୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଦେଶରେ ପରିଚିତ ଥିଲେ । କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରିଥିଲେ। ସେ 1947 ମସିହା ରେ କୋରାପୁଟ ଜ଼ିଲ୍ଲା ବୈପାରୀଗୁଡା କାଣ୍ଡକିଗୁଡା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଙ୍କ ନାମ ଥିଲା ରାମ କାଣ୍ଡକି l ଶଶୁର ଘର ଗାଁ ପାତ୍ରପୁଟ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଶହେରୁ ଉର୍ଦ୍ଧ ସ୍ଵଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରିଥିଲେ । ତଥାକଥିତ ପାଠ ଦି ଅକ୍ଷର ସେ ପଢିନଥିଲେ କିନ୍ତୁ ପାରମ୍ପରିକ କୃଷିକୁ ନେଇ ତାଙ୍କର ଜ୍ଞାନ ଉତ୍ତର ପିଢି ଲାଗି ଆଜି ଏକ ଆଭିଧାନ ।
କମଳା ମା ଜାଣିଥିଲେ ତାଙ୍କ ଜନ୍ମମାଟି ଏଇ କୋରାପୁଟ ଜୟପୁର ଅଞ୍ଚଳ ଧାନର ଜନ୍ମଭୁଇଁ ବୋଲି । ଅଧିକ ଲାଭ ଆଶାରେ ଶଙ୍କର କିଶମର ବିହନ ସାଙ୍ଗକୁ ମାତ୍ରାଧିକ ରାସାୟନିକ ସାର କୀଟନାଶକ ଆଦିର ବ୍ୟବହାର ଫଳରେ କ୍ରମଶଃ ଲୋପ ପାଇବାରେ ଲାଗିଥିବା ଧାନ ବିହନକୁ ବଞ୍ଚାଇବା ଲାଗି ଆଜୀବନ ସଂଗ୍ରାମ କରିଛନ୍ତି ସେ । ୧୦୦ରୁ ଅଧିକ ବିରଳ ଦେଶୀ ଧାନ ବିହନ କିସମର ସଂରକ୍ଷଣ ସାଙ୍ଗକୁ ଜୈବିକ ଚାଷ ପାଇଁ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି କମଳା ମା’ଙ୍କ ନିରନ୍ତର ପ୍ରଚେଷ୍ଟା ଆଜି ତାଙ୍କ ଅଞ୍ଚଳର ସଂଖ୍ୟାଧିକ କୃଷକଙ୍କୁ ସେମାନଙ୍କ ଚାଷ ଜମିରେ ରାସାୟନିକ ସାରବ୍ୟବହାରକୁ ରୋକି ଜୈବିକ କୃଷି ପାଇଁ ପ୍ରେରିତ କରିଛି । ତାଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇ ୨୦୦୪ ମସିହାରେ ଓଡିଶା ସରକାର ତାଙ୍କୁ ରାଜ୍ୟର “ଶ୍ରେଷ୍ଠ ମହିଳା କୃଷକ” ର ମାନ୍ୟତା ଦେଇଥିଲେ ।
କମଳା ମାଙ୍କ କାମ କୁ ଏକ ବ୍ୟବସ୍ଥିତ ଦିଗ ମିଳିଲା ଯେତେବେଳେ ସେ ଦେଶର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସଂସ୍ପର୍ଶରେ ଆସିଲେ । କୋରାପୁଟ ଅଞ୍ଚଳରେ ସ୍ୱଦେଶୀ ଧାନ କିସମର ଅବନତି ଆମକୁ ଜୟପୁର ଅଞ୍ଚଳରେ ଧାନ ମଞ୍ଜି ପାଇଁ ଏକ ଅନୁସନ୍ଧାନ ଏବଂ ସଂରକ୍ଷଣ ପଦକ୍ଷେପ ଆରମ୍ଭ କରିବାକୁ ପ୍ରେରିତ କରିଛି। ଅନୁସନ୍ଧାନ ସମୟରେ, ବିଧବା ଆଦିବାସୀ ମହିଳା କମଲା ମା କିପରି ସାହାଯ୍ୟ କରିବାକୁ ଆଗେଇ ଆସିଲେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଆମକୁ ବିହନ ସଂଗ୍ରହ ସହିତ, ବିହନ ଗୁଣ ବିଷୟରେ ଜାଣିବା, ଏବଂ ଆଦିବାସୀ ଲୋକଙ୍କୁ ସ୍ୱଦେଶୀ ମଞ୍ଜି ସଂରକ୍ଷଣର ମହତ୍ଵ ଏବଂ ରାସାୟନିକ ଚାଷ ଉପରେ ଜୈବିକ ଚାଷର ଉପକାରିତା ବିଷୟରେ ସଚେତନ କରିବା । ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇପାରିବ – ଡଃ କାର୍ତ୍ତିକ ଲେଙ୍କା, ବୈଜ୍ଞାନିକ, ସ୍ଵାମୀନାଥନ ଫାଉଣ୍ଡେସନ
ଏମଏସ ସ୍ଵାମୀନାଥନ ଫାଉଣ୍ଡେସନ କମଳାଙ୍କୁ ଏକ ବିହନ ବ୍ୟାଙ୍କ ନିର୍ମାଣରେ ମଧ୍ୟ ସାହାଯ୍ୟ କରିଥିଲା, ଯେଉଁଠାରେ ସେ ପ୍ରକୃତିକ ଗୁଣ ବହନ କରୁଥିବା ଶହେରୁ ଅଧିକ ପ୍ରଜାତିର ଦେଶୀ ମଞ୍ଜି ଭବିଷ୍ୟତରେ ବ୍ୟବହାର ପାଇଁ ସାଇତି ରଖିଥିଲେ ଆଇ ଆଇ । ‘ପଞ୍ଚବଟୀ ଗ୍ରାମୀଣ ଉନ୍ନୟନ ସମିତି’ରେ ଯୋଗଦେବା ପରେ ସେ ନବରଙ୍ଗପୁର ଜିଲ୍ଲାର ପାତ୍ରପୁଟ ଗ୍ରାମ ତଥା ଏହାର ଆଖପାଖ ଗ୍ରାମରେ କୃଷକମାନଙ୍କୁ ରାସାୟନିକ ଭିତ୍ତିକ ଚାଷର ନକାରାତ୍ମକ ପରିଣାମ ଏବଂ ସ୍ଥାନୀୟ ବିହନ ସଂରକ୍ଷଣର ଉପକାର ବିଷୟରେ ଶିକ୍ଷା ଦେଉଥିଲେ ।
ଏହା ତାଙ୍କୁ 2002 ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗକୁ ନେଇ ଯାଇଥିଲା, ଯେଉଁଠାରେ ସେ ବିହନ ଗ୍ରେଡିଂ, ସ୍ଥାନୀୟ ଧାନ ମଞ୍ଜି ସଂରକ୍ଷଣ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜୈବିକ ଚାଷକୁ ଉତ୍ସାହିତ କରିବା ପାଇଁ “ଇକ୍ୟୁଏଟର୍ ଅଫ୍ ଇନିସିଏଟିଭ୍ ଆୱାର୍ଡ” ପାଇଥିଲେ। ବିଶ୍ଵର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀ ମାନେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅବଶ୍ୟ, ଜୈବିକ ଚାଷରେ ତାଙ୍କର ଅବଦାନକୁ ଅଗଣିତଥର ସ୍ୱୀକୃତି ଦିଆଯାଇଛି । କମଳା ମା ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର “କୃଷୀ ବିଶାରଦ ସମ୍ମାନ” ରେ ମଧ୍ୟ ହୋଇଥିଲେ ସମ୍ମାନୀତ । କୋରାପୁଟର ଆଦିବାସୀ ଅଞ୍ଚଳରେ ତାଙ୍କର ଅତୁଳନୀୟ ଉଦ୍ୟମକୁ ସମ୍ମାନ ଜଣାଇ ଭୁବନେଶ୍ବର ଓୟୂଏଟି ତାଙ୍କ ନାମରେ ନିର୍ମାଣ କରିଛନ୍ତି ଏକ ଛାତ୍ରନିବାସ| ୨୦୧୮ ରେ ସେ ଓଡିଶା ରାଜ୍ୟ ଯୋଜନା ବୋର୍ଡରେ ନିଯୁକ୍ତ ପ୍ରଥମ ଆଦିବାସୀ ମହିଳା ହୋଇଥିଲେ। ତାଙ୍କର ଆଜୀବନ ଉଦ୍ୟମ ୨୦୧୯ ରେ ସ୍ୱୀକୃତ ହୋଇଥିଲା ଯେତେବେଳେ ସେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କାର ପଦ୍ମଶ୍ରୀ ପାଇଲେ ।
ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସାଗୀକୃତ ତଥା କର୍ମଠ ମହିଳା ମାନଙ୍କୁ ନେଇ ନିଜ ଗାଁ ରେ ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି ନାମକ ଏକ ସଙ୍ଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଏମଏସ ସ୍ୱାମୀନାଥନ ଗବେଷଣା ରୁ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ଯୋହେନସବର୍ଗ ରେ ଆନ୍ତର୍ଜାତିକ ସମ୍ମିଳନୀରେ ପାରମ୍ପରିକ କୃଷି ପ୍ରଣାଳୀ ଓ ବିହନ ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରି ଭାରତବର୍ଷର ସମ୍ମାନ ବୃଦ୍ଧି କରିଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ ରୁ ଉର୍ଦ୍ଧ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସଂରକ୍ଷିତ ଦେଶୀ ବିହନ ଭିତରେ କଳାଜିରା, ଝିଲି, ମାଛ କଣ୍ଟା, ହଳଦୀଗଣ୍ଠି ଭଳି ୧୦୦ ପ୍ରଜାତିର ଧାନ ସଂରକ୍ଷଣ କରିଥିଲେ । ତାଙ୍କ ମୃତ୍ୟୁପରେ ଏମ ଏସ ସ୍ୱାମୀନାଥନ ଫାଉଣ୍ଡେସନ ଠାରେ ତାଙ୍କ ସ୍ମୃତିରେ ଏକ ବିହନ ସଂରକ୍ଷଣ କେନ୍ଦ୍ର ସ୍ଥାପନା କରାଯାଇଛି । ତେବେ ସରକାରଙ୍କ ଦ୍ବାରା ବିହନ ସଂରକ୍ଷଣ ତଥା ଜୈବିକ ଚାଷ ପ୍ରଣାଳୀକୁ ବ୍ୟାପକ ଲରିବା ପାଇଁ ବିଶେଷ ଯୋଜନା କରିପାରିଲେ ତାହା ଶ୍ରୀମତୀ କମଳା ପୂଜାରୀଙ୍କ ପାଈଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିଛନ୍ତି- ଚେଲାପିଲା ସାନ୍ତାକାର, ସାମ୍ବାଦିକ ଏବଂ ସାମାଜିକ କର୍ମୀ ।
କମଳା ପୂଜାରୀଙ୍କ ଅବଦାନ କୃଷକ ଏବଂ କୃଷି ଅନୁସନ୍ଧାନକାରୀଙ୍କୁ ପିଢୀ ପରେ ପିଢୀ ସାହାଯ୍ୟ କରିବ ଏଥିରେ ଦ୍ଵିମତ ନାହିଁ । ଏକ ସୁଦୂର ଆଦିବାସୀ ପୃଷ୍ଠଭୂମିରୁ ହୋଇଥିଲେ ମଧ୍ୟ ଜୈବିକ କୃଷି ଏବଂ ବିହନ ଗୁଣ ବିଷୟରେ ତାଙ୍କର ଜ୍ଞାନ ଥିଲା ବେଶ ଚମତ୍କାର ଓ ଅଦ୍ଵିତିୟ| ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଆମ ପରିବାର ତରଫରୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ।