ଚେଲ୍ଲାପିଲ୍ଲା ଶାନ୍ତାକାର । କୋରାପୁଟ ସହରର ପୂଜାରିପୁଟରେ ଘର ତାଙ୍କର । ଜଣେ ସୁଦକ୍ଷ ସାମ୍ବାଦିକ ଭାବରେ ବେଶ ନା’ଡାକ ରହିଛି ତାଙ୍କର ସ୍ଥାନୀୟ ଅଞ୍ଚଳରେ। ତେବେ ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଶାନ୍ତକାରଙ୍କର ପ୍ରଥମ ପ୍ରେମ ହେଉଛି ପ୍ରକୃତି, ପରିବେଶ ଆଉ କୋରାପୁଟ । ଆଉ ସମାଜ ସେବା ବିଶେଷକରି ଆମର ଆସନ୍ତାକାଲିର ଭବିଷ୍ୟତ କୁନି କୁନି ପିଲାଙ୍କର ବୌଦ୍ଧିକ ବିକାଶ, ସାମଗ୍ରିକ ଚେତନାର ଉନ୍ମେଷକୁ ନିଜର ଏକମାତ୍ର ଧର୍ମ ଭାବରେ ବରିନେଇଛନ୍ତି ସେ । କୋରାପୁଟ ଅଞ୍ଚଳରେ କୋମଳମତି ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ନିରବଛିନ୍ନ ଭାବେ ସେ ନିଷ୍ଠାପର ଉଦ୍ୟମ କରିଚାଲିଛନ୍ତି । ବିଗତ ପ୍ରାୟ ତିରିଶ ବର୍ଷ ଧରି ସେ କରି ଚାଲିଥିବା ଏଇ ପ୍ରୟାସ କେବଳ କୋରାପୁଟ ଜିଲ୍ଲା ନୁହେଁ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଅନେକ କୋମଳମତି ଶିଶୁଙ୍କ ଭିତରେ ସୃଷ୍ଟି କରିପାରିଛି ଦୃଢ ଆତ୍ମବିଶ୍ଵାସ, ସହଭାଗୀତା ଏବଂ ସାରା ଜଗତ ସାଥିରେ ନିଜ ଚେତନାର ସମ୍ପୃକ୍ତି । ଅନ୍ତର୍ନିହିତ ଭାବନାକୁ ସକାରାତ୍ମକ ଭାବେ ଉଜାଗର ନିମନ୍ତେ ସେ ପିଲା ମାନଙ୍କୁ ପ୍ରେରିତ କରିବାରେ ଅନେକଟା ସଫଳ ହେଇ ପାରିଛନ୍ତି ।
କିନ୍ତୁ ସଫଳତା ପାଇବା ପୂର୍ବରୁ ଆନେକ ଝଡଝଞ୍ଜାର ମୁକାବିଲା କରିବାକୁ ପଡିଛି ଶାନ୍ତକାରଙ୍କୁ । ସମ୍ବାଦିକତା ର ପେଶା ତାଙ୍କୁ ସଚେତନ କରାଇଥିଲା ନିଜ ଅଞ୍ଚଳରେ ଅନେକ ସାମାଜିକ ସମସ୍ୟା ସମ୍ବନ୍ଧରେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ବିଶେଷକରି ଆଦିବାସୀ ବାଳକ-ବାଳିକା ମାନଙ୍କର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଥିବା ଦୋଷ ତ୍ରୁଟି ତାଙ୍କୁ ମର୍ମାହତ କରିଥିଲା । ଗ୍ରାମାଞ୍ଚଳରେ ତ ଅନେକ ପିଲା ଅଳ୍ପ କେଇଦିନ ସ୍କୁଲ ଯାଇ ପାଠ ପଢା ହିଁ ଛାଡି ଦେଉଥିଲେ । ନିଜ ଅଞ୍ଚଳର ପିଲାଙ୍କଲାଗି ଆନନ୍ଦଦାୟକ ଆଦର୍ଶ ପ୍ରାଥମିକ ଶିକ୍ଷାବ୍ୟବସ୍ଥା କ୍ଷେତ୍ରରେ ନିଜର ଛୋଟ ଯୋଗଦାନ ଦେବାକୁ ୧୯୯୩ ମସିହାରେ ନିଜସ୍ଵ ଉଦ୍ୟମରେ ସେ ଆରମ୍ଭ କରିଥିଲେ ସ୍କୁଲଟିଏ । ପିଲାଏ ପ୍ରଥମଥର ସ୍କୁଲ ଆସିବା ପରେ ଚିରାଚରିତ ଶୈଳୀରେ ପାଠପଢା ପ୍ରତି ଅନେକ ପିଲାଙ୍କର ଅନାଗ୍ରହଭାବ, ଶ୍ରେଣୀକକ୍ଷରେ ଶିକ୍ଷକ-ପିଲାମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନରେ ଥିବା ସମସ୍ୟା, ନିଜ ମନକଥା