ଏବେ ବି ଗାଁଗହଳି ରେ ଗୁରୁବାରରେ ଘରଣୀମାନେ ଗୋବରରେ ଘର ଦୁଆର ମୁହଁକୁ ଲିପାପୋଛା କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଗାଁର ସେଇ ବୋହୂଟି ଏଇ ଗୋବରର ଗୁଣ ଭଲରେ ଜାଣେ। ଆମେ ସହରବାସିନ୍ଦା କିନ୍ତୁ ଚାକଚକ୍ୟରେ ଘର ଭିତରେ ଓ ବାହାରେ ପେଣ୍ଟ କରୁଛୁ। ଏଥିପାଇଁ ଯେ ପରିବେଶ ପ୍ରଦୂଷଣ ହେଉଛି, ସେକଥାକୁ ଆମେ ଧ୍ୟାନ ଦେଇନଥାଉ। ଏବେ କିନ୍ତୁ ସେହି ଗାଁର ଜଣେ ବୋହୂ ଗୋବରରୁ ଅର୍ଗାନିକ୍ ରଙ୍ଗ ତିଆର କରି ଯୋଗାଇଛନ୍ତି ପ୍ଲାଷ୍ଟିକ୍ ପେଣ୍ଟର ବିକଳ୍ପ ।
ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଆମ୍ବପଲ୍ଲୀ ଗାଁର ବାସିନ୍ଦା ହେଲେ ୩୦ ବର୍ଷୀୟ ଦୁର୍ଗା ପ୍ରିୟଦର୍ଶିନୀ । ବିବାହ ପରେ ସ୍ବାମୀ ଯୋଗେଶ୍ବର ସାହୁଙ୍କ ସହ ଗୁରୁଗ୍ରାମ ଯାଇ ସାଂସାରିକ ଜୀବନ ଆରମ୍ଭ କଲେ। ମେଟ୍ରୋପଲିଟାନ ଶହରରେ ଚାକିରିଆ ଲୋକୋମାନଙ୍କ ମଝିରେ ରହି ତାଙ୍କୁ ମଧ୍ୟ ନିଜର ପରିଚୟ ଶ୍ରୁଷ୍ଟି ଏବଂ ନିଜ ଗାଁ ପାଇଁ କିଛି କରିବାର ଇଛା ହେଲା। ନିଜ ପରିଚୟ ଖୋଜିବାର ଜିଦ୍ରେ ସେ କିଛି ନା କିଛି କରିବାକୁ ଅଣ୍ଟା ଭିଡ଼ିଲେ। ବରଗଡ଼ ଆସିବା ପୂର୍ବରୁ ସେ ପ୍ରଥମେ ଭାବିଲେ, ଆସି କରିବେ କ’ଣ? ଗାଁରେ କ୍ଷୀର ବ୍ୟବସାୟ କରିବାକୁ ସେ ଭାବିଲେ। ସେଥିପାଇଁ ହରିୟାଣାରେ ଥିବା ଜିଏଫଓ ଡାଏରି ଫାର୍ମରେ ସେ ଆଠ ମାସିଆ ତାଲିମ ନେଲେ। ସେଇଠି ପ୍ରତିଦିନ ଯିବା ଆସିବା ସମୟରେ ଗାଈ ଗୋବର ବ୍ୟବହାର ଦୁର୍ଗାଙ୍କ ଧ୍ୟାନ ଆକର୍ଷଣ କଲା। ପ୍ରତିଦିନ ଏତେ ପରିମାଣର ଗୋବର କ’ଣ ହେଉଛି, ଏକଥା ସେ ବରାବର ଭାବୁଥିଲେ। ପଚରାଉଚୁରା କରିବା ପରେ ସେ ଜାଣିବାକୁ ପାଇଲେ ଯେ ପାଖରେ ଥିବା ଖଦୀ ଏବଂ ଗ୍ରାମୋଦ୍ୟୋଗ କମିଶନ (KVIC)ଏହି ଗୋବର ବ୍ୟବହାର କରି ରଙ୍ଗ ତିଆରି କରୁଛି। ଗୋବରରୁ ଅର୍ଗାନିକ ପେଣ୍ଟ ତିଆରିର ଏହି ଚିନ୍ତାଧାରା ଦୁର୍ଗାଙ୍କୁ ପ୍ରଭାବିତ କଲା। ଆଉ ଡେରି ନ କରି ରାଜସ୍ଥାନ ଜୟପୁରରେ ସେ ଖଦୀ ଏବଂ ଗ୍ରାମ୍ୟ ଶିଳ୍ପ ଦ୍ବାରା ଆୟୋଜିତ ୫ ଦିନିଆ କର୍ମଶାଳାରେ ଯୋଗ ଦେଲେ ।
ଗୋବରରୁ ରଙ୍ଗ ବନେଇବା ପ୍ରକ୍ରିୟା ଭଲ ଭାବେ ଶିଖିଲା ପରେ ୨୦୨୧ରେ ଦୁର୍ଗା ରାଜସ୍ଥାନର ଜଣେ ଚାଷୀ ଜେ.ପି.ଯାଦବଙ୍କ ସହ ମିଶି ପ୍ରଥମ ୟୁନିଟ୍ ସ୍ଥାପନା କଲେ। ଏହି ଗୋବର ରୁ ପ୍ରସ୍ତୁତ ରଙ୍ଗର ର ଉପଯୋଗିତା ବିଷୟରେ ଲୋକମାନଙ୍କୁ ସଚେତନ କଲେ ସେ। ଗୋବର ରୁ ପ୍ରସ୍ତୁତ ଅର୍ଗାନିକ ପେଣ୍ଟର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ପୂରା ଟିମ୍ ଦିଲ୍ଲୀ ଏନସିଆର୍ ଓ ଜୟପୁରରେ ବିଲଡିଂ ମାଲିକଙ୍କୁ ବୁଝେଇବା ସାଙ୍ଗକୁ ବିଜ୍ଞାପନ ପ୍ରଦର୍ଶିତ କଲେ। ଅର୍ଗାନିକ ପେଣ୍ଟ ପାଇ ଜନସାଧାରଣଙ୍କ ଆଗ୍ରହ ଦେଖି ଦୁର୍ଗାଙ୍କ ଖୁସିର ସୀମା ରହିଲା ନାହିଁ। ଦୁର୍ଗା ଏଥରକ ନିଜ ଗାଁ ପାଖ ପେପଲଖୁଣ୍ଟା ଠାରେ ଗୋବରରୁ ଅର୍ଗାନିକ ପେଣ୍ଟ ପ୍ରସ୍ତୁତି ଉଦ୍ୟୋଗ ଟିଏ ପ୍ରତିଷ୍ଠା କରିବାକୁ ଯୋଜନା କଲେ ।
ବିଶେଷ କରି ପାଖଆଖର ମହିଳାମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ୨୦୨୨ ଜାନୁଆରୀରେ ଜନ୍ମ ନେଲା ଦୁର୍ଗାଙ୍କ ନିଜସ୍ୱ ଷ୍ଟାର୍ଟଅପ୍ ଉଦ୍ୟଗ- ‘ଗୌମୟ ଆଗ୍ରୋ ପ୍ରାଇଭେଟ ଲିମିଟେଡ’। ମୋଟ୍ ୧୨ଜଣିଆ ଲୋକଙ୍କ ଟିମ୍ କୁ ନେଇ ‘ଗୌମୟ’ର ଉପଲବ୍ଧି ଏବେ ସବୁରି ଦୃଷ୍ଟି ଆକର୍ଷଣ କଲାଣି । ଆରମ୍ଭ ହେବାର ମାତ୍ର ୬ ମାସ ମଧ୍ୟରେ ‘ଗୌମୟ’ ୧୦ହଜାର ଲିଟର ଗୋବର ରଙ୍ଗ ବିକ୍ରି କରିସାରିଲାଣି। ‘ଗୌମୟ’ ଏକମାତ୍ର ଷ୍ଟାର୍ଟଅପ୍ ଉଦ୍ୟଗ ଯାହାକି ଏବେ ୧ହଜାରରୁ ଅଧିକ ପ୍ରକାର ପ୍ରକୃତିକ ରଙ୍ଗ ଗୋବରରୁ ପ୍ରସ୍ତୁତ କରୁଛି ।
“ଭାରତୀୟ ମାନକ ପ୍ରତିଷ୍ଠାନ (ISI) ଦ୍ଵାରା ସ୍ବୀକୃତି ପ୍ରାପ୍ତ ଏଇ ପ୍ରକୃତିକ ରଙ୍ଗ ପରିବେଶ ଅନୁକୂଳ, ଦୁର୍ଗନ୍ଧବିହୀନ, କେମିକାଲ ମୁକ୍ତ, ଆଉ ଉତ୍ତାପ ନିରୋଧୀ। ପୁଣି ଏଇ ପେଣ୍ଟ ଆଦୌ ବ୍ୟୟସାପେକ୍ଷ ନୁହେଁ। କିଲୋ ପିଛା ୫ଟଙ୍କା ଦରରେ ଆଖପାଖ ଅଞ୍ଚଳରୁ ତଥା ସ୍ଥାନୀୟ ଡାଏରି ଫାର୍ମର ମାନଙ୍କଠାରୁ ଆମେ ଗୋବର ସଙ୍ଗ୍ରହ କରିଥାଉ। ପ୍ରକାରାନ୍ତରେ ଏଇ ବ୍ୟବସ୍ଥା ଚାଷୀମାନଙ୍କୁ ଅତିରିକ୍ତ ଆୟ ଯୋଗାଇବାରେ ସହାୟକ ହେଉଛି। ପୁଣି ବନ୍ଧ୍ୟା ଏବଂ ବୃଦ୍ଧ ଗାଈଗୋରୁ ମାନଙ୍କର ସୁରକ୍ଷା ମଧ୍ୟ ଏଥି ପାଇଁ ସମ୍ଭବ ହୋଇପାରୁଛି।“
“ମୋର ସବୁ ସଫଳତାର ଶ୍ରେୟ ମୋ ସ୍ୱାମୀଙ୍କର, ସିଏ ମତେ ସବୁବେଳେ ପ୍ରେରଣା ଦେଇଥାନ୍ତି।“
ପ୍ଲାଷ୍ଟିକ୍ ପେଣ୍ଟ ବା ରାସାଯନିକ ପେଣ୍ଟ ପରିବର୍ତ୍ତେ ଆମ ଦେଶୀ ଗୋବର ପ୍ରସ୍ତୁତ ରଙ୍ଗକୁ ଘର କାନ୍ଥରେ ଲଗାଇବା ସତରେ ଯଥାର୍ଥ। କେତେକ ବର୍ଗର ଲୋକ ଏଭଳି ଷ୍ଟାର୍ଟଅପ୍ର ମହତ୍ତ୍ବକୁ ଭଲଭାବେ ବୁଝିପାରୁଛନ୍ତି । ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ଏବଂ ଗ୍ଲୋବାଲ ୱାର୍ମିଂ ଏବେ ସାରା ବିଶ୍ଵକୁ ଚିନ୍ତାରେ ପକେଇଥିବାବେଳେ ଭବିଷ୍ୟତ ପିଢ଼ିକୁ ସୁରକ୍ଷିତ ପରିବେଶ ଦେବା ପାଇଁ ଗୋବରରୁ ଅର୍ଗାନିକ୍ ପେଣ୍ଟ ପ୍ରସ୍ତୁତି ଏକ ଛୋଟ କିନ୍ତୁ ମହତ ପଦକ୍ଷପ।
ଦୁର୍ଗାଙ୍କର ଏହି ଉଦ୍ୟମକୁ ଆମର ଅଜସ୍ର ଧନ୍ୟବାଦ । ଗୌମୟ ର ଜୟ ଯାତ୍ରା ସୁଦୂରପ୍ରସାରୀ ହେଉ ।