ରାସ୍ତାରେ ଆମେ ମାନସିକ ରୋଗୀଙ୍କୁ ବୁଲୁଥିବା, ପାଟି କରୁଥିବା ବା ଅଜବ ଅଜବ କାର୍ଯ୍ୟ କରୁଥିବା ଦେଖିଥାଉ । ଲୋକମାନେ ତାଙ୍କୁ ଦେଖି ହସନ୍ତି ଆଉ ପାଗଳ କହି ଆଗକୁ ବଢିଯାନ୍ତି, ହେଲେ ବିପିନ ବିହାରୀ ପଣ୍ଡା ସମସ୍ତଙ୍କଠୁ ଟିକେ ଭିନ୍ନ । ଏମତି ବେସାହାରା ମାନସିକ ରୋଗୀ ମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସୁରକ୍ଷିତ ଘର ଦେବା ସହ ନେଉଛନ୍ତି ତାଙ୍କର ସମ୍ପୂର୍ଣ ଦାୟିତ୍ଵ । ଆଉ ଯଦି ସମ୍ଭବ ହେଉଛି ତାହେଲେ ସେମାନଙ୍କ ପରିବାର ସହ ଯୋଗାଯୋଗ କରାଉଛନ୍ତି ।
ବିପିନ ନିଜ ପରିବାର ସହିତ ସମ୍ବଲପୁର ଜିଲ୍ଲା ହୀରାକୁଦ ବ୍ଲକ ସ୍ଥିତ ହିଣ୍ଡାଲକୋ କଲୋନୀରେ ରୁହନ୍ତି । ତେବେ ହିଣ୍ଡାଲକୋ କମ୍ପାନିରେ ଜଣେ ସାଧାରଣ ଅପରେଟର ଭାବେ କାମ କରୁଥିବା ବିପିନଙ୍କ ଜୀବନରେ ଏମତି କଣ ଘଟିଲା ଯାହା ତାଙ୍କୁ ଏମତି ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ ପ୍ରେରିତ କଲା ?
“ଥରେ କାମରୁ ଫେରୁଥିବା ସମୟରେ ମୋର ନଜର ପଡିଲା ନଳା ପାଖରେ ବସିଥିବା ଜଣେ ପିଲା ଉପରେ । ଚିରା-ମଇଳା କପଡା ପିନ୍ଧି ଅତି ଦୟନୀୟ ଅବସ୍ଥାରେ ସେ ପିଲା ସେଠାରେ ବସି ନଳାପାଣି ପିଉଥିଲା । ଏଇ ହୃଦୟ ବିଦାରକ ଦୃଶ୍ୟ ମୋତେ ଭାରାକ୍ରାନ୍ତ କରି ପକାଇଲା, ଇଚ୍ଛା ହେଲା ତା ପାଇଁ କିଛି କରିବି, କିନ୍ତୁ କରିବି କଣ?। ଏଇ ସମୟରେ ମୁଁ ସମାଜ ପତ୍ରିକା ପାଇଁ କାମ କରୁଥିବା ପ୍ରଭାସ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କଲି ଓ ସେ ପିଲା ବିଷୟରେ କହିଲି । ତାଙ୍କ ପରାମର୍ଶ ଅନୁଯାଇ ମୁଁ ସେ ପିଲାକୁ ନୂଆ କପଡା ପିନ୍ଧାଇ, ଧୁଆଧୋଇ କରି କଟକ ଆଣିଲି ଏବଂ ତାକୁ ହସ୍ପିଟାଲରେ ଦାଖଲ କରେଇଲି। ଏହା ମଧ୍ୟରେ ପ୍ରଭାସ ଆଚାର୍ଯ୍ୟ ସେ ପିଲା ବିଷୟରେ ଖବର କାଗଜରେ ବିଜ୍ଞାପନ ଦେଇଥିଲେ ଫଳରେ ସେ ପିଲାର ମାତା-ପିତା ଆମକୁ ଯୋଗାଯୋଗ କଲେ ଆଉ ନିଜ ପିଲକୁ ୧୪ ବର୍ଷ ପରେ ଫେରିପାଇ ତାଙ୍କର ଖୁସିର ସୀମା ନଥିଲା । ତାପରେ ଅନୁଭବ କଲି ମୋର ଏଇ ଛୋଟ ସାହାଯ୍ୟ ଏ ଅଞ୍ଚଳର ସମସ୍ତ ମାନସିକ ରୋଗୀଙ୍କୁ ମିଳିଲେ ସେ ମାନଙ୍କର ମଧ୍ୟ ଉଦ୍ଧାର ହୋଇପାରିବ, ୟାଠାରୁ ବଡ ସମାଜସେବା କଣ ବା ହୋଇପାରେ ।”
ସମ୍ବଲପୁର ରାସ୍ତା- ଘାଟରେ ବା କୌଣସି ଖବର କାଗଜରେ ବିପିନଙ୍କୁ ଯଦି ଏମତି ମାନସିକ ରୋଗୀଙ୍କର ଖବର ମିଳେ, ତାହାଲେ ସେ ତାଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବାରେ ଜମାରୁ ହେଳା କରନ୍ତି ନାହିଁ । ଗାଧୋଇ ପାଧୋଇ ଦେଇ, ନୂଆ ଲୁଗା ପିନ୍ଧାଇ ତାଙ୍କୁ ସେ ନିକଟତ୍ତମ ସେଲ୍ଟର ହୋମରେ ଦାଖଲ କରି ଦିଅନ୍ତି । ଯଦି ନିଜର ଠିକଣା ବତେଇବାକୁ କିଏ ଯଦି ସମର୍ଥ ଥାଏ, ତାହାଲେ ସେ ନିଜ ହାତରୁ ଟଙ୍କା ଖରଚ କରି ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ଦିଅନ୍ତି । ୨୦୧୫ ମସିହାରୁଏଇ କାମରେ ଲାଗିଛନ୍ତି ବିପିନ ବିନା କିଛି ପ୍ରତିଦାନ ବା ପ୍ରୋତ୍ସାହନ ଆଶାରେ ।
