ଜୀବନ ପାଇଁ ଜରୁରୀ ଶିକ୍ଷା । କିନ୍ତୁ ସବୁରି ଭାଗ୍ୟରେ ଉଚିତ ଶିକ୍ଷା ଲାଭ କରିବାର ସୁଯୋଗ ଜୁଟେନା । ଆମ ରାଜ୍ୟରେ ଏମତିବି ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ଦୁଇ ପଇସା ଅଧିକ ରୋଜଗାର ପାଇଁ ନିଜ ପିଲାମାନଙ୍କୁ ଅତି କମ ବୟସରେ କାମରେ ଲଗାଇ ଦିଅନ୍ତି। ସେମାନେ ବୁଝି ପାରନ୍ତିନି ଶିକ୍ଷାର ମହତ୍ଵ । ଯେଉଁ ପିଲା କାମକରି କିଛି ରୋଜଗାର ଯୋଗଉଅଛି ତାକୁ କିଏ ବା କାହିଁକି ସ୍କୁଲ ଛାଡିବ! ସମ୍ବଲପୁର ଜିଲ୍ଲାର ଗ୍ରାମଚଞ୍ଚଳରେ ଏଇ ଭଳି ସ୍ଥିତିର ମୁକାବିଲାକରି ଶିକ୍ଷାର ସୁରଭି ବିତରଣ କରିବାର ନିଷ୍ଠାପର ଉଦ୍ୟମ କରିଚାଲିଛନ୍ତି ଧାନକୁଡା ବ୍ଲକ ରାଜପଡା ଗାଁ’ର ଯୁବକ- ଅବିନାଶ ମିଶ୍ର ।
ସମ୍ବଲପୁର AIMS କଲେଜରେ ଜଣେ କିରାଣୀ ଭାବେ କାମ କରୁଥିବା ଅବିନାଶ ନିଜର ନିରନ୍ତର ଉଦ୍ୟମ ବଳରେ ଗ୍ରାମାଞ୍ଚଳର ଗରିବ ଆଦିବାସୀ ପିଲାଙ୍କ ଲାଗି କରିଛନ୍ତି ସୁଗମ ଶିକ୍ଷାର ବ୍ୟବସ୍ଥା । ଏଇ ବ୍ୟବସ୍ଥାର ନାମ ରଖିଛନ୍ତି ‘ଶିକ୍ଷାର ଚାଟଶାଳୀ’ । ନିଜସ୍ଵ ଉଦ୍ୟମରେ ଆରମ୍ଭ କରିଥିବା ‘ଶିକ୍ଷାର ଚାଟଶାଳୀ’ କାମରେ ଏବେ ସହଯୋଗର ହାତ ବଢାଇଛନ୍ତି କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ । ମାତ୍ର ଦୁଇଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଅବିନାଶଙ୍କ ‘ଶିକ୍ଷାର ଚାଟଶାଳୀ’ ରେ ଏବେ ଆଖପାଖ ୧୨ଟି ଗାଁର ପ୍ରାୟ ୨୫୦ ଗରିବ ପିଲା ଶିକ୍ଷାର ସୁଯୋଗ ପାଉଛନ୍ତି । ଆଉ ଏଇ ସଂଖ୍ୟା ଏବେ ଧୀରେ ଧୀରେ ବଢିବାରେ ଲାଗିଛି।
ପିଲାବେଳୁ ନିଜ ବାପାଙ୍କୁ ହରେଇଥିବା ଅବିନାଶଙ୍କ ପାଇଁ ଶିକ୍ଷା ଅର୍ଜନ କରିବା ବେଶ କଷ୍ଟକର ଥିଲା । ଖୁବ ଅଭାବ ଅନାଟନ ଭିତରେ ସେ ନିଜର ପ୍ରାଥମିକ ଶିକ୍ଷା ଅର୍ଜନ କରିଥିଲେ । ଅନେକ କଷ୍ଟକରି, କେତେବେଳେ ସ୍କଲାରଶିପ ତ କେବେ ପାର୍ଟ-ଟାଇମ ଚାକିରି ମାଧ୍ୟମରେ ନିଜର ଉଚ୍ଚଶିକ୍ଷ। ସଂପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ ଅବିନାଶ ।
