ଭୁବନେଶ୍ବରର ଏକ ଘରୋଇ ଟିଭି ଚ୍ୟାନେଲରେ ପୂଜା ଉପସ୍ଥାପିକା ଓ ସ୍ବାମୀ ଅମ୍ବୁଜ ଜଣେ ପ୍ରତିଷ୍ଠିତ ସାମ୍ବାଦିକ। ବିବାହ ପୂର୍ବରୁ ଦିହେଁ ଦିହିଁଙ୍କୁ ଜାଣିଥିଲେ। ବିବାହର ୫ ବର୍ଷ ପରେ ସଂସାର ବଢ଼ାଇବାକୁ ଭାବିଲେ। ଈଶ୍ବରଙ୍କ କୃପାରୁ ପୂଜା ଗର୍ଭବତୀ ହେଲେ। ଅମ୍ବୁଜ-ପୂଜାଙ୍କ ଖୁସିର ସୀମା ନଥିଲା। ଠିକ୍ ସେଇ ସମୟରେ କରୋନାର କରାଳ ରୂପ ଦେଖି ପୂରା ବିଶ୍ବ ସ୍ତବ୍ଧ। ଗର୍ଭସ୍ଥ ସନ୍ତାନ ପାଇଁ ଦୁହେଁ ଅଧିକ ଚିନ୍ତାରେ ଥିଲେ। ବିଧିର ବିଧାନ ସତରେ ଭାରି ଅଜବ। ଗର୍ଭାବସ୍ଥାର ୮ ମାସବେଳକୁ ପୂଜା କରୋନା ସଂକ୍ରମିତ ହେଲେ। ନିୟମ ଅନୁସାରେ କୋଭିଡ୍ ଚିକିତ୍ସାଳୟରେ ରହିଲେ। ସ୍ବାମୀ ଓ ପରିବାର ଲୋକଙ୍କ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ଥିଲା ଫୋନ୍। କୋଭିଡ୍ ଚିକିତ୍ସାଳୟରେ ଜଣେ ଗର୍ଭିଣୀ ମା’ଟେ ରହିବା ସତରେ ଗୋଟେ ବଡ଼ ଚ୍ୟାଲେଞ୍ଜ୍। ରାତିବେଳା ଶୌଚାଳୟ ଗଲାବେଳେ କୋଭିଡ୍ ଆକ୍ରାନ୍ତଙ୍କ ଶବ ଦେଖି ଅନେକ ଥର ଶିହରି ଉଠିଛନ୍ତି ପୂଜା କିନ୍ତୁ ନିଜେ ନିଜକୁ ସାହସ ଦେଲେ। କେମିତି କ୍ବାରେଣ୍ଟାଇନ୍ ସମୟ ସରିଲେ, ଘରକୁ ଫେରିବାର ଦିନ ଗଣୁଥାନ୍ତି ପୂଜା। ଏ ଭିତରେ ଜାଣିବାକୁ ପାଇଲେ ସ୍ବାମୀ ଅମ୍ବୁଜ ମଧ୍ୟ କରୋନା ଆକ୍ରାନ୍ତ। ଫୋନ୍ରେ ଏଇ ଖବର ଶୁଣି କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲେ ପୂଜା। ଏପାଖେ ସେ, ଆରପାଖେ ଅମ୍ବୁଜ। ଗର୍ଭରେ ସେମାନଙ୍କ ପିଲା, ଈଶ୍ବର କ’ଣ ଚାହୁଁଛନ୍ତି ସତରେ….। ସବୁ ସେଇ କାଳିଆ ଭରସାରେ ଟେକି ଦେଲେ ପୂଜା।
