ଆମ ପାଠପଢ଼ା ବହିରେ ବିଦେଶୀ ପ୍ରଜାତିର ପଶୁପକ୍ଷୀଙ୍କ ସବିଶେଷ ବିବରଣୀ ଲେଖାହୋଇଛି।ଦେଶର, କିମ୍ବା ରାଜ୍ୟର ଜୀବଜନ୍ତୁଙ୍କ ପ୍ରଜାତି ବିଷୟରେ ପଚାରିଲେ, ପିଲାଏ ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। ମନରେ ଧାରଣା ଆସୁଛି ଯେ ସତରେ କ’ଣ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ଗାଈ, ମଇଁଷି, କୁକୁଡ଼ାର ପ୍ରଜାତି ଅଛି! ସବୁସାଧାରଣ ଲୋକଙ୍କ ଧାରଣା ହୋଲଷ୍ଟନ୍, ହରିୟାନା, ରେଡ୍ ସିନ୍ଧି, ଓଙ୍ଗୋଲେ ଆଦି ପ୍ରଜାତି ଅଛନ୍ତି, ଏ ଭିତରେ ଓଡ଼ିଶାର ସ୍ଥାନ ନାହିଁ। ତେଣୁ, କିଏ କାହିଁ ଜାଣିବ ଯେ ସତରେ ଓଡ଼ିଶାର ବାସିନ୍ଦା ଭଳି ଏଠିକାର ଜୀବଜନ୍ତୁମାନେ ମଧ୍ୟ କାହିଁ କେଉଁ କାଳରୁ ବାସିନ୍ଦା ଭାବେ ରହିଆସୁଛନ୍ତି। ଆଉ ଏମାନଙ୍କର ପରିଚୟ ଖୋଜିବାରେ ଲାଗିଛନ୍ତି ପ୍ରଫେସର ସୁଶାନ୍ତ କୁମାର ଦାଶ।
ନିଃସ୍ବାର୍ଥପର ମନୋଭାବରେ ପ୍ରଫେସର ଦାଶ ଗଲା କେତେ ବର୍ଷ ହେଲା କାମ କରିଆସୁଛନ୍ତି।ଓୟୁଏଟିରେ କାର୍ଯ୍ୟରତ ଏହି ପ୍ରାଧ୍ୟାପକ ଜଣକ ଯେମିତି ପଣ କରିଛନ୍ତି, ଯେମିତି ହେଉ ଜାତୀୟସ୍ତରର ତାଲିକାରେ ଓଡ଼ିଶାର ଜୀବଜନ୍ତୁଙ୍କ ପ୍ରଜାତି ସ୍ଥାନ ପାଇବ। ତାଙ୍କର ଏହି ଲକ୍ଷ୍ୟରେ ସେ ସଫଳ ମଧ୍ୟ ହୋଇଛନ୍ତି। ସହଯୋଗୀଙ୍କ ସାହାଯ୍ୟରେ ଏ ଭିତରେ ପ୍ରଫେସର ଦାଶ ଗୋରୁଗାଈଙ୍କ ୪ଟି ଦେଶୀ ପ୍ରଜାତି, ମଇଁଷିରେ ୩ଟି ଏବଂ ମେଣ୍ଢାରେ ଗୋଟିଏ ପ୍ରଜାତି ଚିହ୍ନଟ କରିଛନ୍ତି। ୨୦୦୪-୦୫ ସମୟରେ ଯେତେବେଳେ ସେ ଗବେଷଣା ଆରମ୍ଭ କଲେ, ଭାରତର ବିଭିନ୍ନ ପ୍ରଜାତି ବିଷୟରେ ତନ୍ନତନ୍ନ କରି ପଢ଼ିଲେ। ମୋଟ୍ ୩୦ଟି ଭାରତୀୟ ପ୍ରଜାତି ତାଲିକାର ଓଡ଼ିଶାର କୌଣସି ପ୍ରାଣୀଙ୍କ ନାମର ଚିହ୍ନବର୍ଣ୍ଣ ସୁଦ୍ଧା ନଥିଲା। ଏଇ କଥାଟି ତାଙ୍କୁ ଭାରି ବିଚଳିତ କଲା। ପ୍ରତିଟି ରାଜ୍ୟର ସ୍ବତନ୍ତ୍ର ପ୍ରାଣୀ ଏଠି ତାଲିକାଭୁକ୍ତ ହୋଇଛନ୍ତି, କିନ୍ତୁ ଓଡ଼ିଶାର ନାଁ ନଥିବା ଦେଖି ସେ ଆଉ ଥୟ ଧରି ବସିପାରିଲେନି।
ପ୍ରଫେସରଙ୍କ ଗବେଷଣା ଆରମ୍ଭ ହେଲା। ନିଜର ଏହି ଉଦ୍ୟମରେ ଶେଷର ସେ ସଫଳ ହେଲେ। ମୋଟୁ, ଘୁମୁସରୀ, ବିଞ୍ଜାରପୁରୀ ଓ ଖରିଆର ପ୍ରଜାତିର ଗାଈଗୋରୁଙ୍କୁ ପ୍ରଥମଥର ପାଇଁ ଓଡ଼ିଶାର ନିଜ ପ୍ରଜାତି ଭାବରେ ତାଲିକାଭୁକ୍ତ କରାଇଲେ।
୨୦୧୦ରେ
- ଯାଜପୁର ଅଞ୍ଚଳରେ ବିଞ୍ଜାରପୁରୀ ପ୍ରଜାତି
- ମାଲାକାନାଗିରି, କୋରାପୁଟରେ ମୋଟୁ ପ୍ରଜାତି
- ନୂଆପଡ଼ାରେ ଖରିଆର ପ୍ରଜାତି
- ଗଞ୍ଜାମ, ଫୁଲବାଣୀ ଓ ବୌଦ ପରିସୀମାରେ ଘୁମୁସରୀ
ପ୍ରଜାତି ଚିହ୍ନଟ ହେଲେ ।
ସର୍ବଭାରତୀୟସ୍ତରରେ ଓଡ଼ିଶା ଜୀବଜନ୍ତୁଙ୍କ କ୍ଷେତ୍ରରେ ପରିଚୟ ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ଥିଲା। ଆମ ରାଜ୍ୟର ଲୋକେ ଅନ୍ୟ ରାଜ୍ୟରୁ ଦୁଧିଆଳୀ ଗାଈ ବ୍ୟବସାୟ ପାଇଁ ଆଣୁଛନ୍ତି ସତ, କିନ୍ତୁ ଦେଶୀ ପ୍ରଜାତିର ଗୋରୁଗାଈଙ୍କର ରୋଗପ୍ରତିଷେଧକ ଶକ୍ତି ଭଲ। ।
ଏ ଭିତରେ ଚିଲିକା ଲାଗୁନ୍ ପାଖେ ଚିଲିକା ମଇଁଷି ୧୨ତମ ପ୍ରଜାତି ଭାବେ ସ୍ଥାନ ପାଇଛି। ୨୦୨୦ ଏବଂ ୨୦୨୧ରେ କଳାହାଣ୍ଡି ମଇଁଷି, ମଣ୍ଡା ମଇଁଷି ଯଥାକ୍ରମେ ୧୩ତମ, ୧୯ତମ ପ୍ରଜାତି ଭାବେ ଚିହ୍ନଟ ହୋଇଛନ୍ତି। ଏହି ତାଲିକାରେ ମୟୂରଭଞ୍ଜର ହେନସଲେ କୁକୁଡ଼ା ମଧ୍ୟ ରେଜିଷ୍ଟରଭୁକ୍ତ ହୋଇଛି।
ପ୍ରଦୂଷଣର ସ୍ତର ଯେଭଳି ବଢ଼ୁଛି, ଆମ ଦେଶୀ ପ୍ରଜାତିମାନେ ଯେ ଲୋପ ନ ପାଇବେ, ତାହା ବି କିଏ କହିବ! ଅନ୍ତତଃ ସେମାନଙ୍କ ଗୁଣ, ବୈଶିଷ୍ଟ୍ୟ ଆମେ ଜାଣିବା ଜରୁରୀ। ଚିଲିକା ମଇଁଷି ଉପରେ ଗବେଷଣା ଚାଲୁଥିବା ସମୟରେ ଜଣାପଡ଼ିଥିଲା ଯେ ଏହି ମଇଁଷିର କ୍ଷୀରରେ ପର୍ଯ୍ୟାପ୍ତ ପରିମାଣର ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଅଛି। ଏହି ମଇଁଷିର କ୍ଷୀର ମଧ୍ୟ ଖୁବ୍ ମୋଟା, ଆମ ଦେଶୀ ଗାଈ କ୍ଷୀରରେ ଏତେ ସବୁ ପୋଷକତତ୍ତ୍ବ ଅଛି କିନ୍ତୁ ଆମେ ସେସବୁ ବିଷୟରେ ଅନଭିଜ୍ଞ। କେଉଁ ଜାତିର ବଳଦ ଭଲ ଚାଷ କରିପାରିବ, କେଉଁ ପ୍ରଜାତିର କୁକୁଡ଼ାର ଅଣ୍ଡାରେ ପୋଷଣ ଅଧିକ, ଏସବୁର ଗବେଷଣା କରାଯାଏ।
ପ୍ରଫେସର ତାଙ୍କ ଯାତ୍ରା ପଥରେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଗୋଟିଏ ପ୍ରଜାତିର ଜୀବଜନ୍ତୁଙ୍କୁ ଅତି କମ୍ରେ ୩୦୦ ଦିନ ଧରି ଅନୁଧ୍ୟାନ କରାଯାଏ। ସେମାନଙ୍କ ଶାରୀରିକ ସଂରଚନା, ଗତିବିଧି ସବୁ ବିଷୟରେ ଟିକିନିଖି ଗବେଷଣା କରାଯାଏ। ସ୍ଥାନୀୟ ଚାଷୀ ଓ ସେଠିକାର ପଶୁ ଚିକିତ୍ସାଳୟରୁ ବିଭିନ୍ନ ତଥ୍ୟ ଜୀବଜନ୍ତୁଙ୍କ ବିଷୟରେ ନିଆଯାଏ।
କେବଳ ରାଜ୍ୟର ପଶୁପକ୍ଷୀଙ୍କୁ ଜାତୀୟସ୍ତରରେ ତାଲିକାଭୁକ୍ତ କରାଇବା ପାଇଁ ପ୍ରଫେସର ଦାଶଙ୍କ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ। ଭବିଷ୍ୟତରେ ପାଠ୍ୟପୁସ୍ତକରେ ଆମ ଆଗାମୀ ପିଢ଼ି ଓଡ଼ିଶାର ଗୋରୁଗାଈ ପ୍ରଜାତି ବିଷୟର ଜାଣିବାର ସୁଯୋଗ ପାଇବେ। ସତର, ଏହା ଆମ ପାଇଁ ଗର୍ବର କଥା।