କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କଇଥା ପଞ୍ଚାୟତ ଗୌଡପାଟଣା ଗାଁର ଗୋପାଳ ଚରଣ ସିଂହ ଓ ମାତାଜୀ ସିଂହଙ୍କ ସାନ ଝିଅ ଭାରି ଖୁସିବାସିଆ ପରୋପକାରୀ ଝିଅଟିଏ – ସୁଶ୍ରୀ ପ୍ରମିଳା ସିଂହ । ପିଲାଟିବେଳୁ ଗରିବ ଦୁଃଖୀ-ପୀଡିତଙ୍କ ପାଇଁ କିଛି କରିବାରେ ସେ ସଦା ଆଗଭର ଥିଲେ । ତେବେ ଭାଗ୍ୟ ତାଙ୍କପାଇଁ ରଖିଥିଲା ବିଡମ୍ବନା ।୨୦୦୯ ମସିହାରେ ସ୍କୁଲ ଯିବା ସମୟରେ ଗୋଟେ ସଡକ ଦୁର୍ଘଟଣା ତାଙ୍କ ଜୀବନକୁ ସମ୍ପୂର୍ଣ ଓଲଟପାଲଟ କରିଦେଲା । ମେରୁଦଣ୍ଡରେ ଲାଗିଲା ଆଘାତ ଆଉ ସାରା ଜୀବନ ପାଇଁ ହ୍ଵିଲଚେୟାର ଉପହାର ମିଳିଲା ତାଙ୍କୁ । ହସଖୁସିର ସହଜ ସରଳ ଜୀବନ ଟି ତାଙ୍କର ହୋଇପଡିଲା ଦୁର୍ବିସହ । ତେବେ ପୀଡିତଙ୍କୁ ସାହାଯ୍ୟ କରିବାର ଇଚ୍ଛା ମନରେ ଥିଲେ ପଙ୍ଗୁ ମଧ୍ୟ ଶଶକ୍ତ ହୋଇପାରେ ପରୋପକାରର ଏଇ ଇଚ୍ଛା ହିଁ ପ୍ରମିଳାଙ୍କୁ ଦେଲା ପୁଣିଥରେ ବଞ୍ଚିବାର ରାହା ।
“ଦୁର୍ଘଟଣା ମୋତେ ପଙ୍ଗୁ କରି ଦେଇଥିଲା। ମୋର ସବୁ ଆଶା ଓ ଖୁସି ନଷ୍ଟ ହୋଇଯାଇ ଥିଲା । ଚିହ୍ନାଜଣା ଲୋକାମାନେ ମଧ୍ୟ କହୁଥିଲେ ଏପରି ଜୀବନ ଥାଇ କିବା ଲାଭ ! ମୋ ଜୀବନ ଯେମିତି ଅନ୍ଧକାରରେ ଭରି ଯାଇଥିଲା । ଅବସ୍ଥା ଏମିତିଥିଲାଯେ ମୁଁ ବାହାରକୁ ଯିବା ବନ୍ଦ କରି ନିଜକୁ ଗୋଟେ ରୁମରେ ବନ୍ଦ କରି ରଖୁଥିଲି। ଏମତିରେ ୬ ବର୍ଷ କଟିଗଲା। ମତେ ଦିନେ ହୃଦବୋଧ ହେଲା ସତରେଏମତି ଜୀବନ ବଞ୍ଚିକି କି ଲାଭ ଯାହା ଅନ୍ୟମାନଙ୍କ କାମରେ ଲାଗି ପାରିବନି ! ମୋ ଜୀବନର ଦୁଃଖ ମୋ ନିଜକୁ ହିଁ କମ କରିବାକୁ ପଡିବ । ମତେ ଲାଗିଲା ଲୋକମାନଙ୍କ ଦୁଃଖକୁ ନିଜର କରି ଯଦି ମୁ ତାଙ୍କ ପାଇଁ କିଛି ବି କରି ପାରିଲି ତେବେ ସମ୍ଭବତଃ ମୋ ନିକ ଦୁଃଖ ବି କମି ଯାଇ ପାରିବ ।”
