ପିଲାଟି ଦିନରୁ ଆମେ ସମସ୍ତେ ଶୁଣି ଆସୁଚେ, ଉର୍ବର ମାଟିରେ ଭାରି ଭଲଚାଷ ହୁଏ । ଆମ ଦେଶର ମାଟି ଉର୍ବର, ତା’ ସାଙ୍ଗକୁ ବର୍ଷା ଠିକ ସମୟରେ ହେଉଥିବାରୁ ଚାଷବାସ କରି ଚାଷୀ ମଧ୍ୟ ଲାଭବାନ ହୋଇଥାନ୍ତି । ଏବେ କିନ୍ତୁ ପରିବର୍ତ୍ତିତ ପରିବେଶ ଏବଂ ଜନସଂଖ୍ୟା ବୃଦ୍ଧି କାରଣରୁ ଚାଷ ଆଗଭଳି ହେଉନାହିଁ । କେତେବେଳେ ବର୍ଷା ହେଉନିତ’ ଅନ୍ୟ କେଉଁ ସମୟରେ ବନ୍ୟା ହୋଇ ଚାଷ ଧୋଇନେଉଛି । ଏହି ପରିସ୍ଥିତିର ସମାଧାନ ହୋଇ ବାହାରିଆସିଲା ‘ହାଇଡ୍ରୋପୋନିକ ଫାର୍ମିଙ୍ଗ’ । ଉନ୍ନତ ଜ୍ଞାନ କୌଶଳରେ ହେଉଥିବା ଏହି ଚାଷଟି ପାରମ୍ପରିକ କୃଷି ପଦ୍ଧତିଠୁ ଭିନ୍ନ । ଏଥିରେ ଚାଷ ପାଇଁ ମାଟିର ଆବଶ୍ୟତା ଆଦୌ ନାହିଁ, କିମ୍ବା ବେଶ ବଡ ଜାଗା ମଧ୍ୟ ଆବଶ୍ୟକ ନାହିଁ । ଶୁଣିବାକୁ ବିଚିତ୍ର ଲାଗୁଥିଲେ ବି ପ୍ରକୃତରେ ହାଇଡ୍ରୋପୋନିକ ଚାଷ କରି ଆଜିର ପିଢ଼ି ସଫଳ ହେଉଛନ୍ତି। ଏହାର ସୁନ୍ଦର ଉଦାହରଣ ହେଉଛନ୍ତି ଜଗତସିଂହପୁର ବାସିନ୍ଦା ଆଶିଷ ମହାନ୍ତି ଓ ପ୍ରଜ୍ଞା ସାହୁ ଯାହାଂକର ଚେସ୍ଟାର ଫଲ ହେଉଅଛି ‘ହୈଡ୍ରୋଭେଲି’ ।
ଆଶିଷ, ପ୍ରଜ୍ଞା ରାଜ୍ୟ ବାହାରେ ଏକ ବଡ଼ କମ୍ପାନୀରେ କାମ କରୁଥିଲେ। ଦୁହେଁ ଉଚ୍ଚ ପଦରେ କାମ କରିବା ସହ ସେମାନଙ୍କ ରୋଜଗାର ମଧ୍ୟ ଭଲଥିଲା। ହେଲେ ତାଙ୍କ ମନରେ କୁହୁଳୁଥିଲା ନିଜ ମାତୃଭୂମିରେ କିଛି କରିବାର ଇଛା । ଭାଗ୍ୟ ତାଙ୍କୁ ସୁହାଇଲା, ସେଇ ସମୟରେ ପ୍ରଜ୍ଞା ତାଙ୍କ ନଣନ୍ଦଠୁ ଜାଣିବାକୁ ପାଇଥିଲେ ହାଇଡ୍ରୋପୋନିକ ଫାର୍ମିଙ୍ଗ ବିଷୟରେ । ଯେଉଥିରେ ମାଟିର ଆବଶ୍ୟକତା ନାହି ଏବଂ ଖଣିଜତତ୍ତ୍ଵ ପୂର୍ଣ୍ଣ ପାଣିରେ ଏହି ଚାଷ କରାଯାଏ । ତା’ ସାଙ୍ଗକୁ ୯୦% କମ୍ଜଳ ଖର୍ଚ୍ଚରେ ଫସଲ ଉତ୍ପାଦନ ହେବ । ଏଇ ନୂଆ ପ୍ରଣାଳୀର ଚାଷ ତାଙ୍କୁ ବେଶ ଆକର୍ଷିତ କରିଥିଲା । ଅନୁସନ୍ଧାନ କରିବା ପରେ ଶେଷରେ ସେମାନେ ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗ କରିବାକୁ ସ୍ଥିର କଲେ । ଚାଷ ଆରମ୍ଭ କରିବା ପୂର୍ବରୁ ଏହି ଦମ୍ପତି ଗଭୀର ଅନୁସନ୍ଧାନ କରିଥିଲେ, ବିଭିନ୍ନ ପ୍ରକାର ବହି ପଢ଼ିବା ସହ ୟୁ-ଟ୍ୟୁବ୍ରୁ ମଧ୍ୟ ଜ୍ଞାନ ଆହରଣ କରିଥିଲେ । ହାଇଡ୍ରୋପୋନିକ ଫାର୍ମିଙ୍ଗ ଚାଷ ର କଳା ଶିଖିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। କିନ୍ତୁ ଏବେ ଆବଶ୍ୟକ ଥିଲା ଗୋଟେ ସଠିକ ଯୋଜନାର । ପ୍ରଜ୍ଞା ଓଡିଶା ଆସିଲା ପରେ ବଜାରକୁ ଅନୁଧ୍ୟାନ କରିଥିଲେ ଏବଂ ଅନୁଧ୍ୟାନ ଦ୍ଵାରା ଜଣା ପଡିଲା ଯେ ଲେଟ୍ୟୁସ, ତୁଲସୀ, ଚେରୀ, ଟମାଟୋ ଏବଂ ପତ୍ରଯୁକ୍ତ ପନିପରିବାର ଚାହିନ୍ଦା ଅଧିକ କିନ୍ତୁ ଏହାର ଯୋଗାଣ ଥିଲା କମ ।
ଚାକିରିଠୁ କିଛି ଦିନର ଛୁଟି ନେଇ ଘରକୁ ଆସିଲେ ଆଶିଷ। ଯୋଜନା ଅନୁସାରେ ଆଶିଷ ଉତ୍ପାଦନ ଭାଗ ସମ୍ଭାଳିଲେ । ଅନ୍ୟ କୁଆଡ଼େ ନଯାଇ ନିଜ ଘରଛାତ ଉପରେ ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ଚାଷ କଲେ । ପରିଶ୍ରମର ପ୍ରକୃତ ମୂଲ୍ୟ ନିଶ୍ଚୟ ମିଳେ, ଏକଥା ଆମ ବଡ଼ମାନେ କହିଛନ୍ତି । ଆଶିଷ, ପ୍ରଜ୍ଞାଙ୍କୁ ମଧ୍ୟ ଏଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ମିଳିଲା ତଥା ନିଜ ଉଦ୍ୟମ ଦ୍ଵାରା ବେଶ ଲୋକପ୍ରିୟ ହେଲେ । ପରବର୍ତୀ ସମୟରେ ଆଶିଷ ପୁରା ସମୟ ନିଜ ଚାଷକୁ ଦବାପାଇଁ ସ୍ଥିର କଲେ । ୨୦୧୯ ନଭେମ୍ବରରେ ଚାଷ କରି ସଫଳ ହୋଇଥିବା ଏହି ଯନ୍ତ୍ରୀ ନିଜ ଉଦ୍ୟମ ଜାରି ରଖିଲେ । ଠିକ ସେଇ ସମୟରେ ଦଇବର କୁଠାରଘାତରେ ଆଶିଷ, ପ୍ରଜ୍ଞା ଉଦ୍ୟମରେ ବାଧା ସୃଷ୍ଟି ହୋଇଥିଲା । କାରଣ ପୂରା ବିଶ୍ଵରେ ସେତେବେଳେ କରୋନାର କାୟା । କିନ୍ତୁ ଲୋକମାନଙ୍କର ପ୍ରଶଂସା ଏବଂ ଯୋଗଦାନ ତାଙ୍କ ମନୋବଳ ଦୃଢ କରି ରଖିଥିଲା । ଯେମତି ଯେମତି କରୋନାର ପ୍ରକୋପ କମିଲା ତଥା ଧୀରେ ଜନଜୀବନ ସ୍ଵାଭାବିକ ହେଲା, ୨୦୨୧ ଅଗଷ୍ଟରେ ପୁଣି ଥରେ ସେମାନଙ୍କ ହାଇଡ୍ରୋପୋନିକ ଚାଷ ଜୋର ଧରିଲା । ଏଥରକ ଘର ପଛ ପାଖ ବାରିରେ ସେ ‘ଫେନ ଆଣ୍ଡ ପୋଳୀ ହାଉସ’ ରେ ଚାଷ କଲେ । ଯାହା ଫଳ ସ୍ଵରୂପ ବର୍ଷ ସାରା ଯେକୌଣସି ପାଗକୁ ଖାତିର ନକରି ଉପଯୁକ୍ତ ନିୟନ୍ତ୍ରିତ ବାୟୁମଣ୍ଡଳୀୟ ସ୍ଥିତିରେ ଉଦ୍ଭିଦ ଗୁଡିକର ବୃଦ୍ଧି ସମ୍ଭବ ହୋଇପାଇଲା ।
