“Tree gives peace to the souls of men”
– Nora Waln
ସୁପ୍ରସିଦ୍ଧ ଲେଖିକା ନୋରା ୱାଲନ୍ଙ୍କ ଦ୍ୱାରା ଲିଖିତ ଏଇ ଉକ୍ତିଟିର ଅର୍ଥ ବୃକ୍ଷ ମଣିଷର ଆତ୍ମାକୁ ଶାନ୍ତିପ୍ରଦାନ କରେ । କେବଳ ଶାନ୍ତି ନୁହେଁ, ଗଛ ବିନା ଏଇ ଜୀବଜଗତର ଅସ୍ତିତ୍ୱ ମଧ୍ୟ ଅସମ୍ଭବ । ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ । ଅନେକର ଅର୍ଥ ଏଠି ୫୦, ୧୦୦, ୨୦୦, କି ୫୦୦ ନୁହେଁ ବରଂ ଦଶ ହଜାରରୁ ଅଧିକ । ଆଉ ଏ ସବୁ ପାଇଁ ତାଙ୍କୁ ଲାଗିଛି ମାତ୍ର ଦେଢ଼ବର୍ଷ । ପୂର୍ଣ୍ଣ ନାମ ତାଙ୍କର ସରୋଜିନୀ ମାହାନ୍ତ । ସୁନ୍ଦରଗଡ଼ ଜିଲ୍ଲା, ଲହୁଣିପଡ଼ା ବ୍ଲକର ଉଲସୁରେଇ ଗାଁର ବାସିନ୍ଦା ସେ । ତାଙ୍କର ଏଇ ପ୍ରଚେଷ୍ଟା କୁ ସମ୍ମାନ ଜଣେଇ ବଣାଇ ବନବିଭାଗର କର୍ମଚାରୀ ମାନେ ଏହି ସରକାରୀ ବନୀକରଣ ଅଂଚଳଟିକୁ “ସରୋଜିନୀ ବନ” ନାମରେ ନାମିତ କରିଛନ୍ତି ।
ସାଧାରଣତ ଲୋକଟେ ଦେହତ୍ୟାଗ କଲା ପରେ ବୋର୍ଡ଼ରେ ତାଙ୍କ ନା ଲେଖାହୁଏ କିନ୍ତୁ ମୁଁ ବଞ୍ଚିଥାଉ ଥାଉ ମୋ ନାଁ ବୋର୍ଡ଼ରେ ଦେଖି ମୋତେ ଭାରି ଖୁସି ଲାଗୁଛି ।
ଗଛଗୁଡ଼ିକୁ ସରୋଜିନୀ ନିଜର ପିଲାଛୁଆଙ୍କ ଭଳି ଲାଳନ ପାଳନ କରନ୍ତି, ଆଉ ଫଳସ୍ୱରୁପ ଏଇ ମାତ୍ର କେଇଦିନରେ ଏଇ ଗଛମାନେ ବଡ଼ହୋଇ ସ୍ଥାନଟିକୁ ପରିଣତ କରିଛନ୍ତି ଏକ ବନଖଣ୍ଡରେ । ସରୋଜିନୀ ବନରେ ଏବେ ଅଁଳା, ଶିଶୁ, ଆମ୍ବ, ପଣସ, ଜାମୁକୋଳି, ପିଜୁଳି, ତୁତ୍ କୋଳି ଭଳି ଅନେକ ପ୍ରଜାତିର ଗଛ ଲାଗିଛି । ବନ ସୁରକ୍ଷା ସମିତିର ସଦସ୍ୟ ଥିବା ସରୋଜିନୀ କୁହନ୍ତି “ଯେଉଁ ଗଛସବୁ ଜଙ୍ଗଲରେ ବି ଲୋପ ପାଇବାକୁ ବସିଲାଣି ମୁଁ ତାକୁ ଏଠି ଲଗେଇଛି ।”
ବନ କର୍ମଚାରୀମାନେ ସରୋଜିନୀଙ୍କୁ ଏଇ କାମରେ ଉତ୍ସାହିତ କରିବା ସହ ଚାରା, ଖତ ଓ ଅନ୍ୟାନ୍ୟ ଅବଶ୍ୟକୀୟ ଉପକରଣ ବି ଯୋଗାଇ ଦିଅନ୍ତି । ତାଙ୍କର ଏ କାମ ପାଇଁ ବନବିଭାଗ ତରଫରୁ ମିଳୁଥିବା ପାରିଶ୍ରମିକରେ ତାଙ୍କ ଘରଚଳେ ।
ସରୋଜିନୀ କୁହନ୍ତି “ଗଛ ବଞ୍ଚିଲେ ଯାଇ ଆମେ ସସସ୍ତେ ବଞ୍ଚିବା ” । ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଗଛର ଉପକାରିତା ଓ ମହତ୍ୱ ବିଷୟରେ ବୁଝାନ୍ତି ସେ । ସରୋଜିନୀଙ୍କ ଏଇ ପ୍ରଚେଷ୍ଟା ଯେ ଦିନେ ଏକ ବିପ୍ଳବର ରୂପନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।