କ୍ରମେ ବିପିନଙ୍କ ମହତ କାମ ସ୍ଥାନୀୟ ଲୋକମାନଙ୍କ ଠୁ ଆରମ୍ଭ କରି ପ୍ରଶାସନର ମଧ୍ୟ ନଜରକୁ ଆସିଲା । ତାଙ୍କ କାମର ମହତ୍ତ୍ଵ ବୁଝି ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ଅଧିକ ରୁ ଅଧିକ ମାନସିକ ରୋଗୀଙ୍କୁ ଖୋଜି ପାଇଁ, ତାଙ୍କ ସେବାଯତ୍ନଠୁ ଆରମ୍ଭ କରି ସେଲ୍ଟର ହୋମ ପହଞ୍ଚେଇବା କ୍ଷେତ୍ରରେ ବିପିନଙ୍କର ସହାୟତା କରୁଛନ୍ତି । ମାନସିକ ରୋଗୀଙ୍କ ପାଇଁ ବିପିନଙ୍କ ସେବା ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକପ୍ରିୟ ହେଲା ପରେ, ତାଙ୍କ ସହିତ ସମ୍ବଲପୁର ବାହାରେ ମଧ୍ୟ ଲୋକମାନେ ଜଡିତ ହୋଇଛନ୍ତି; ଏବଂ ତାଙ୍କ କାମ ପାଇଁ କେହି କେହି ବାଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାୟତାବି ମିଳୁଛି ।
୨୦୧୯ ଅଗଷ୍ଟ ରେ ବିପିନ ୨୫ ଜଣ ସହୃଦୟ ବ୍ୟକ୍ତିଙ୍କୁ ନେଇ ‘ପରିଚୟ’ ନାମକ ଏକ ଟ୍ରଷ୍ଟ ଗଢିଛନ୍ତି ।ସେବେଠାରୁ ଆଜି ଭିତରେ ପରିଚୟ’ମାଧ୍ୟମରେ ପାଖାପାଖି ୪୦୦ ମାନସିକ ରୋଗୀଙ୍କୁ ଉଦ୍ଧାର ସମ୍ଭବ ହୋଇଛି । ଲୋକମାନଙ୍କର ବା ପ୍ରଶାସନ ର ଫୋନ ମାଧ୍ୟମରେ, ବା ସୋସିଆଲ ମିଡିଆ, ଖବର କାଗଜ ମାଧ୍ୟମରେ ମାନସିକ ରୋଗୀଙ୍କର କିଛି ବି ଖବର ମିଳିଲେ ଯଥା ଶୀଘ୍ର ସେମାନଙ୍କ ଉପଚାର କରି ସେଲ୍ଟର ହୋମ ପଠାଇବାର ବ୍ୟବସ୍ଥା ହେଉଛି । ବିପିନଙ୍କର ମହତ ସେବା କାର୍ଯ୍ୟର ସ୍ୱୀକୃତି ସ୍ବରୂପ ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୬ ତମ ଫାଉଣ୍ଡେସନ ଦିବସରେ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି |
“ଲୋକ ମାନଙ୍କର ସହଯୋଗ ଦେଖି ମୁଁ ଭାବୁଛି ନିଜେ ଏକ ନିଜର ସେଲ୍ଟର ହୋମ ଖୋଲିବାକୁ ଯାହା ଦ୍ଵାରା ଆମେ ମାନସିକ ରୋଗୀମାନଙ୍କୁ ଗୋଟେ ସୁଖୀ ଏବଂ ସୁରକ୍ଷିତ ଜୀବନ ଦେଇପାରିବା ସମ୍ଭବ ହେବ । ମୁଁ ସଭିଁଙ୍କୁ ଏମତି ମାନସିକ ରୋଗୀଙ୍କ ପାଇଁ ଆହୁରି ସମ୍ବେଦନଶୀଳ ହେବାକୁ ବିନମ୍ର ନିବେଦନ କରୁଛି । ଯଦି ଆମ ତରଫରୁ ଟିକେ ଉଦାରତା ଏବଂ ଭଲପାଇବା ଦେଇପାରିବା ତେବେ ଏଇ ମାନସିକ ରୋଗୀମାନଙ୍କ ବିଷାଦଗ୍ରସ୍ତ ଉଦାସ ଜୀବନରେ ହୁଏତ ଏକ ନୂଆ ସୁସ୍ଥ ସୁନ୍ଦର ସମ୍ଭାବନାର ମୋଡ ଆସିବା ସମ୍ଭବ ।”
ବିପିନଙ୍କୁ ଆମର ହୃଦୟଭରା ସାଧୁବାଦ ଏବଂ ଶୁଭେଚ୍ଛା !!