ବିଗତ ୨୦ ବର୍ଷର ଗବେଷଣା ଆଉ ସଂଗ୍ରହ, ତା ପୁଣି ବିଭିନ୍ନ ଭାଷାର ଖବର କାଗଜ ଓ ପତ୍ର ପତ୍ରିକାର । ଏପରି ନିଶାରେ ମଗ୍ନ ନିର୍ମାଣ ବିଭାଗରେ କାର୍ଯ୍ୟରତ ଜଣେ ସହକାରୀ ଇଞ୍ଜିନିୟର – ରାଜ କିଶୋର ଷଡଙ୍ଗୀ । ରାଜଧାନୀ ଭୁବନେଶ୍ଵରରେ ନିଜର କର୍ମ ଓ ସାଧନାର କ୍ଷେତ୍ର ସଜାଇଥିବା ରାଜକିଶୋରଙ୍କର ଜନ୍ମ ଅନୁଗୁଳ ଜିଲ୍ଲାର କିଶୋର ନଗରରେ ।
ସ୍ଵାଧୀନତା ପୂର୍ବରୁ ଓଡିଶାରେ ପାଖାପାଖି ୫୦ ପ୍ରକାରରୁ ଊର୍ଦ୍ଧ୍ଵ ଖବରକାଗଜ ଓ ୭୫ ପ୍ରକାରରୁ ଊର୍ଦ୍ଧ୍ଵ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିଲା ।ଯଦି ଏସବୁର ହିସାବ ରଖା ନଯାଏ, ତେବେ ପରବର୍ତ୍ତୀ ପୀଢି ଏ ବିଷୟରେ କିଛି ଜାଣି ପାରିବ ନାହିଁ । ଖବର କାଗଜ ଓ ପତ୍ର ପତ୍ରିକା ଉପରେ ଗବେଷଣା କରି ବର୍ତ୍ତମାନ ସୁଦ୍ଧା ମୁଁ ୩୦୦୦ ରୁ ଉର୍ଦ୍ଧ୍ଵ ଓଡିଆ ଭାଷାରେ ଖବର କାଗଜ ସନ୍ଧାନ ପାଇ ସାରିଛି। ତା ମଧ୍ୟରୁ ୧୮୫୦ ପ୍ରକାର ଖବରକାଗଜ ସଂଗ୍ରହ ମୋ ପାଖରେ ରହିଛି। ତନ୍ମଧ୍ୟରୁ ୨୪୦ ପ୍ରକାର ଦୈନିକ ଖବର କାଗଜ, ୬୪୦ ପ୍ରକାର ସାପ୍ତାହିକ, ୪୬୦ ପ୍ରକାରର ପାକ୍ଷିକ ଓ ୫୭୦ ପ୍ରକାର ମାସିକ ଖବରକାଗଜ ରହିଛି ।
କେବଳ ଖବର କାଗଜ ନୁହେଁ, ଓଡିଶା ଏବଂ ଓଡିଶା ବାହାରୁ ପ୍ରକାଶିତ ହୋଇଥିବା ୩୫୦୦ ପ୍ରକାରର ସାହିତ୍ୟ ପତ୍ରିକା ମଧ୍ୟରୁ ରାଜକିଶୋରଙ୍କ ପାଖରେ ରହିଛି ୧୮୧୦ ପ୍ରକାର ପତ୍ରିକା ସଂଗ୍ରହ । ଏହା ମଧ୍ୟରୁ ଓଡିଶା ବାହାରୁ ପ୍ରକାଶିତ ୭୦ପ୍ରକାରର ସାହିତ୍ୟ ପତ୍ରିକାର ସଂଗ୍ରହ ରହିଛି । ସେହିପରି ୬୯୦ ପ୍ରକାର ଶିଶୁ ପତ୍ରିକା ମଧ୍ୟରୁ ୨୮୮ ପ୍ରକାର ପତ୍ରିକା ଏବଂ ୫୨୦ ପ୍ରକାରର ଆଧ୍ୟାତ୍ମିକ ପତ୍ରିକା ମଧ୍ୟରୁ ୨୫୦ ପ୍ରକାରର ସଂଗ୍ରହ ରହିଛି ରାଜକିଶୋରଙ୍କ ପାଖରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଶିକ୍ଷା, ବିଜ୍ଞାନ, କୃଷି, ଉଦ୍ୟୋଗ, ଆଇନ, ମହିଳା, ଶ୍ରମ, ବ୍ୟଙ୍ଗ, ସମାଲୋଚନା, ବିଭିନ୍ନ ଧର୍ମ ଶାସ୍ତ୍ର ଓ ଜନଜାତି ସମ୍ବନ୍ଧୀୟ ଅନେକ ପତ୍ରପତ୍ରିକା, ସ୍ମରଣିକା ଆଦି ମଧ୍ୟ ତାଙ୍କ ସଂଗ୍ରହରେ ରହିଛି ।
ନୟାଗଡର ଦାଶରଥୀ ପାଠାଗାରକୁ ଛାଡିଦେଲେ ଓଡିଶାର କୌଣସିଠାରେ ପତ୍ରପତ୍ରିକାକୁ ନେଇ ସ୍ଵତନ୍ତ୍ର ସଂଗ୍ରହାଳୟଟିଏ ନାହିଁ । ପତ୍ର ପତ୍ରିକା ସବୁର ପରିଚୟ ଉପରେ ପୁସ୍ତକ ପ୍ରକାଶ କରିବା ସାଙ୍ଗକୁ ସ୍ଵତନ୍ତ୍ର ସଂଗ୍ରହାଳୟଟିଏ ସ୍ଥାପନ କରିବା ମୋର ଲକ୍ଷ୍ୟ । ଏ ଦିଗରେ ମୋର ପ୍ରଚେଷ୍ଟା ଜାରି ରହିଛି । ଆଉ ଏଥିପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି । କାରଣ ଆଜିର ଘଟଣା କାଲିର ଇତିହାସ । ତେଣୁ ଆଜି ଯାହା ସଂରକ୍ଷିତ ହେବ ତାହା ହେବ ଆଗାମୀ ପିଢୀ ପାଇଁ ବହୁମୂଲ୍ୟ ସମ୍ପଦ ।
ଏହା ହଉଛି ସମାଜ ପାଇଁ ଉନ୍ନତ ଚିନ୍ତାଧାରା, ରାଜକିଶୋର ତାଙ୍କର ଲକ୍ଷ୍ୟରେ ସଫଳ ହୁଅନ୍ତୁ । ତାଙ୍କୁ ଆମର ଅଜସ୍ର ସାଧୁବାଦ ।