ସୁଖ ଦୁଃଖ ର ଏ ଜୀବନ ଏକ ସଂଘର୍ଷ ଆଉ ଏ ଜୀବନ ଯୁଦ୍ଧରେ ସିଏ ହିଁ ହୁଏ ବିଜୟୀ ଯାହା ପାଖରେ ସେତେ ସବୁ ପ୍ରତିକୂଳ ସ୍ଥିତିରେ ବି ଥାଏ ଦୃଢ ଆତ୍ମବିଶ୍ଵାସ ଏବଂ କିଛି କରି ଦେଖାଇବାର ନିଷ୍ଠା !! କନ୍ଧମାଳ ଜିଲ୍ଲା ର ଦିବ୍ୟାଙ୍ଗ ଝିଅ ଟିଏ ନୁଆରୀର କାହାଣୀରୁ ଏକଥା ବେଶ ହୃଦୟଙ୍ଗମ କରି ହୁଏ ।
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ପ୍ରାୟ 100 କିଲୋମିଟର ଦୂରରେ ରହିଛି ଦାରିଙ୍ଗବାଡ଼ି ବ୍ଲକ। ଆଉ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟଠାରୁ 50 କିଲୋମଟିର ଦୂରରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ଡାହୁ ଗାଁ । ବଣ ପାହାଡ଼ ଘେରା ଡାହୁ ଗାଁର ଏକ ପଡ଼ାରେ ନୁଆରୀ ପ୍ରଧାନର ଘର । ଛୋଟ ବୟସରୁ ବାପା-ମାଆଙ୍କୁ ହରାଇବା ପରେ ଅସୁସ୍ଥ ହୋଇ ପଡ଼ିଥିବା ନୁଆରୀ ମଧ୍ୟ ଧୀରେ ଧୀରେ କହିବା ଓ ଶ୍ରବଣ ଶକ୍ତି ହରାଇ ବସିଥିଲା । ଅସହାୟ ନୁଆରୀ ପାଇଁ ସେତେବେଳେ ସାହା ଥିଲେ ତାର ବଡ଼ ଭଉଣୀ।
ବାଲିଗୁଡ଼ା ଆଶ୍ରମ ବିଦ୍ୟାଳୟରେ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ଥିବା ନୁଆରୀ ପାଇଁ ବଡ଼ ଭଉଣୀର ବିବାହ ପରେ ଘରେ ଏକୁଟିଆ ଅସହାୟ ଏବଂ ଅସୁରକ୍ଷିତ ପରିବେଶରେ ରହିବା କଷ୍ଟକର ଥିଲା । ପରେ ନିଜ ସମ୍ପର୍କୀୟ ଏବଂ ସ୍ଥାନୀୟ ଏମ୍.ବି.କେ ଙ୍କ ସହଯୋଗରେ ପ୍ରଥମେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ଏବଂ ପରେ ଭୁବନେଶ୍ୱରରେ ଥିବା ସାହାନା କମ୍ପାନିର ଡିଡିୟୁ-ଜିକେଓ୍ୱାଇ ତାଲିମ କେନ୍ଦ୍ରରେ ତାଲିମ ନେବାକୁ ପହଞ୍ଚିଥିଲା ସେଠାରେ । ସାହାନାରେ ସେ ଆଇ.ଏସ୍.ଏମ୍.ଓ ଟ୍ରେଡରେ ସିଲାଇ ମେସିନ ଚଳାଇବା ତାଲିମ ନେବା ସହ ସଫଟ୍ ସ୍କିଲ ଏବଂ ଅନ୍ୟ ଆନୁଷଙ୍ଗିକ ବିଷୟ ଗୁଡ଼ିକରେ ମଧ୍ୟ ଶିକ୍ଷା ଲାଭ କଲା। ଅନ୍ୟ ପ୍ରଶିକ୍ଷାର୍ଥୀ ମାନଙ୍କଠାରୁ ନୁଆରୀ କିନ୍ତୁ ଥିଲା ଭିନ୍ନ । ତାଲିମ ସମୟରେ ତାର ଦୃଢ ଆତ୍ମବିଶ୍ୱାସ ନୁଆରୀକୁ ଅଚିରେ ବେଶ୍ ପାରଙ୍ଗମ କରିଦେଲା । ଏପରିକି ନୁଆରୀ ଭଳି ଜଣେ ଦିବ୍ୟାଙ୍ଗ ଝିଅକୁ ତାଲିମ ଦେବା ସେତେଟା କଷ୍ଟକର ନ ଥିଲା ବୋଲି କହନ୍ତି ସାହାନା ତାଲିମ କେନ୍ଦ୍ରର ଟ୍ରେନର ।
ଏକଦା ଏକୁଟିଆ ବାହାରକୁ ଯିବା ସୁରକ୍ଷିତ ମଣୁନଥିବା ନୁଆରୀ ତାଲିମ ପରେ ଚାକିରି ପାଇଁ ଯାଇଥିଲା ତାଲିମନାଡୁର କୋଏମ୍ୱାଟୁରରେ ଥିବା ସାହାନ କ୍ଲଥିଂ କମ୍ପାନିକୁ। ସେଠାରେ ନିଷ୍ଠା ଏବଂ ପରିଶ୍ରମ କରି ନିଜ ଦକ୍ଷତାର ପରିଚୟ ଦେଖାଇଥିଲା ନୁଆରୀ । ମାସକୁ ଭଲ ଦରମା ମଧ୍ୟ ମିଳିଲା ତାକୁ । ଏବେ ନୁଆରୀକୁ ନେଇ ବେଶ ଖୁସି ତାର ପରିବାର, ସାହି ପଡ଼ିଶା ଏବଂ ସ୍ଥାନୀୟ ଏମ୍.ବି.କେ ।
ନୁଆରୀକୁ ନେଇ କେବଳ ଯେ ତାର ଗାଁ ଲୋକ ଗର୍ବ ଅନୁଭବ କରୁଛନ୍ତି ତା ନୁହେଁ, ତାର ଏଭଳି ସଫଳତା ପାଇଁ ତାକୁ ଉଚ୍ଚ ପ୍ରଂଶସିତ କରିଛି ଜିଲ୍ଲା ପ୍ରଶାସନ । ନୁଆରୀର ଜୀବନ ସଂଘର୍ଷ ଆଉ ସଫଳତା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଯୁବପୀଢ଼ିମାନଙ୍କ ଏକ ପ୍ରେରଣା ।