ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ ଭାଙ୍ଗିବା ଲକ୍ଷ୍ୟରେ ଅବିଶ୍ରାନ୍ତ ସାଧ୍ୟମତେ ଚେଷ୍ଟା ଜାରିରଖିଛନ୍ତି ମହିଳା ଭଲିବଲ ଖେଳାଳି ଏବଂ ପ୍ରଶିକ୍ଷକ ଦିୟା ମଜୁମଦାର ।
ଭଲିବଲ ଖେଳର ପ୍ରଶିକ୍ଷଣ ସାଙ୍ଗକୁ ବାଳିକାମାନଙ୍କୁ ପ୍ରକୃତ କ୍ରୀଡ଼ାବିତରେ ପରିଣତ କରିବାପାଇଁ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇବା, ଦଳଗତ ମନୋଭାବ ଏବଂ ଆଚରଣଗତ ଜ୍ଞାନ ସହିତ ସେମାନଙ୍କର ବ୍ୟକ୍ତିତ୍ୱର ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଏଇ ଚେଷ୍ଟା ଆଜି ଧୀରେ ଧୀରେ ସଫଳ ହେଉଛି । ଅନେକ ପ୍ରତିକୂଳ ପରିସ୍ଥିତି ଭିତରେବି ନିଜ ଉଦ୍ୟମରେ ମାଗଣା ପ୍ରଶିକ୍ଷଣ ଓ ସହାୟତା ଦେଇ ଢେଙ୍କାନାଳ ଜିଲ୍ଲାର ୧୩୦ ଜଣ ଝିଅଙ୍କୁ ଦକ୍ଷ ଭଲିବଲ ଖେଳାଳି ଭାବେ ଗଢି ତୋଳିଛନ୍ତି । ଏପରି କରି ଅନେକ ଆତ୍ମ ସନ୍ତୋଷ ପାଉଥିବା ଦିୟାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ଅଦମ୍ୟ ସମର୍ଥନ ଦେଇଚାଲିଛନ୍ତି ତାଙ୍କର ସ୍ୱାମୀ ।
ପଶ୍ଚିମବଙ୍ଗର ଝିଅ ଦିୟା ମଜୁମଦାରଙ୍କୁ ପିଲାଦିନୁ ଘାରିଥିଲା ଭଲିବଲର ନିଶା । ପରିବାରର ସମର୍ଥନ ଓ ନିଜ ଚେଷ୍ଟାରେ ଜଣେ ଭଲ ଖେଳାଳି ଭାବେ ନାଁ କରିଥିଲେ ସେ । ସମୟକ୍ରମେ ‘ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ଦ୍ୱାରା ମହିଳା ପ୍ରଶିକ୍ଷକ ଭାବେ ସ୍ଵୀକୃତି ପାଇଲେ ଡିୟା । ଗତ ଚାରିବର୍ଷ ପୂର୍ବେ, ୨୦୨୦ ରେ, ଜଗତ୍ସିଂହପୁରର ଆଶୁତୋଷ ପାତ୍ରଙ୍କୁ ବିବାହ କରି ଓଡିଶାର ବୋହୁ ହୋଇ ଆସିଲେ ଦିୟା । ନିଜ ଚାକିରି ପାଇଁ ଆଶୁତୋଷ ପତ୍ନୀ ଦିୟାଙ୍କ ସହ ଓଡିଶାର ଢେଙ୍କାନାଳରେ ହିଁ ଅବସ୍ଥାନ କରୁଥିଲେ । ଘର ପରିବାରର ଦାଇତ୍ଵ ପରେବି ନିଜର ଖାଲି ସମୟ ଉପଯୋଗ କରିବାକୁ ଭଲିବଲ୍ ଖେଳିବା ଅଭ୍ୟାସ ଜାରି କରିବା ପାଇଁ ଭାବିଲେ ଦିୟା ।
ଢେଙ୍କାନାଳ ଆସିବାପରେ ସାମାଜିକ ପ୍ରତିବନ୍ଧକ ଲାଗି କ୍ରୀଡା ପ୍ରତିଭା ସମ୍ପନ୍ନ ଝିଅ ମାନଙ୍କ ସ୍ଵପ୍ନ ଭଙ୍ଗ ତାଙ୍କୁ ବ୍ୟଥିତ କରିଥିଲା ମାନସିକତାରେ ପରିବର୍ତନ ଆଣିବା ପାଇଁ କ୍ଷେତ୍ର ପ୍ରସ୍ତୁତି ଜରୁରୀ ତ ଥିଲା ପୁଣି ଭଲ କ୍ରୀଡାବିତଟିଏ ହେବା ପାଇଁ ଆବଶ୍ୟକୀୟ ମାର୍ଗଦର୍ଶନର ଆବଶ୍ୟକତା ଥିଲା । କ୍ରୀଡାରେ ଆଗ୍ରହୀ ସ୍ଥାନୀୟ ଝିଅ ମାନଙ୍କୁ ଭଲିବଲ ପ୍ରଶିକ୍ଷଣ ଦେବାକୁ ନିଷ୍ପତି ନେଲେ ଦିୟା କିନ୍ତୁ ଏତେ ସହଜ ନଥିଲା କିଛି ବି । ଓଡିଆ ତାଙ୍କର ମାତୃଭଷା ନୁହେଁ ତେଣୁ ଯୋଗାଯୋଗ ବଡ ସମସ୍ୟା ଥିଲା । କିନ୍ତୁ ସ୍ଥିର ନିଶ୍ଚିତ ଥିଲେ ସେ ନିଜ ଲକ୍ଷ୍ୟ ପ୍ରତି, ଭଲିବଲ ନେଇ ଘର-ଘର ଗାଁ-ଗାଁ ସ୍କୁଲ-ସ୍କୁଲ ବୁଲି ଝିଅ ମାନଙ୍କୁ ତଥା ଅଭିଭାବକ ମାନଙ୍କୁ ବୁଝେଇବାକୁ ଲାଗିପଡିଲେ । ଜଣେ ସ୍ଥାନୀୟ ଶିକ୍ଷୟତ୍ରୀ ତାଙ୍କୁ ବହୁତ ସାହାଯ୍ୟ କଲେ ।ଶେଷରେ କିଛି ଝିଅ ଆସି ଭଲିବଲ କୋର୍ଟରେ ପହଞ୍ଚିଲେ ଖେଳ ଶିଖିବା ପାଇଁ ।
ଭଲିବଲ ଖେଳିବାର ପୋଷାକ ତ ହେଉଛି ହାଫ-ପ୍ୟାଣ୍ଟ ଟିସାର୍ଟ, କିନ୍ତୁ ଗାଁ ଝିଅମାନେ ଶାଲୱାର କୁର୍ତା ପିନ୍ଧି ଖେଳିବେ ବୋଲି କହିଲେ । ସେମାନଙ୍କର ସଙ୍କୋଚକୁ ଦୂର କରିବା ପାଇଁ ଦିୟା ନିଜେ ହାଫ-ପ୍ୟାଣ୍ଟ ଟିସାର୍ଟ ପିନ୍ଧି ଝିଅ ମାନଙ୍କୁ ଉତ୍ସ।ହିତ କଲେ । ପ୍ରଥମେ ପ୍ରଥମେ ଲୋକେ ହସୁଥିଲେ, ଏବେ କିନ୍ତୁ ସେମାନେ ଝିଅଙ୍କ ସଶକ୍ତିକରଣ ପାଇଁ କ୍ରୀଡାର ମହତ୍ଵକୁ ବୁଝିଲେଣି । ସମୟ ବଦଳିଛି, ତିନି ବର୍ଷ କାଳ ତାଙ୍କର ମାର୍ଗଦର୍ଶନ ପାଇ ଘର କୋଣରେ ରହିବାକୁ ଶ୍ରେୟ ମାନୁଥିବା ୧୩୦ ଜଣ ଝିଅଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ ମିଳିଛି ଭଲିବଲ ଖେଳାଳି ଭାବରେ ।
ଦିୟାଙ୍କ ଉଦ୍ୟମ ଯୋଗୁଁ ମହିଳା ଭଲିବଲ୍ ବର୍ତ୍ତମାନ ନୁଆଗାଁ, ନୁଆହାଟ, ପାଇକ ପୁରୁଣ।କୋଟ ପରି ଢେଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ବିପୁଳ ଲୋକପ୍ରିୟତା ହାସଲ କରିଛି । ତାଙ୍କ ଦ୍ଵାରା ପ୍ରଶିକ୍ଷିତ ୪୫ଜଣ ବାଳିକା ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେଇ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ପ୍ରଶିକ୍ଷଣ ଗ୍ରହଣ କରିଥିବା ୭ ଜଣ ଖେଳାଳି ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ରାଜ୍ୟର 14-ବର୍ଷରୁ-କମ୍ ବାଳିକା ଭଲିବଲ ଟିମରେ ଏବେ ଢେଙ୍କାନାଳ ଜିଲ୍ଲା ପ୍ରାଧାନ୍ୟ ବିସ୍ତାର କରିଛି ।
ଦିୟା ମଜୁମଦାରଙ୍କ ସ୍ଵପ୍ନ ହେଉଛି ଏକ ବିଶ୍ୱସ୍ତରୀୟ କ୍ରୀଡା ଏକାଡେମୀ ପ୍ରତିଷ୍ଠା କରିବା ଯେଉଁଠାରେ କି ପିଲାମାନେ କ୍ରୀଡ଼ାରେ ସଫଳ ହେବାପାଇଁ ଆବଶ୍ୟକ କରୁଥିବା ସମସ୍ତ ଦକ୍ଷତା ଶିଖିପାରିବେ । ଦିୟାଙ୍କର ଏ ସ୍ଵପ୍ନ ସଫଳ ହେଉ,ତାଙ୍କର ସମସ୍ତ ସାଧୁ ଉଦ୍ୟମକୁ ଆମର ହୃଦୟଭରା ସମ୍ମାନ !