ପ୍ରତିଦ୍ବନ୍ଦ୍ବିତା ଜୋର୍ରେ ଚାଲିଛି। ଇଂରାଜୀରେ “Everywhere rat competition”. ଅଧିକାଂଶ ଚାହୁଁଛନ୍ତି ପିଲାଟି ତାଙ୍କର ପାଠଶାଠ ଦି’ ଅକ୍ଷର ପଢ଼ି କେମିତି ଦେଶବିଦେଶର କୌଣସି ଏକ ବଡ଼ କମ୍ପାନୀରେ ଚାକିରିଟେ କରୁ। ଅନୁଧ୍ୟାନରୁ ଯାହା ଜଣାପଡ଼ିଛି, ୨୫% ବୟସ୍କ ଲୋକ ଏବେ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି। କାରଣ ପିଲାଏ ତାଙ୍କର ମଲ୍ଟିନ୍ୟାସନାଲ୍ କମ୍ପାନୀର ବଡ଼ବଡ଼ ପଦରେ କାମ କରୁଛନ୍ତି। ସଫଳ ହେବାର ନିଶାରେ ସମସ୍ତେ ନିଜ ଭିଟାମାଟିକୁ ଭୁଲିଗଲେଣି। ସମସ୍ତଙ୍କୁ ଦରକାର ମେଟ୍ରୋ ସହରରେ ଫ୍ଲାଟ୍ ଖଣ୍ଡେ, ଦାମୀ ଏସ୍ୟୁଭି/କେୟୁଭି କାର୍ ଆଉ ତା’ ସାଙ୍ଗରେ ଆକାଉଣ୍ଟରେ ମହଜୁଦ୍ ରହୁଥିବ ପୁଳାଏ ଟଙ୍କା। ସ୍ମାର୍ଟ ପିଢ଼ିର କହିବାନୁସାରେ, ନିଜ ଦେଶରେ କିମ୍ବା ଗାଁଗହଳିରେ ରହି କିଛି କରିବା ସମ୍ଭବପର ନୁହେଁ। କିନ୍ତୁ ଆମେ ସତରେ ଭୁଲିଯାଉଛେ ଏଇ ଭିଟାମାଟିରେ ଗୁପ୍ତଧନ ଲୁଚିରହିଛି। ତା’କୁ ଖୋଳି ବାହାର କରିବା ପରିବର୍ତ୍ତେ ପରଦେଶରେ/ରାଇଜରେ ଆଉ କାହା ଅଧୀନରେ କାମ କରୁଛେ। ପରିଣତ ବୟସରେ ପହଞ୍ଚିବା ପରେ ଜଣେ ନିଜ ଲୋକ, ନିଜଦେଶକୁ ଖୋଜେ, ସେତେବେଳକୁ କିନ୍ତୁ ବହୁତ ବିଳମ୍ବ ହୋଇଯାଇଥାଏ। ଡେରି ହେବା ପୂର୍ବରୁ ଆଖି ଖୋଲି ସଚେତନ ହୋଇଥିବା ଆଜିର ଇନସ୍ପାଇରିଙ୍ଗ ଓଡ଼ିଶାର ଜଣେ ସୁନ୍ଦର ଉଦାହରଣ ହେଉଛନ୍ତି ଘନଶ୍ୟାମ ମେହେର।
ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍ଏନ୍ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ମେଟ୍ରୋ ସହର, ପୁଣି ରାଜଧାନୀ। ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି। ପରିବାର ଲୋକ, ସାଙ୍ଗସାଥି ସମସ୍ତେ ତାଙ୍କ ସଫଳତାରେ ଖୁସି ହେଲେ। ଆଖିରେ ଆଖିଏ ସ୍ବପ୍ନ ନେଇ ଦିଲ୍ଲୀରେ କାମ ଆରମ୍ଭ କଲେ। ପରିଶ୍ରମୀ ପଶ୍ଚିମ ଓଡ଼ିଶାର ପିଲା ସେ, ମାସ କେଇଟାରେ ତାଙ୍କୁ ପ୍ରମୋଶନ୍ ମିଳିଲା। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। ମାଟିର ଆକର୍ଷଣରୁ ସେ ବାହାରିପାରୁନଥିଲେ। ତେବେ, ଚାକିରି ଛାଡ଼ି ସେ କ’ଣ କରିବେ, ଏକଥା ମଧ୍ୟ ଘନଶ୍ୟାମ ସ୍ଥିର କରିପାରୁନଥାନ୍ତି। ଶେଷରେ ମା’ ସମଲେଶ୍ବରୀଙ୍କ ହାତରେ ସବୁକିଛି ଟେକି ଦେଇ ସମ୍ବଲପୁର ଫେରିଆସିଲେ। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ। ୨୦୧୦ରେ ଘନଶ୍ୟାମଙ୍କ ‘ୟାଜ୍ଞସେନୀ ଡାଏରୀ ଫାର୍ମ’ ଧମ୍ମା ଗାଁରେ ଶୁଭାରମ୍ଭ ହେଲା। ମାସ କେଇଟାରେ ତାଙ୍କ ବ୍ୟବସାୟକୁ ଲୋକ ଚିହ୍ନିଲେ ଓ ବ୍ୟବସାୟ ମଧ୍ୟ ଚାଲିଲା।
ଅନେକ ସମୟରେ ତାଙ୍କୁ କେହିକେହି ପଚାରନ୍ତି, ଏମ୍ଏନ୍ସି ଚାକିରି ଛାଡ଼ି ସେ ଗାଁରେ ଆସି ଫାର୍ମ କରିବା କ’ଣ ଦରକାର ଥିଲା? ବେଶ୍ ମଜାରେ ଉତ୍ତର ଦିଅନ୍ତି ଘନଶ୍ୟାମ, ସମସ୍ତେ ଯଦି ବଡ଼ କମ୍ପାନୀରେ ଚାକିରି କରିବେ, ତେବେ ଆଉ କିଛି ବର୍ଷ ପରେ ପାଖରେ ଟଙ୍କା ଥିବ କିନ୍ତୁ ଆମେ ଖାଇବାକୁ ପାଇବାନି।
ଧମ୍ମା ଗାଁରେ ସେ ନିଜର ଫାର୍ମ ହାଉସଟେ କରିଛନ୍ତି। ସବୁକିଛି ଏଠାରେ ଯନ୍ତ୍ରଚାଳିତ। ଗାଈମାନଙ୍କର ଯତ୍ନ ନେବାରେ ଘନଶ୍ୟାମ ଆଦୌ ହେଳା କରନ୍ତିନାହିଁ। ଯଦିଓ କର୍ମଚାରୀ ରଖିଛନ୍ତି, କିନ୍ତୁ ନିଜେ ବ୍ୟକ୍ତିଗତ ଭାବେ ସେ ପ୍ରତ୍ୟେକ ଗାଈଙ୍କ ଖବର ବୁଝନ୍ତି। ସେମାନଙ୍କ ପରିଷ୍କାରପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏପରିକି ବଜାର ଗୋ ଖାଦ୍ୟ ଦେବା ପରିବର୍ତ୍ତେ ଫାର୍ମରେ ଥିବା ପଡ଼ିଆରେ ଘାସ ଚରିବାକୁ ଗାଈଙ୍କୁ ଅଧିକାଂଶ ସମୟ ଛାଡ଼ିଦିଆଯାଏ।
ମା’ ସମଲେଶ୍ବରୀଙ୍କ ରାଇଜରେ ଆଜି ସେ ଜଣେ ସଫଳ ଉଦ୍ୟୋଗୀ। ପଶ୍ଚିମ ଓଡ଼ିଶା ଓ ରାଜ୍ୟର ଅନ୍ୟ ପ୍ରାନ୍ତରୁ ବରାବର ଲୋକେ ତାଙ୍କ ପାଖକୁ ତାଲିମ ନେବାକୁ ଆସୁଛନ୍ତି। ତାଙ୍କ ବ୍ୟବସାୟ ପ୍ରଣାଳୀ, ଗୋ-ପାଳନ, ଗୋ-ଯତ୍ନ ବାବଦରେ ସମସ୍ତେ ଜାଣିବାକୁ ଖୁବ୍ ଆଗ୍ରହୀ। ଘନଶ୍ୟାମ ତାଙ୍କର ଏହି ସଫଳତା ପାଇଁ ୨୦୧୩ରେ ‘ପଶ୍ଚିମ ଓଡ଼ିଶା ଡାଏରୀ ଫାର୍ମର୍ସ ଆୱାର୍ଡ’ ମଧ୍ୟ ପାଇଛନ୍ତି। ଯୁବ ଉଦ୍ୟୋଗୀ ନିଜ ଚେଷ୍ଟାରେ ସଫଳ ହେବା ସହ ଅନ୍ୟ କେତେଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି।
ସତରେ, ତାଙ୍କ ପାଇଁ ଗୋଟିଏ କଥା ପ୍ରଯୁଜ୍ୟ – ‘ସାବାସ୍….. ଘନଶ୍ୟାମ’…