ନିଶ୍ବାସକୁ କାହାର ବିଶ୍ବାସ ନାହିଁ। ଆଜି ମଲେ, କାଲିକୁ ଦୁଇ ଦିନ।ଆମ ଓଡ଼ିଆ ଘରର ଏସବୁ ଲୋକ କଥା। ଅନ୍ୟ କାହାକୁ ବୁଝାଇବାବେଳକୁ ଭାରି ବୀର ଦର୍ପରେ ଆମେ ଢ଼ଗଢ଼ମାଳି କହୁ, କିନ୍ତୁ ପରିସ୍ଥିତି ସହ ସାମ୍ନା ହେବାକୁ ସାହସ ଆମ ପାଖେ ନଥାଏ। ଦୁଃଖରେ କେହି ସାହାଯ୍ୟ ମାଗିଲେ, ନିଜ ଅସୁବିଧା କହି ମୁହଁ ଫେରାଇନେଉ। ଆଜିର ଏଇ ସମୟରେ ନିଜ ଲୋକ ହାତ ଛାଡ଼ି ଚାଲିଯାଉଛନ୍ତି, ଏଭଳି ସ୍ଥିତିରେ ପରଠାରୁ କ’ଣ ଯେ ଆଶା କରିବ ମଣିଷ !
ନା….ପ୍ରକୃତରେ ଏବେ ବି ଭଲ ହୃଦୟର ମଣିଷପଣିଆ ଅଛି। ରାସ୍ତାରେ ଲୋକଟେ ପଡ଼ି ଯନ୍ତ୍ରଣା ପାଉଥିବାର ଦେଖିଲେ, ସେମାନେ ନିଜ କାମ ଛାଡ଼ି ଦେଇ ଦଉଡ଼ିଆସନ୍ତି। ନିଜ ପାରୁପର୍ଯ୍ୟନ୍ତ ଅନ୍ୟକୁ ସାହାଯ୍ୟ ମଧ୍ୟ କରନ୍ତି। ଅବଶ୍ୟ ଏଭଳି ମାନବିକତା ରଖୁଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍। ସେହି ତାଲିକାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି ମଧୁସ୍ମିତା ପୃଷ୍ଟି। ବୟସ ମୋଟେ ୩୭ ବର୍ଷ, କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଚିହ୍ନା ପରିଚିତ ନାଁଟେ। ଭିମଟାଙ୍ଗୀରେ ପରିବାର ସହ ମଧୁସ୍ମିତା ରହୁଛନ୍ତି। ପାଖଆଖର ଲୋକେ କହନ୍ତି, ଝିଅଟିର ନାମ ଯେମିତି, କାମ ବି ସେମିତି। ତା’ କଥାରୁ ନୁହେଁ, ବରଂ ତା’ କାମରୁ ମଧୁ ଝରେ ବୋଲି ସେଠିକା ବୟସ୍କ ଲୋକଙ୍କ ମତ ।
କେହି ଅଜଣା ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ, ରେଳଧାରଣାରେ ଆତ୍ମହତ୍ୟା କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଲେ ଶବସତ୍କାର କରିବାକୁ ଆଗେଇ ଆସିଥାନ୍ତି ମଧୁସ୍ମିତା । ଏଭଳି କାମ କରିବାର ପ୍ରେରଣା ସେ ସ୍ବାମୀ ପ୍ରଦୀପ ପୃଷ୍ଟିଙ୍କ ପାଖରୁ ପାଇଥିବାର କହିଛନ୍ତି ।
ସ୍ବାମୀ-ସ୍ତ୍ରୀ ଦୁହେଁ ଏଭଳି ଜନସେବା କରିବା ପଛରେ ଏକ କାହାଣୀଟେ ଅଛି ।