ଯେଉଁଦିନ କ୍ବାରେଣ୍ଟାଇନ୍ ସମୟ ସରିଲା, ଠିକ୍ ସେହିଦିନ ପୂଜା ଗର୍ଭ ଯନ୍ତ୍ରଣା ପାଇଲେ। ଆଉ ବିଳମ୍ବ ନ କରି ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଯୋଗାଯୋଗ କଲେ। ଡାକ୍ତର ହାତଟେକିଦେଲେ, କୋଭିଡ୍ ଆକ୍ରାନ୍ତ ପୂଜାଙ୍କୁ ସେ ଏଇ ସମୟରେ ସାହାଯ୍ୟ କରିପାରିନଥିବାରୁ ଦୁଃଖିତ ବୋଲି କହି ଫୋନ୍ କାଟିଦେଲେ। ଚତୁର୍ଦିଗ ଅନ୍ଧକାର ଦେଖାଗଲା। ସ୍ବାମୀ-ସ୍ତ୍ରୀ ଦୁହେଁ ବିଭିନ୍ନ ଆଡ଼ୁ ଫୋନ୍ ନମ୍ବର ଆଣି ଡାକ୍ତରଖାନା, ଡାକ୍ତରଙ୍କୁ ଯୋଗାଯୋଗ ଚଳାଇଲେ। କିଏ କହିଲା ପିପିଇ କିଟ୍ ପାଇଁ ନଗଦ୍ ୨୫ହଜାର ଟଙ୍କା ଦିଅ..ଆଉ କିଏ କହିଲା ପ୍ରବେଶ ଫିସ୍ ଏତେ ଟଙ୍କା ଦିଅ। ଶେଷରେ ଦେବଦୂତ ସାଜି ଜଣେ ଡାକ୍ତର ପୂଜାଙ୍କ ଅପରେଶନ୍ କରିବାକୁ ହଁ ଭରିଲେ। ଡାକ୍ତରଖାନା ଯିବାକୁ ସଙ୍ଗେସଙ୍ଗେ ଟ୍ୟାକ୍ସିଟେ ଅମ୍ବୁଜ ଯୋଗାଡ଼ କଲେ। ଗର୍ଭବତୀ ପୂଜାଙ୍କ ଅବସ୍ଥା ଦେଖି ଡ୍ରାଇଭରଟିର ମଧ୍ୟ ମନ ତରଳିଗଲା। ରାସ୍ତାରେ ୨-୩ଥର ବାନ୍ତି କଲେ ପୂଜା। ଡ୍ରାଇଭରବାବୁ କହିଲେ, ଦିଦି ଗାଡ଼ି ଭିତରେ ବାନ୍ତି କରିଦିଅ। କିଛି ଅସୁବିଧା ନାଇଁ….ଆଖିରେ ଆଖିଏ ଲୁହ ନେଇ ପୂଜା ଚାହିଁଲେ। ପ୍ରତିଷ୍ଠିତ ଡାକ୍ତରମାନେ ଆଜି ତାଙ୍କୁ ସାହାଯ୍ୟ କଲେନି, ଅଥଚ ଜଣେ ଡ୍ରାଇଭରଟେ ତାଙ୍କ ବେଦନା, ଯନ୍ତ୍ରଣାକୁ ବୁଝିପାରୁଛି।
ଯେନତେନ ପ୍ରକାରେ ଡାକ୍ତରଖାନାରେ ସେମାନେ ପହଞ୍ଚିଲେ। ଡାକ୍ତର ଓ ତାଙ୍କ ଟିମ୍ ଚେଷ୍ଟାରେ ରାତି ୪ଟାରେ ପୂଜା-ଅମ୍ବୁଜଙ୍କ କନ୍ୟା ସନ୍ତାନ ‘ଆଦୃତି’ ଭୂମିଷ୍ଠ ହେଲା। ଯେହେତୁ ବାପା-ମା’ ଦୁହେଁ କୋଭିଡ୍ ଆକ୍ରାନ୍ତ ଥିଲେ, ଆଦୃତିଙ୍କୁ ମଧ୍ୟ ଡାକ୍ତରଖାନା କର୍ମଚାରୀ କିଛିଟା ଅବହେଳା କଲେ। ୧୨ ଘଣ୍ଟା ପର୍ଯ୍ୟନ୍ତ ନବଜାତ ପାଖକୁ କର୍ମଚାରୀ ଯିବାକୁ ସାହସ କରୁନଥାନ୍ତି। ସମସ୍ତଙ୍କ ମନରେ ଭୟ ପିଲାଟି ଆଉ କୋଭିଡ୍ ଆକ୍ରାନ୍ତ ନୁହେଁ ତ….। ପାଖାପାଖି ୨୪ ଘଣ୍ଟା ପରେ କର୍ମଚାରୀମାନେ ସ୍ବାଭାବିକ ହେଲେ। ପୂଜା-ଅମ୍ବୁଜ ଚାହିଁଲେ, ଯେତେ ଶୀଘ୍ର ଝିଅକୁ ନେଇ ଘରକୁ ଚାଲିଆସିବାକୁ। କାରଣ ସେମାନଙ୍କ କୋଭିଡ୍ ଆକ୍ରାନ୍ତ ରିପୋର୍ଟ କାରଣରୁ ଡାକ୍ତରଖାନା ତରଫରୁ ଅବହେଳା ଆରମ୍ଭ ହେଲା।
ଭୟ, ଆଶଙ୍କା ସହ ଖୁସି ଓ ଉନ୍ମାଦନାକୁ ମନରେ ଲୁଚାଇ ଆଦୃତିକୁ ନେଇ ପୁଣି ଥରେ ଗୃହ ପ୍ରବେଶ କଲେ ପୂଜା-ଅମ୍ବୁଜ। ସବୁବେଳେ ଭୟ ରହିଲା, କରୋନା ପାଇଁ ଝିଅର ଶାରୀରିକ ଉନ୍ନତିରେ ଅସୁବିଧା ହେଉଛି କି? ଝିଅକୁ ଯଦି କରୋନା ହେବ, ସେମାନେ କ’ଣ କରିବେ….ଏମିତି ବହୁ କଥା ମନକୁ ଆସିଲା। ପୂଜା କିନ୍ତୁ ସେସବୁକୁ ମନରୁ ଏବେ ପୋଛି ଦେଇଛନ୍ତି। ଈଶ୍ବର ଏତେ କଷ୍ଟରେ ତାଙ୍କ ଆଦୃତିକୁ ଦୁନିଆକୁ ଆଣିଛନ୍ତି, ଆଉ ଅସୁବିଧା ହେବନି ବୋଲି ତାଙ୍କ ଦୃଢ଼ ବିଶ୍ବାସ। କରୋନା ସମୟରେ ଏହି ଦମ୍ପତି ସତସତିକା କରୋନା ଯୋଦ୍ଧା ପାଲଟିଯାଇଥିଲେ କହିଲେ ପ୍ରକୃତରେ ଭୁଲ ହେବନାହିଁ।
ରାଜଧାନୀ ଭୁବନେଶ୍ବରର ଏହି ଘଟଣାଟି। ପୂଜା-ଅମ୍ବୁଜ ଦୁହେଁ ଗଣମାଧ୍ୟମ ପ୍ରତିନିଧି ହେବା ସତ୍ତ୍ବେ ଅବହେଳିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସାଧାରଣଲୋକଟେ ସରକାରୀ ସ୍ତରରୁ କେଉଁଭଳି ସୁବିଧା ପାଉଥିବ, ସେ ବାବଦରେ ଆଉ ଅଧିକ ବୁଝିବାର ଆବଶ୍ୟକତା ନାହିଁ। ଆଜିର ଏଇ କାହାଣୀ ଆମ ସମସ୍ତଙ୍କୁ ଗୋଟିଏ ଶିକ୍ଷା ଦେଇଛି –
‘କରୋନାକୁ ଡରିବା ଦରକାର ନାହିଁ, କରୋନା ସହ ଲଢ଼ିବା ଦରକାର’