ବି.ଟେକ ଡିଗ୍ରୀ ଲାଭ କରିଥିବା ଅବିନାଶ କଲେଜ ପଢୁଥିବା ସମୟରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିନରେ ଜଣେ ପାର୍ଟ-ଟାଇମ୍ ସଂଯୋଜକ ଭାବେ କାମ କରୁଥିଲେ । ସମ୍ବଲପୁର ଧାମା ବନାଞ୍ଚଳ ଅନ୍ତର୍ଗତ କିଛି ଦୁର୍ଗମ ଗ୍ରାମାଞ୍ଚଳର ରେକର୍ଡ ଦେଖିବାକୁ ପଡୁଥିଲା ତାଙ୍କୁ । ସେଇ ସମୟରେ ସେ ଦେଖିଥିଲେ କେମିତି ଗରିବ ଆଦିବାସୀ ପିଲାମାନେ ପାଠ ପଢା ଛାଡି ନିଜ ବାପା-ମାଙ୍କ ସହିତ ମିଶି ଅର୍ଥ ରୋଜଗାର ଲାଗି କାରଖାନା ଆଦିରେ କାମ କରୁଛନ୍ତି ଓ ପରିବାରର ପେଟ ଭରିବା ପାଇଁ ମଜୁରି ଖଟୁଛନ୍ତି । ଏଇ ଅଞ୍ଚଳ ସବୁରେ ଅନେକ ସ୍କୁଲ ପିଲାଶୂନ୍ୟ ହେଇ ବନ୍ଦ ହେଇ ଯାଉଛି, ଏ କଥା ଅବିନାଶଙ୍କୁ ବେଶ ପ୍ରଭାବିତ କରିଥିଲା । ଆର୍ଥିକ ପ୍ରତିବନ୍ଧକ ହେତୁ ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା ତାଙ୍କୁ, ଆଉ ସେଥିପାଇଁ ଜୀବନରେ ଶିକ୍ଷାର ମହତ୍ଵ କୁ ସେ ହୃଦୟଙ୍ଗମ କରିଥିଲେ ଖୁବ ଗଭୀରଭାବେରେ । ନିଜର ଅନୁଭବ ତାଙ୍କୁ ଗରିବ ଆଦିବାସୀ ପିଲାମାନଙ୍କ ପାଇଁ କିଛି କରିବାକୁ ସବୁବେଳେ ପ୍ରେରଣା ଦେଉଥିଲା । ଅନେକ କଷ୍ଟରେ ସ୍ଥାନୀୟ ସହାଜକୁଲିଆ ଗାଁରେ ଅବିନାଶ ଆରମ୍ଭ କଲେ ଏଇ ପିଲାଙ୍କ ପାଇଁ ‘ଶିକ୍ଷା ର ଚାଟଶାଳୀ’ । ତାଙ୍କର ଏଇ କାମରେ ପ୍ରଥମେ ସହଯୋଗର ହାତ ବଢାଇଥିଲେ ସେଇ ସାହାଜକୁଳିଆ ଗାଁର ଛୋଟ ଝିଅଟିଏ- ମନୋନୀତ ସୁରେନ ।
“ପ୍ରଥମେ-ପ୍ରଥମେ ପିଲାଙ୍କର ବାପା ମାଙ୍କୁ ଶିକ୍ଷାର ମହତ୍ଵ ଆଉ ଆବଶ୍ୟକତା ବିଷୟରେ ବୁଝାଇବା କଷ୍ଟସାଧ୍ୟ ହେଉଥିଲା । ତେବେ ଯେତେବେଳେ ଆମେ ସେମାନଙ୍କୁ ଆଶ୍ୱାସନା ଦେଲୁ ଯେ ଆମେ ସମସ୍ତ ଅଧ୍ୟୟନ ସାମଗ୍ରୀ ଏବଂ ଶିକ୍ଷା ବ୍ୟବସ୍ଥାର ଖର୍ଚ୍ଚ ବହନ କରିବୁ, ସେମାନେ ନିଶ୍ଚିତ ହୋଇଥିଲେ ଏବଂ ସେମାନଙ୍କ ପିଲାମାନଙ୍କୁ ଚାଟଶାଳୀ କୁ ପଠାଇଥିଲେ। ମାତ୍ର ଦୁଇ ଜଣ ପିଲାଙ୍କୁ ନେଇ ଆମେ ଚାଟଶାଳୀ ଆରମ୍ଭ କରିଥିଲୁଦେଖୁ ଦେଖୁ ପିଲା ମାନଙ୍କର ସଂଖ୍ୟା 2 ରୁ ହେଲା 25 । ନିଷ୍ଠାପର ଉଦ୍ୟମରୁ ଉଭୟ ପିଲା ମାନଙ୍କର ଏବଂ ମାତା ପିତାଙ୍କ ଭିତରେ ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି ସମ୍ଭବ ହେଲା”