କିଛିବର୍ଷ ତଳକୁ ଫେରିଯିବା। ଅଟୋ ଚଳାଉଥିବା ପ୍ରଦୀପ ଓ ମଧୁସ୍ମିତା ଅନ୍ୟମାନଙ୍କ ପରି ସାଧାରଣ ଜୀବନ କାଟୁଥିଲେ। ୨୦୧୧ରେ ମଧୁସ୍ମିତା କଲକାତାର ଫୋର୍ଟିସ୍ ହସ୍ପିଟାଲର ଶିଶୁ ବିଭାଗରେ ବରିଷ୍ଠ ସେବିକା ଭାବେ କାମ କରୁଥିଲେ। କେତେବେଳେ ପ୍ରଦୀପ କଲକାତା ଯାଉଥିଲେ ତ’ ଅନ୍ୟ ସମୟରେ ମଧୁସ୍ମିତା ଦୁଇ ପିଲା ଜାଜ୍ଞସେନୀ, ଗୁରମିତଙ୍କୁ ନେଇ ଭୁବନେଶ୍ବର ଚାଲିଆସୁଥିଲେ।ଏମିତି ଚାଲିଥିଲା ସେମାନଙ୍କ ଜୀବନ। ଦିନେ ଏକ ଦୁର୍ଘଟଣାରେ ପ୍ରଦୀପଙ୍କ ମା’ ପ୍ରାଣ ହରାଇଲେ। ରେଳଧାରଣାରେ ତାଙ୍କ ମା’ଙ୍କ ଶରୀରକୁ ଆଣିବା ପାଇଁ ପ୍ରଦୀପ ବହୁ ସାଙ୍ଗସାଥିଙ୍କୁ ସାଥିରେ ଯିବାକୁ ଅନୁରୋଧ କଲେ। କେହି ଶୁଣିନଥିଲେ। ଶେଷରେ ନିଜେ ସବୁ ଏକା କଲେ। ମୃତ୍ୟୁ ପରର ଏଭଳି ହୃଦୟସ୍ପର୍ଶୀ ଅନୁଭବରେ ପ୍ରଦୀପ ଭାଙ୍ଗିପଡ଼ିଲେ। ସେଇ ସମୟରେ ସେ ନିଷ୍ପତ୍ତି ନେଲେ ଏହା ପରଠାରୁ କେହି ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଲେ, ସେ ତାଙ୍କୁ ଜାଣିଥାନ୍ତୁ କିମ୍ବା ନ ଜାଣିଥାନ୍ତୁ, ହିନ୍ଦୁ ରୀତି ଅନୁସାରେ ତା’ର ଶବସତ୍କାର ନିଶ୍ଚୟ କରିବେ। ସେଇ କାମକୁ ସେ କଲେ ମଧ୍ୟ, ଭୁବନେଶ୍ବରରେ ସଡ଼କ ଦୁର୍ଘଟଣାରେ କିମ୍ବା ରେଳଧାରଣାରେ ରେଳ ଧକ୍କାରେ କେହି ପ୍ରାଣ ହରାଇଲେ, ସେ ଯଥାଶୀଘ୍ର ପହଞ୍ଚି ଶବସତ୍କାର କରନ୍ତି। ମଝିରେମଝିରେ ମଧୁସ୍ମିତା ଯେତେବେଳେ ଓଡ଼ିଶା ଆସନ୍ତି, ସେ ମଧ୍ୟ ସ୍ବାମୀଙ୍କୁ ଏହି କାମରେ ସହଯୋଗ କରନ୍ତି। ୨୦୧୯ବେଳକୁ ପତ୍ନୀ ମଧୁସ୍ମିତା ନିଷ୍ପତ୍ତି ନେଲେ, ଏହି ସାମାଜିକ କାମରେ ସେ ସ୍ବାମୀଙ୍କୁ ସାହାଯ୍ୟ କରିବେ। ଚାକିରି ଛାଡ଼ି ଚାଲିଆସିଲେ, ଏଥରକ ସ୍ବାମୀ-ସ୍ତ୍ରୀ ଦୁହେଁ ରାଜରାସ୍ତାକୁ ଓହ୍ଲାଇ ତାଙ୍କ ଜନସେବାରେ ଲାଗିପଡ଼ିଲେ। ଏକ ଦୁର୍ଘଟଣାରେ ପ୍ରଦୀପଙ୍କ ଗୋଡ଼ ଆଘାତ ପରଠାରୁ ମଧୁସ୍ମିତା ଏକାକୀ ନିଜେ ଏହି ଶବସତ୍କାର କାମ କଲେ ।