ବ୍ୟକ୍ତ କରିବାରେ ଅକ୍ଷମତା, ଶ୍ରେଣୀକକ୍ଷରେ ପାଠପଢା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପିଲାଙ୍କର ଉଚିତ ଭାଗୀଦାରୀ ଲାଗି ଅନାଗ୍ରହ ଇତ୍ୟାଦି ଅନେକ ବୌଦ୍ଧିକ ତଥା ମାନସିକ ସମସ୍ୟା ତାଙ୍କ ନଜରକୁ ଆସିଲା । ଆଉ ଏଇ ସମସ୍ୟା ସବୁର ସମାଧାନ ପାଇଁ ଶିକ୍ଷାଦାନ ପଦ୍ଧତିର କିଛି ନୂଆ ବିକଳ୍ପ ଖୋଜିବାରେ ଲାଗିଲେ ସେ ।
ସାମ୍ବାଦିକତା ପେଶାର ଅନୁଭବ ତାଙ୍କୁ ଏ କାମରେ ଏକ ନୂଆ ଦିଗଦର୍ଶନ ଦେଲା। “ଜାଣିବା ଏବଂ ଜଣେଇବା – ଏ ହେଉଛି ସାମ୍ବାଦିକତା ର ମୂଳ ମନ୍ତ୍ର ଆଉ ଏ ମନ୍ତ୍ର କୁ ସେ ପିଲାଙ୍କର ଭବିଷ୍ୟତ ସଜାଡିବା କାମରେ ବି ପ୍ରୟୋଗ କଲେ । ଶିଶୁ ମନର ଚିନ୍ତାଧାରା,ଭାବନା,ଅନୁଭୂତି, ସୃଜନଶୀଳତା ସବୁ କିଛିକୁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ସ୍କୁଲ ସ୍କୁଲ ବୁଲି ପିଲାଙ୍କୁ ଉତ୍ସାହିତ କଲେ । ଶାନ୍ତାକାରଙ୍କ ପ୍ରଚେଷ୍ଟାରେ ପ୍ରକାଶ ପାଇଲା ଶିଶୁ ସାମ୍ବାଦିକଙ୍କର ହସ୍ତଲିଖିତ ପତ୍ରିକା ‘ଅଙ୍କୁରୋଦଗମ’। କୋରାପୁଟର କୁନି କୁନି ସ୍କୁଲ ପିଲାଙ୍କ ଅନ୍ତର୍ନିହିତ ସୃଜନଶୀଳତା କୁ ନୂଆ ରାହା ଦେଲା ଏଇ ପତ୍ରିକା।
୨୦୦୫ ମସିହା ରେ ‘ ନିଜ ସ୍କୁଲ ଦାଇତ୍ଵରୁ ଅବ୍ୟାହିତି ନେଇ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମକୁ ସୁଦୂରପ୍ରସାରି କରିବାରେ ଲାଗିଲେ ଶାନ୍ତାକାର । ଏଥିରେ ତାଙ୍କୁ UNICEF ଏବଂ କୋରାପୁଟ କୃଷକ ସଂଗଠନ ର ସହଯୋଗ ମଧ୍ୟ ମିଳିଲା । ପିଲାଙ୍କପାଇଁ କାମ କରିବାକୁ ଶାନ୍ତାକାରଙ୍କ ଉଦ୍ୟମରେ କୋରାପୁଟର ସ୍କୁଲ ଶିକ୍ଷକ ଓ ଅଭିଭାବକମାନଙ୍କୁ ନେଇ ଗଠିତ ହୋଇଛି ‘PGCD’ ବା ‘Peoples Group For Children’s Development’ ।
ଶିକ୍ଷକ ଓ ମାତା-ପିତା ଙ୍କୁ କିପରି ଶିଶୁ ଅନୁକୂଳ ପରିବେଶ ଯୋଗାଇହେବ, ଶିକ୍ଷାଦାନ ପଦ୍ଧତିକୁ କିପରି ରୋଚକ ଓ ଆନନ୍ଦଦାୟକ କରାଯାଇପାରିବ, ପିଲାମାନଙ୍କୁ ନିଜ ପରିସର ପରିବେଶ ସହ ବର୍ତ୍ତମାନର ଦୁନିଆ ସହିତ ପରିଚିତ କରାଇବା ସହ ସେମାନଙ୍କ ସୃଜନଶୀଳତା ଓ ସାମଗ୍ରିକ ବୌଦ୍ଧିକ ବିକାଶ କିପରି ହୋଇପାରିବ, ଯାହାକି ସେମାନଙ୍କର ଭବିଷ୍ୟତକୁ ସଠିକ ଭାବରେ ଗଢି ପାରିବ ସେ ଦିଗରେ ଆମେ PGCD’ ମାଧ୍ୟମରେ ନିରନ୍ତର ଉଦ୍ୟମ କରିଚାଲିଛୁ।
ବର୍ଷବର୍ଷ ଧରି ଶାନ୍ତାକାରଙ୍କ ନିଷ୍ଠାପର ପ୍ରୟାସର ସୁଫଳ ଏବେ କୋରାପୁଟର ସୀମା ସରହଦ ଡେଇଁ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମଧ୍ୟ ଅନୁଭୂତ ହେଲାଣି। ତାଙ୍କର ‘ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ କୁ ରାଜ୍ୟ ସକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ଵାରା ଅନୁମୋଦିତ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେଇଛନ୍ତି। କେବଳ ଓଡିଶା ନୁହେଁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଏବଂ ଦିଲ୍ଲୀର ଅନେକ ସ୍କୁଲରେ ଶାନ୍ତାକରଙ୍କ ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ ଆଦୃତ ହେବା ସାଙ୍ଗକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି।
ଶାନ୍ତକାରଙ୍କ ଅଭିଭାବକତାରେ କୋରାପୁଟ ର ମଫସଲ ଅଞ୍ଚଳର ଆଦିବାସୀ ପିଲାଏ ବେଜିଂଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶିଶୁ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଅନୁଭୂତି ଏବଂ ଚିନ୍ତାଧାରା ବ୍ୟକ୍ତ କରିବା ଏକ ବଡ ଉପଲବ୍ଧି ନିଶ୍ଚୟ।
No child of Mine can Be Zero’ – କୌଣସି ବି ପିଲା କେବେ ବିଚାରଶୂନ୍ୟ ନ ଥାଏ’ – ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଏଇ କଥା ମତେ ସବୁବେଳେ ପ୍ରଭାବିତ କରିଆସିଛି। ସେମମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବୁଝି ସ୍ବୀକୃତି ଦେବାର ଆବଶ୍ୟକତା ରହିଛି। ଶିଶୁମାନଙ୍କୁ ସେମମାନଙ୍କ ୫ ଇନ୍ଦ୍ରିୟକୁ ବ୍ୟବହାର କରି ପଢିବା, ଲେଖିବା, ଏବଂ ଅଧିକଠୁ ଅଧିକ ପ୍ରଶ୍ନ ପଚାରିବା ପାଇଁ ପ୍ରେରଣ। ଦେବା ଜରୁରୀ । ଜିଜ୍ଞାଷା ଶିଶୁଙ୍କୁ ଆହୁରି ଗଭୀର ଜ୍ଞାନ ଦିଏ ଏବଂ ନିଜ ଆଖ-ପାଖରେ ଘଟୁଥିବା ଘଟଣା ବିଷୟରେ ବୁଝିକି ସମସ୍ତଙ୍କ ସାମନାରେ ନିଜ ପ୍ରତିକ୍ରିୟା ବ୍ୟକ୍ତକଲେ ସେମାନଙ୍କର ଆତ୍ମବିଶ୍ଵାସ ଦୃଢ ହୋଇଥାଏ। ଆଜି ପଞ୍ଚାବନ ବର୍ଷ ବୟସରେ ମଧ୍ୟ ମୁଁ ପିଲାଙ୍କ ମଝିରେ ପିଲାଟିଏ ହେଇ କାମ କରୁଛି ।
ମୁଁ ଚାହେଁ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମର ଲାଭ ଗାଁ ମଫସଲର ପ୍ରତ୍ୟେକଟି ପିଲାକୁ ମିଳୁ । ମୁଁ ଏମତି ଏକ ଦୁନିଆର ସ୍ଵପ୍ନ ଦେଖୁଛି ଯେଉଁଠି ପିଲାମାନଙ୍କର ସବୁ କଥାକୁ ବଡମାନେ ଧର୍ଯ୍ୟ ଓ ସମ୍ବେଦନଶୀଳତା ସହ ଶୁଣିବେ ଏବଂ ପିଲାଙ୍କର ସାମଗ୍ରିକ ମାନସିକ ବୌଦ୍ଧିକ ବିକାଶ ପାଇଁ ଚେଷ୍ଟା କରିବେ ।
ଶାନ୍ତକାରଙ୍କ ସ୍ଵପ୍ନ ସାର୍ଥକ ହେଉ । ସେ ଆମ ସବୁରି ପ୍ରେରଣା ତାଙ୍କୁ ଆମର ହୃଦୟଭରା ସାଧୁବାଦ !!