ଓଡ଼ିଶାରେ ଏଭଳି ଉନ୍ନତ ଧରଣର ଚାଷର ମୂଳଦୁଆ ପକାଇବାରେ ସେମାନେ ପ୍ରଥମ । ସଫଳତାକୁ ହାତେଇ ପାରିବେକି ନାହିଁ, ଏଥିପାଇଁ ସେମାନଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଧୈର୍ଯ୍ୟ, ଆତ୍ମନିଷ୍ଠା, ପରିଶ୍ରମ ଆଶିଷ ପ୍ରଜ୍ଞାଙ୍କୁ ବାଟ କଢ଼ାଇ ଦେଇଛି । ବିଭିନ୍ନ ଖାଦ୍ୟ ପ୍ରଦର୍ଶିନୀ ଓ ସୋସିଆଲ ମିଡିଆ ମାଧ୍ୟମ ପାଇଁ ଲୋକମାନଙ୍କ ନିକଟକୁ ଆସି ପାରିଛନ୍ତି । ଚାହିଦା ଅନୁଯାୟୀ ହିସାବକରୀ ବୃକ୍ଷରୋପଣ କରିବା ଯୋଗୁ ଅମଳର ଅନାବଶ୍ୟକ ନଷ୍ଟ ହୁଏନି । ଯଦିଓ କିଛି ବଳି ଯାଏ, ସେମାନେ ପରିବାର, ପଡ଼ୋଶୀ, ଏବଂ ଫୁଡ ବ୍ଲଗର୍ କିମ୍ବା ସ୍ଥାନୀୟ ରେଷ୍ଟୁରାଣ୍ଟ ମଧ୍ୟରେ ଅତିରିକ୍ତ କିମ୍ବା ଅବଶିଷ୍ଟ ଉତ୍ପାଦଗୁଡିକୁ ବଣ୍ଟନ କରନ୍ତି ।
ନିଜମାଟିରେ ସଫଳତା ପାଇବାର ମଜା ନିଆରା ଲାଗେ ବୋଲି କହିଛନ୍ତି ଆଶିଷ । ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗରୁ ସେମାନଙ୍କୁ ବେଶ୍ ଭଲ ରୋଜଗାରର ବାଟ ଏବଂ ଲୋକପ୍ରିୟତା ମିଳିଛି । ଯୁବପିଢ଼ିଙ୍କୁ ଏହି ଦମ୍ପତି ପରାମର୍ଶ ଦେଇଛନ୍ତି, ମହାନଗରୀର ଚାକଚକ୍ୟ ଦେଖିବାକୁ ଭଲଲାଗେ କିନ୍ତୁ ସେଠି ନିଃସଙ୍ଗ ଜୀବନ ବିତାଇବା ଭାରି କଷ୍ଟକର । ଏହି ଉଦ୍ୟମ ସେମାନଙ୍କୁ ନିଜ ବୟସ୍କ ବାପା-ମା’ଙ୍କ ସାଥିରେ ରହିବାର ସୁଯୋଗ ମଧ୍ୟ ଦେଇଛି । ଆଶିଷ-ପ୍ରଜ୍ଞାଙ୍କର ଏହି ସଫଳତା ଦେଖି ଅନ୍ୟ ଯୁବପିଢ଼ି ମଧ୍ୟ ହାଇଡ୍ରୋଫାର୍ମିଙ୍ଗ କରିବାକୁ ଆକର୍ଷିତ ହେଉଛନ୍ତି ଆଉ ନିଜ ଜୀବନକୁ ସଶକ୍ତ ଓ ଆଲୋକିତ କରି ପାରିଛନ୍ତି । ଗ୍ରାହକଙ୍କୁ ସୁସ୍ଥ ପନିପରିବା ଯୋଗାଇ ସେମାନଙ୍କ ସନ୍ତୁଷ୍ଟତା, ପ୍ରଶଂସା ଏବଂ ଆମ ପରିବାରର ସମର୍ଥନ ସବୁବେଳେ ଆମ ପାଇଁ ପ୍ରେରଣାଦାୟୀ ବୋଲି କହୁଛନ୍ତି ଦମ୍ପତି ।