ୍ୟଥିତ କଲା ଭେଟନଈର ଅମୁଲ୍ୟ ଉପାଧ୍ୟାୟଙ୍କୁ । ଫଳରେ ଗାଁ ଓ ଆଖପାଖର ସ୍ଥାନୀୟ ଲୋକଙ୍କୁ ନେଇ ୧୯୯୭ ମସିହାରେ ଗଠନ କଲେ କୃଷ୍ଣସାର ମୃଗ ସୁରକ୍ଷା ସମିତି (Blackbuck Conservation Society) । ସ୍ଥାନୀୟ ଅଂଚଳର ପ୍ରତ୍ୟେକ ଗାଁର ଜଣେ ଲେଖାଏଁ ମେମ୍ବର ରହିଲେ ଏଥିରେ । ଶୀକାରକୁ ରୋକିବା ସହ ଲୋକମାନଙ୍କ ମଧ୍ୟରେ ମୃଗ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟନେଇ ଅମୁଲ୍ୟଙ୍କ ଅଧ୍ୟକ୍ଷତାରେ କାମ କରିଚାଲୁଛି କମିଟି । ଫଳରେ ଦିନେ ହଜାରେ ରୁ କମ୍ଥିବା କୃଷ୍ଣସାର ମୃଗଙ୍କ ସଂଖ୍ୟା ଏବେ ୮ ହଜାର ଛୁଇଁବାକୁ ବସିଲାଣି ।
“ଲୋକମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ଆମେ ୨୦୦ ଟଙ୍କାର ପୁରଷ୍କାର ରାଶି ରଖିଲୁ । ଯିଏ କୃ୍ଷ୍ଣସାର ମୃଗ ଛୁଆ ଜନ୍ମ ହେବାର ଖବର ପ୍ରଥମେ ଦେବ ତାକୁ ୨୦୦ ଟଙ୍କାର ଆର୍ଥିକ ସହାୟତା ପୁରଷ୍କାର ଭାବେ ଦିଆଯିବ ଓ କେହି ଦୁର୍ବୁତ୍ତ ଶିକାର କରୁଥିବାର ଖବର ଦେଲେ ଖବର ଦେଇଥିବା ଲୋକଙ୍କୁ ୧୦୦୦ ଟଙ୍କା ପୁରଷ୍କାର ରାଶି ଦିଆଯିବା ସହ ତାଙ୍କ ନାମକୁ ଗୋପନ ରଖାଯିବାର ବ୍ୟବସ୍ଥା କରିଛୁ” ବୋଲି ଅମୂଲ୍ୟ କୁହନ୍ତି । ଏଇ ସୂଚନାକୁ ଡ଼େଣ୍ଡୁରା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ମଧ୍ୟ କରାଯିବା ଫଳରେ ଲୋକ ସଚେତନତା ବୃଦ୍ଧି ପାଉଛି ।
ବାହାର ଯାଗାରେ ଭଲ ଦରମାରେ ଚାକିରିର ପ୍ରସ୍ଥାବକୁ ମଧ୍ୟ ଏଇ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଅଣଦେଖା କରିଦେଇଛନ୍ତି ଅମୁଲ୍ୟ । ତାଙ୍କର ଏ କାମରେ ବନବିଭାଗ ମଧ୍ୟ କିଛିମାତ୍ରାରେ ସହଯୋଗ କରୁଛି ସତ କିନ୍ତୁ ମୃଗମାନଙ୍କ ସୁରକ୍ଷା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ଓ ଏହାର ସୁରକ୍ଷା ପାଇଁ ନିୟୋଜିତ ଲୋକଙ୍କ ପାଇଁ ସରକାର ବା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ । ଯଦି ସରକାର ଏହାକୁ ଅଗ୍ରାଧିକାର ଦିଅନ୍ତେ ତାହାଲେ ଏ ଅଞ୍ଚଳ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତା ଏଥିରେ ତିଳେମାତ୍ର ସଂନ୍ଦେହ ନାହିଁ ।
ଅମୁଲ୍ୟଙ୍କର ଏଇ ନିସ୍ୱାର୍ଥପର ଉଦ୍ୟମ ପାଇଁ ବିଲୁପ୍ରାୟ କୃଷ୍ଣସାର ମୃଗ ଆମ ରାଜ୍ୟର ଏକମାତ୍ର ଜିଲ୍ଲା ଗଞ୍ଜାମରେ ଦେଖିବାକୁ ମିଲୁଛନ୍ତି, ଯାହା ଆମ ପରିବେଶ ଓ ଜୀବଜଗତ ପାଇଁ ଏକ ଶୁଭ ସୂଚନା । ତାଙ୍କର ଏ ଉଦ୍ୟମକୁ ଆମ ଟିମ୍ ତରଫରୁ ଅନେକ ଅନେକ ସାଧୁବାଦ ।