ସାହାଜକୁଲିଆ ଗାଁ ପରେ ଗୋଇନପୁରା, ବାଇଡିଙ୍ଗା, ଶିତଲପାଲି, ଅମକୁନି, ହୋତାପାଲ, ସୁବାନପୁର, ଜାମଟିକ୍ରା, ବାଦମଲ, ଭୀମଖୋଜ, ମହାପାଲି, ଏବଂ ଗୁମ୍ଲୋଇ ପରି 12 ଟି ଗାଁରେ ଖୋଲିଛି ‘ଶିକ୍ଷାର ଚାଟଶାଳୀ’ । ଦଶମାସ ମଧ୍ୟରେ, ଚାଟଶାଳୀରେ ଏବେ ପ୍ରାୟ ୨୫୦ ଗରିବ ପିଲା ମାଗଣା ଶିକ୍ଷା ନେବା ସମ୍ଭବ ହୋଇଛି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢୁଛନ୍ତି । ଅବିନାଶଙ୍କ ସହିତ ଦଶଜଣ ଶିକ୍ଷକ ଦିନକୁ ଦୁଇଥର ସମୟ ବାହାର କରି ନିୟମିତ ପିଲାଙ୍କୁ ଶିକ୍ଷାଦାନ କାମରେ ଲାଗିଛନ୍ତି । ଅବିନାଶ ପ୍ରତ୍ୟେକ ଦିନ ନୋଟକ୍ୟାମ୍ ଆପ୍ ବ୍ୟବହାର କରି ପ୍ରତି ଗାଁ’ରେ ଥିବା ଶିକ୍ଷା ର ଚାଟଶାଳୀକୁ ତଦାରଖ କରନ୍ତି ।
“ଶିକ୍ଷାର ମହତ୍ଵ ଏବଂ ତା ମାଧ୍ୟମରେ ଏକ ଭଲ ଜୀବନର ସମ୍ଭାବନା ଦିଗରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେବାର ଚେଷ୍ଟାକରେ । ପିଲାଙ୍କ ଭିତରେ ଜ୍ଞାନ-କୌଶଳର ବିକାଶ କରିବା ମୋର ଲକ୍ଷ୍ୟ। ଛୋଟ ଛୋଟ ଉପଲବ୍ଧିରୁ ସବୁବେଳେ ପିଲାମାନେ କିପରି ପ୍ରୋତ୍ସାହନ ପାଇବେ ତା ଦେଖିବା ଆମ କାମର ମୂଳମନ୍ତ୍ର । ଏହା ପିଲାଙ୍କ ଆତ୍ମବିଶ୍ୱାସ ଏବଂ ମନୋବଳକୁ ସୁଦୃଢ କରେ ଓ ପ୍ରତିଯୋଗୀ ମନୋଭାବକୁ ବଢାଏ । ଭିନ୍ନକ୍ଷମ ଏବଂ କମବୁଧିଆଙ୍କ ପ୍ରତି ଆମ ପିଲାଙ୍କ ଭିତରେ ଏକ ଆନ୍ତରିକ ମନୋଭାବ ବଜାୟ ରଖିବାକୁ ଆମେ ପ୍ରେରଣା ବି ଦେଉ। ଉପଯୁକ୍ତ ମାର୍ଗଦର୍ଶନ ଓ ନିଷ୍ଠାପର ଅଧ୍ୟୟନ ମାଧ୍ୟମରେ ଆମେ ପିଲାଙ୍କ ପାଇଁ ଉତ୍ତମ କ୍ୟାରିୟରର ସମ୍ଭାବନା ଜାଗ୍ରତ କରିବାର ଚେଷ୍ଟାରେ ଲାଗିଛୁ । ସମ୍ବଲପୁର ଜିଲ୍ଲାର ଆଉ 24 ଟି ଗାଁ ଆମେ ଚିହ୍ନଟ କରିଛୁ ଯେଉଁଠାରେ ଆମେ ଅଧିକ ଅଭାବୀ ପିଲାମାନଙ୍କୁ ଶିକ୍ଷାର ଚାଟଶାଳୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବୁ । ଆମ କାମରେ ଉତ୍ସାହିତ ହୋଇଏବେ କେହି କେହି ଦାତା ଶିକ୍ଷା ର ଚାଟଶାଳୀ ମାଧ୍ୟମରେ ଗରିବ ପରିବାରର ପିଲାଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି”
ଅବିନାଶଙ୍କ ‘ଶିକ୍ଷାର ଚାଟଶାଳୀ’ ଗରିବ ପିଲାମାନଙ୍କ ପାଇଁ ଏକ ଆଶୀର୍ବାଦ ଅଟେ । ଅବିନାଶ ଏବଂ ତାଙ୍କ ନିଷ୍ଠାପର ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଅବିନାଶଙ୍କୁ ହୃଦୟଭାର ଅଭିନନ୍ଦନ ।