ଏ ଭିତରେ ସେମାନେ ଏକ ସଙ୍ଗଠନର ଆରମ୍ଭ କରିଛନ୍ତି, ଯାହାର ନାମ ‘ପ୍ରଦୀପ ସେବା ଟ୍ରଷ୍ଟ’ ରଖାଯାଇଛି। ଗଲା ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ଶବସତ୍କାର କରିବା ସହ କରୋନାର ପ୍ରଥମ ଲହରବେଳେ ୫୦୦ରୁ ଅଧିକ କୋଭିଡ ରୋଗୀଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ମାଗଣାରେ କରିଥିଲେ। ଏହି ସଙ୍ଗଠନ ମଧ୍ୟ ଈଶ୍ବରଙ୍କ କୃପାରୁ ଚାଲୁଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାନରେ ପ୍ରଦୀପ ସେବା ଟ୍ରଷ୍ଟର କାମ ବେଶ୍ ସୁରୁଖୁରୁରେ ଆଗକୁ ବଢ଼ୁଛି। ନିକଟରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍ ଏବଂ ପୁଲିସ୍ ଅଧିକାରୀ ଏହି ସଙ୍ଗଠନର କାମକୁ ପ୍ରଶଂସା କରିଛନ୍ତି।ପ୍ରଦୀପ ସେବା ଟ୍ରଷ୍ଟ ସହ ଏକ ଚୁକ୍ତି ମଧ୍ୟ କରାଯାଇଛି। ରାସ୍ତା ଦୁର୍ଘଟଣା, ରେଳ ଧାରଣା ଦୁର୍ଘଟଣା, ଆତ୍ମହତ୍ୟା, କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ, ଏସମସ୍ତଙ୍କ ମୃତଶରୀରକୁ ପ୍ରଦୀପ ସେବା ଟ୍ରଷ୍ଟ ଆମ୍ବୁଲାନ୍ସରେ ନେଇ ଭରତପୁରରେ ନୂଆ କରି ତିଆରି ହୋଇଥିବା ଶ୍ମଶାନରେ ପହଞ୍ଚାଇ ଶେଷ କୃତ୍ୟ ସମ୍ପନ୍ନ କରିବେ ।
ନିଜର ଏହି କାମକୁ ସମ୍ମାନ ଦେବା ସହ ଭଲପାଇବସିଛନ୍ତି ମଧୁସ୍ମିତା। ସକାଳ ହେଉ କି ଦିନ କିମ୍ବା ବିଳମ୍ବିତ ରାତ୍ରି, ଖବରଟେ ପାଇବା ମାତ୍ରେ ସେ ଓ ତାଙ୍କ ସ୍ବାମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନେଇ ପହଞ୍ଚିଯାନ୍ତି। କୋଭିଡ ହସ୍ପିଟାଲକୁ ଯିବାର ଥିଲେ, ଦୁହେଁ ପିପିଇ କିଟ୍ ପିନ୍ଧି ଯା’ନ୍ତି। ଯଦିବା କେତେବେଳେ କେମିତି ସ୍ବାମୀଙ୍କ ଦେହ ଠିକ୍ ନଥାଏ, ମଧୁସ୍ମିତା ଏକା ଚାଲିଯାନ୍ତି। ଏବେ ସେ ନିଜେ ଶବକୁ କାନ୍ଧ ଦେଇ ଶବ ସତ୍କାର କରିପାରୁଛନ୍ତି ।
ସ୍ବାମୀ-ସ୍ତ୍ରୀ ଦୁହେଁ ଜନସେବାରେ ଲାଗିଛନ୍ତି ଆଉ ଈଶ୍ବର ବି ସତରେ ତାଙ୍କୁ ସହାୟ ହୋଇଛନ୍ତି। ଏକଥା କୋହଭରା କଣ୍ଠରେ କହିଛନ୍ତି ମଧୁସ୍ମିତା। ଦୁଇ ପିଲା ଘର ଦାୟିତ୍ବ ଅନେକ ସମୟରେ ବୁଝନ୍ତି।ଆଉ ସେ ପାଲଟିଛନ୍ତି ଶ୍ମଶାନର ଜାଗ୍ରତ ପ୍ରହରୀ ।