୨୦୧୩ ରେ ପ୍ରମିଳା ଗାଁର ଉନ୍ନତି ପାଇଁ ଛୋଟ ମୋଟ କାମ କରିବା ଆରମ୍ଭ କଲେ। କେବେ ଗାଁର ଗରିବ ଲୋକ ମାନଙ୍କ ପାଇଁ ଡାଳିଚାଉଳ ଆଣି ଦେବା ତ କେବେ କୌଣସି ଦିବ୍ୟାଙ୍ଗକୁ ହ୍ଵିଲଚେୟାର ଦାନ କରିବା ପୁଣି କେବେ ପଞ୍ଚୟାତରେ ବସି ଗ୍ରାମକଲ୍ୟାଣ ନିମନ୍ତେ କିଛି ସମସ୍ୟା ସମାଧାନର ସୂତ୍ର ଖୋଜିବା । ସେ ନିଜ ଟ୍ରାଇସାଇକିଲରେ ଜାଗା ଜାଗା ବୁଲି ତାଙ୍କ ଦ୍ଵାରା ଯେତେ ସମ୍ଭବ ଲୋକ କଲ୍ୟାଣ କାମରେ ନିଜକୁ ଉତ୍ସର୍ଗ କରିବାରେ ଲାଗିଲେ ପ୍ରମିଳା। ପ୍ରମିଳାଙ୍କ ପରି ଝିଆଟିଏର ଏଇ ଲୋକ କଲ୍ୟାଣ କାମ ଲୋକଲୋଚନକୁ ବି ଆସିଲା ସମୟକ୍ରମେ । ଯେଉଁମାନେ ଦିନେ ପ୍ରମିଳାଙ୍କ ଭାଗ୍ୟକୁ ନିନ୍ଦୁଥିଲେ ସେମାନେ ଏବେ ତାଙ୍କସହ ହାତ ମିଳାଇ ଆଗକୁ ବଢିବା ଲାଗି ସହାୟତା ପାଇଁ ଆଗଭର ହେଲେ ।
ନିଜର କିଛି ବନ୍ଧୁଙ୍କ ଠାରୁ ପ୍ରେରଣାପାଇ ୨୦୧୯ ରେ ପ୍ରମିଳା ଆରମ୍ଭକଲେ ‘’ସମ୍ଭବ ଚେରିଟେବଲ ଟ୍ରଷ୍ଟ’’ । ସମ୍ଭବ ତାଙ୍କ କର୍ମର ପରିଧୀକୁ ଆହୁରି ବ୍ୟାପକ କରିଦେଲା । ଦିବ୍ୟାଙ୍ଗ ମାନଙ୍କୁ ଯଥାସମ୍ଭବ ଶଶକ୍ତ କରିବାର ଲକ୍ଷ୍ୟ ନେଇ ନିରନ୍ତର କାମ କରିଚାଲିଛି ‘’ସମ୍ଭବ ଚେରିଟେବଲ ଟ୍ରଷ୍ଟ’’। ତା ସାଙ୍ଗକୁ ଗରିବ ପିଲାଙ୍କୁ ପାଠ ପଢାଇବା, ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସଚେତନତା, କର୍କଟ ରୋଗୀମାନଙ୍କୁ ସାହାଯ୍ୟ, ଅଭାବିଙ୍କୁ ଖାଦ୍ୟ-ବସ୍ତ୍ର ବଣ୍ଟନ, ପ୍ରକୃତି ପରିବେଶର ସୁରକ୍ଷା ପାଇଁ ସଚେତନତା, ବୃକ୍ଷରୋପଣ ଆଦି ସମାଜ କଲ୍ୟାଣର କାମ ଚାଲିଛି । ପ୍ରମିଳାଙ୍କ ଉଦ୍ୟମରେ କୋରୋନା ଲୋକଡାଉନ ସମୟରେ ମଧ୍ୟ ସୁରକ୍ଷା ଗାଇଡ ଲାଇନ ବିଷୟରେ ସଚେତନ କରାଇବା ଏବଂ ଜରୁରୀ ମେଡିକାଲ ସୁବିଧା ଓ ସୁରକ୍ଷା ଉପକରଣ ଗରିବ ଲୋକମାନଙ୍କୁ ଯୋଗାଇବା କାମ ବେଶ ସଫଳତାର ସହ କରିଛି ସମ୍ଭବ । ପ୍ରମିଳା ଓ ତାଙ୍କର ୨୦ ବନ୍ଧୁଙ୍କର ସଂପୂର୍ଣ୍ଣ ନିଜସ୍ଵ ଆର୍ଥିକ ଅନୁଦାନରେ କାର୍ଯ୍ୟ କରୁଥିବା ସମ୍ଭବର କାମ ଧୀରେ ଧୀରେ ଅନ୍ୟ ସ୍ଵେଛାସେବୀଙ୍କ ନଜରକୁ ଆସିଲାଣି, ଅନେକେ ବଢାଇଲେଣି ସହାୟତାର ହାତ ଆଉ ସବୁ ପ୍ରତିକୂଳ ଅନୁକୂଳ ସ୍ଥିତି ଭିତରେ ପ୍ରମିଳା ମଗ୍ନ ନିଜର ନିସ୍ଵାର୍ଥପର ନିରଳସ ସମାଜ ସେବାର ସାଧନାରେ । ନିଜ ସାଧନାର ସ୍ଵୀକୃତି ସ୍ୱରୂପ ପ୍ରମିଳାଙ୍କୁ ଅନେକ ସଂଗଠନ ତରଫରୁ ର ମିଳିଛି ଶ୍ରଦ୍ଧା ଓ ସମ୍ମାନ ।
“ମୁଁ ଜୀବନରେ ଉଭୟ ସକ୍ଷମତାର ଖୁସି ଓ ଅକ୍ଷମତାର ଦୁଃଖ ଅନୁଭବ କରିଛି । ମୁଁ ଦେଖିଛି ଜଣେ ଭିନ୍ନକ୍ଷମକୁ ସମାଜ କେମତି ଭିନ୍ନ ଦୃଷ୍ଟିରେ ଦେଖେ, କେମିତି ତାଙ୍କୁ ଦୟାର ଭାବନା ଦେଖାଏ । ଆଉ ଏ କଥା ଭିନ୍ନକ୍ଷମଟିଏର ଆତ୍ମବିଶ୍ଵାସକୁ ଭାଙ୍ଗି ଦେଇଥାଏ । ମୁଁ ଭାବୁଛି ପ୍ରତୀଟି ଭିନ୍ନକ୍ଷମଙ୍କ ପାଇଁ ତାଙ୍କର ସକ୍ଷମତା ଅନୁଯାଇ ତାଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇ ପାରିଲେ ସେମାନଙ୍କର ପ୍ରକୃତ ଶଶକ୍ତିକରଣ ସମ୍ଭବ ହୋଇପାରିବ ଏବଂ ସମାଜରେ ତାଙ୍କୁ ଉଚିତ ସ୍ଥାନ ମିଳି ପାରିବ।”
ପ୍ରମିଳାଙ୍କ ‘ସମ୍ଭବ’ ଅଧିକରୁ ଅଧିକ ଭିନ୍ନକ୍ଷମ ଓ ଗରିବ ଲୋକମାନଙ୍କ ଜୀବନକୁ ରାହା ଦେଖାଇ ପାରୁ ଏଇ ଆମର ଆଶା । ପ୍ରମିଳାଙ୍କୁ ଆମର ହୃଦୟଭରା ସମ୍ମାନ ଓ ଶ୍ରଦ୍ଧା ।